ଉଦଳା : ବାଲି ମାଫିଆଙ୍କ ଗୁଣ୍ଡାରାଜ । ସବୁସୀମା ପାର୍ କରିଦେଲେ । ଏ ବାଲି କାହାର ? ଏତିକି କଥାରେ ଆଇଆଇସିଙ୍କ ଉପରେ ବର୍ଷିଥିଲା ମାଡ଼ । ଖାଲି ମାଡ଼ ନୁହେଁ ଆଜ୍ଞା,ଥାନା ଗାଡ଼ି ମଧ୍ୟ ଭାଙ୍ଗିଦେଇଛନ୍ତି ମାଫିଆ । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ବ୍ଲକ୍ କପ୍ତିପଦା ଥାନା ଅଞ୍ଚଳରେ ।
କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ଗୋଟିଏ ଜାଗାରେ ବେଆଇନ ଭାବେ ଗଛିତ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ। ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ଗଛିତ ରଖିଛି ବୋଲି ପଚାରିବା କ୍ଷଣି ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡିକୁ ମଧ୍ୟ ଭଙ୍ଗାରୁଜା କରିଥିଲେ । ଯେଉଁ ଆକ୍ରମଣରେ ଥାନା ଗାଡି କାଚ ଭାଙ୍ଗି ଯାଇଛି ।
ଅନ୍ୟପଟେ ଥାନା ଅଧିକାରୀ ଆକ୍ରମଣରେ ତାଙ୍କ ବେକ, ପିଠିରେ ଗଭୀର ଆଘାତ ଲାଗିଛି । ବର୍ତ୍ତମାନ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ମାଫିଆମାନେ ଏଭଳି ପୋଲିସକୁ ମଧ୍ୟ ଖାତିର ନ କରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏବେ ଆକ୍ସନ ମୋଡ଼ରେ ଥାନା ଅଧିକାରୀ ।
ଘଟଣାସ୍ଥଳରେ କପ୍ତିପଦା ତହସିଲଦାରଙ୍କ ସମେତ ମାଇନିଙ୍ଗ ବିଭାଗ ଅଧିକାରୀଙ୍କ ସହିତ କପ୍ତିପଦା ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଛନ୍ତି । ପୁରା ଡାହିସାହି ଗାଁ ପୋଲିସ ଛାଉଣୀ ହୋଇଛି । ପୋଲିସ ଫୋର୍ସ ସହିତ ଚଢ଼ାଉ ହୋଇଥିବା ବେଳେ ବେଆଇନ ଭାବେ ରଖାଯାଇଥିବା ବାଲିକୁ ରାଜସ୍ବ ବିଭାଗ ଉପସ୍ଥିତିରେ ଜବତ କରିଛି ପୋଲିସ । ଏହା ସହିତ ମାଫିଆ ଗଛିତ ରଖିଥିବା ବାଲିକୁ ଏକ ଅଞ୍ଚଳରେ ଲୁଚାଇ ରଖିଥିବା ବେଳେ ଉକ୍ତ ବାଡ଼ିର ତାଲା ଭାଙ୍ଗି ଅଧିକାରୀମାନେ ପଶି ବ୍ୟାପକ ପରିମାଣର ଗଛିତ ବାଲି ଜବତ କରିଛନ୍ତି । ଏହା ସହିତ ଆକ୍ରମଣକାରୀଙ୍କ ବିରୋଧରେ ନିଜେ ଥାନା ଅଧିକାରୀ ଏତଲା ଦେବା ପରେ ମାଫିଆଙ୍କୁ ଖୋଜୁଛି ପୋଲିସ ।