ଭୁବନେଶ୍ୱର: ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣଙ୍କୁ ବାନ୍ଧିଲା ପୋଲିସ। ଆଜି ଖଣ୍ଡଗିରୀ ଥାନାଧିକାରୀଙ୍କ ନିର୍ଦ୍ଦେଶମତେ ସମ୍ପୃକ୍ତ ଥାନାର ଏକ ପେଟ୍ରୋଲିଙ୍ଗ ଟିମ ନିଜ ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ବେଳେ, ବେଆଇନ ଗଞ୍ଜେଇ ଚାଲାଣ ଅଭିଯୋଗରେ ୪ ଜଣ ଅଭିଯୁକ୍ତଙ୍କୁ ବରମୁଣ୍ଡା ମଶାଣି ନିକଟରୁ କାବୁ କରିବାରେ ସକ୍ଷମ ହୋଇଥିଲା।
ଛାନଭିନ ସମୟରେ ପେଟ୍ରୋଲିଙ୍ଗ ଟିମ, ସେମାନଙ୍କ ହେପାଜତରୁ ଜରି ବସ୍ତାରେ ଥିବା ମୋଟ ୨୨ କିଲୋଗ୍ରାମ ଓଜନର ଗଞ୍ଜେଇ, ଗୋଟିଏ କାର ଏବଂ ୧୦୦୦ ଟଙ୍କା ଜବତ କରିଥିଲେ। ପଚରାଉଚରା ସମୟରେ ଅଭିଯୁକ୍ତ ମାନେ ଏହି ବେଆଇନ ଗଞ୍ଜେଇକୁ ଫୁଲବାଣୀ ଅଞ୍ଚଳରୁ ସଂଗ୍ରହ କରିଆଣି ଭୁବନେଶ୍ବର ବିଭିନ୍ନ ସ୍ଥାନକୁ ଚାଲାଣ କରୁଥିବା କଥା ସ୍ଵୀକାର କରିଥିଲେ।
ଏହି ଘଟଣାକୁ କେନ୍ଦ୍ରକରି ଖଣ୍ଡଗିରୀ ଥାନା ପୋଲିସ ଏକ ବେଆଇନ ଗଞ୍ଜେଇ ବିକ୍ରିଜନିତ ମାମଲା ରୁଜୁକରିବା ସହ ନିମ୍ନୋକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି।