ଭୁବନେଶ୍ୱର: ଶିମିଳିପାଳ ଏବଂ ରାଉରକେଲା ପରେ ଏବେ ଡେବ୍ରିଗଡ଼ ଓ ଅନ୍ୟ ଅଭୟାରଣ୍ୟରେ ସ୍ପାଏ କ୍ୟାମେରା ଲାଗିବ । ଶିକାରୀଙ୍କୁ ଧରିବାକୁ ଜଙ୍ଗଲରେ ଲଗାଯିବ ସ୍ପାଏ କ୍ୟାମେରା । ଫଳରେ ଅଭ୍ୟାରଣ୍ୟ ଗୁଡିକରେ ଅବାଧ ଶିକାର ଉପରେ ଲାଗିବ ରୋକ । ଏନେଇ ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ।
ଏହା ଉପରେ ବନ ବିଭାଗ ଗୁରୁତ୍ୱ ଦେଉଛି । ପାଇଲଟ ପ୍ରୋଜେକ୍ଟ ଭାବେ ଶିମିଳିପାଳ ଏବଂ ରାଉରକେଲାରେ ସ୍ପାଏ କ୍ୟାମେରା ଲାଗିଛି । ଶିକାରୀଙ୍କ ଅସାମାଜିକ କାର୍ଯ୍ୟକଳାପ ଓ ଗତିବିଧିକୁ ନଜର ରଖିବା ପାଇଁ ଏହି କ୍ୟାମେରା ଲଗାଯାଇଛି। ଏହି କ୍ୟାମେରା ଶିକାରୀଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଛି । ଏପରିକି ଜଙ୍ଗଲ ଦେଇ ଯାଇଥିବା ରେଳ ଲାଇନରେ ମଧ୍ୟ ଏଆଇ କ୍ୟାମେରା ଲାଗିବ । ଏନେଇ ମଙ୍ଗଳବାର ଗଣମାଧ୍ୟମକୁ ପ୍ରକାଶ କରିଛନ୍ତି ମନ୍ତ୍ରୀ ଶ୍ରୀ ଖୁଣ୍ଟିଆ ।
ସେହିପରି, ବନ ବିଭାଗ କର୍ମଚାରୀମାନଙ୍କୁ ଅଧିକ ସଶକ୍ତ କରିବାକୁ ସେମାନଙ୍କୁ ବନ୍ଧୁକ ଧରାଇବା ଉପରେ ସରକାର ଚିନ୍ତା କରୁଛନ୍ତି । ଶିକାରୀଙ୍କୁ ସାବାଡ଼ କରିବାକୁ ବନ କର୍ମଚାରୀଙ୍କୁ ବନ୍ଧୁକ ଚଳାଇବାର କ୍ଷମତା ମିଳିଥିଲେ ମଧ୍ୟ ବନ୍ଧୁକ ମିଳିନାହିଁ । ଯେଉଁଥିପାଇଁ ଶିକାରୀମାନେ ବନ ବିଭାଗ କର୍ମଚାରୀଙ୍କୁ ଗୁଳି ଚଳାଇବାକୁ ପଛାଉନାହାଁନ୍ତି । ଏହାର ମୁକାବିଲା କରିବାକୁ ଏବେ ପୋଲିସର ସାହାଯ୍ୟ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି ।