ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଶାନ୍ତି ଓ ସଦ୍ଭାବନାର ସହିତ ଡିସେମ୍ବର ୨୫ ବଡ଼ଦିନ ଓ ୨୦୨୫ ନବବର୍ଷକୁ ପାଳନ ନିମନ୍ତେ ଆଜି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ କନ୍ଧମାଳ ଜିଲ୍ଲାପାଳ ଶ୍ରୀ ଅମ୍ରିତ୍ ଋତୁରାଙ୍କ ଅଧ୍ୟକ୍ଷତାରେ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବଡ଼ ଦିନ ଓ ନବ ବର୍ଷ ୨୦୨୫କୁ ଆନନ୍ଦ ଉଲ୍ଲାସର ସହିତ ପାଳନ କରିବାକୁ ଅଧ୍ୟକ୍ଷ ମହୋଦୟ ସମସ୍ତଙ୍କୁ ନିବେଦନ କରିବା ସହିତ ବଡ଼ଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଫେକ୍ ମେସେଜ୍ ବା ଖବର ଉପରେ ନଜର ରଖି ତା’ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ୍ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଚର୍ଜର ମୁଖ୍ୟ, ଥାନା ଅଧିକାରୀ, ତହସିଲ୍ଦାର ଓ ବିଡିଓ ମାନଙ୍କୁ ନେଇ ଏକ ହ୍ବାଟ୍ସ ଆପ୍ ଗ୍ରୁପ୍ କରିବାକୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ସେହିପରି, କନ୍ଧମାଳ ଆରକ୍ଷୀ ଅଧ୍ୟକ୍ଷକ ଶ୍ରୀ ହରୀଶ ବିସି ଜିଲ୍ଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ କଡ଼ା ନଜର ରଖିବା ପାଇଁ ସମସ୍ତ ଆଇ.ଆଇ.ସି ଓ ଏସ୍.ଡି.ପି.ଓ. ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଥିଲେ। ଗ୍ରୁପ୍ରେ ସେଭଳି କିଛି ଖବର ଆସିଲେ ପୋଲିସ ବିଭାଗ ତରଫରୁ ତୁରନ୍ତ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବିସି କହିବା ସହିତ ଆନନ୍ଦର ସହିତ ବଡ଼ଦିନ ଓ ନବବର୍ଷ ପାଳନ ନିମନ୍ତେ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଥିଲେ। ସଭାପତି, ଖ୍ରୀଷ୍ଟିୟାନ୍ ଜନକଲ୍ୟାଣ ସମିତି, କନ୍ଧମାଳ ଶ୍ରୀ ସୁରଞ୍ଜନ ନାୟକ କନ୍ଧମାଳ ଏକ ଶାନ୍ତି ପ୍ରିୟ ଜିଲ୍ଲା । ଏହାର ଅଧିବାସୀମାନେ ଭାଇଚାରାରେ ସମସ୍ତେ ସମସ୍ତଙ୍କୁ ସାହାଯ୍ୟ ସହାନୁଭୁତି ପ୍ରଦାନ କରିଥାନ୍ତି। କେବଳ ପର୍ବ ପାଳନ ସମୟରେ ବିଦ୍ୟୁତ୍ କାଟ ନ କରିବା ପାଇଁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ନିବେଦନ ରଖିଥିଲେ। ସେହି ଜନକଲ୍ୟାଣ ସମିତିର ଉପ-ସଭାପତି ମୋଜେସ ଦିଗାଲ ନିଶା ଦ୍ରବ୍ୟ ବିକ୍ରି ଉପରେ କଟକଣା ଲାଗୁ କରିବାକୁ ନିବେଦନ କରିଥିଲେ। ବିଭିନ୍ନ ସମ୍ପ୍ରଦାୟରୁ ଆସିଥିବା ମୁଖ୍ୟମାନେ କହିଥିଲେ ଯେ, ହିନ୍ଦୁ ଭାଇମାନେ ଦୁର୍ଗାପୂଜା କଲେ ଆମ୍ଭେମାନେ ସେମାନଙ୍କୁ ସହଯୋଗ କରୁ ଏବଂ ସେମାନେ ମଧ୍ୟ ଆମ୍ଭମାନଙ୍କୁ ଆମ ପର୍ବରେ ସହଯୋଗ କରନ୍ତି । ପୂର୍ବର ପରିସ୍ଥିତି ଆଉ ନାହିଁ। ଆମ୍ଭେମାନେ ଶାନ୍ତି ପ୍ରେମର ରାଜା ପ୍ରଭୁ ଯୀଶୁଙ୍କର ପର୍ବ ଆନନ୍ଦର ସହ ପାଳନ କରିବୁ । ସେହିପରି ଧନ୍ୟ ସମ୍ପ୍ରଦାୟର ମୁଖ୍ୟମାନେ କହିଥିଲେ ଯେ, ବିଜୁଳି କାଟ୍ ସମୟରେ ବହୁତ ଅସୁବିଧା ହୁଏ। ଏଥିପ୍ରତି ନଜର ଦେବାକୁ ସେମାନେ ଅନୁରୋଧ କରିଥିଲେ । । ୨୩ ତାରିଖ ଠାରୁ ୨୫ ତାରିଖ ପର୍ଯ୍ୟନ୍ତ ନିଶାକୁ ନିଷେଧ କଲେ ଭଲ ହୁଅନ୍ତା ବୋଲି କହିଥିଲେ। ବଡ଼ଦିନକୁ ଖ୍ରୀଷ୍ଟିଆନ ଭାଇଭଉଣୀ ମାନେ ଆନନ୍ଦ ଉଲ୍ଲାସ ପାଳନ କରିବାକୁ ହିନ୍ଦୁ ମୁଖ୍ୟମାନେ ପ୍ରତିସୃତି ଦେଇଥିଲେ । ବୈଠକକୁ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ ପରିଚାଳନା କରିଥିବା ବେଳେ ଉପ-ଜିଲ୍ଲାପାଳ ଖଣ୍ଡମାଳ ଶ୍ରୀ ଚିତ୍ତ ରଞ୍ଜନ ମହନ୍ତ ଧନ୍ୟବାଦ ଅର୍ପଣ କରିଥିଲେ l
ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ଶ୍ରୀ ଶମ୍ଭୁନାଥ ନନ୍ଦୀ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀ ଦେବଜାନୀ ଭୂୟାଁ, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା ଶ୍ରୀ କୃପାସିନ୍ଧୁ ବେହେରା, ସମସ୍ତ ସରକାରୀ ପଦାଧିକାରୀ, ବିଭିନ୍ନ ସମ୍ପ୍ରଦାୟର ଜିଲ୍ଲା ତଥା ବ୍ଲକ ମୁଖ୍ୟ, ଜନ ପ୍ରତିନିଧି , ଗଣମାଧ୍ୟମର ପ୍ରତିନିଧି ମାନେ ଉପସ୍ଥିତ ଥିଲେ।