ଡଃ. ବିଜୟ ଚନ୍ଦ୍ର ମହାରଣା ପାଇଲେ ନିର୍ଝରିଣୀ ଶିଶୁ ସାହିତ୍ୟ ସମ୍ମାନ…

ବ୍ରହ୍ମପୁର, ତା.୧୭/୧୨ :ବିଶିଷ୍ଟ ଶିଶୁ ସାହିତ୍ୟିକ ତଥା ବରିଷ୍ଠ ଶିକ୍ଷବିତ୍ ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କୁ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞଝି ସ୍ଥିତ “ନିର୍ଝରିଣୀ ସାହିତ୍ୟ କଳା ପରିଷଦ”ର ତ୍ରୟୋଦଶ ବାର୍ଷିକୋତ୍ସବ ପାଳନ ଅବସରରେ ସମ୍ମାନାସ୍ପଦ ଲକ୍ଷ୍ମୀ ପ୍ରସାଦ ଗଡ଼ତ୍ୟା ସ୍ମୃତି ଶିଶୁ ସାହିତ୍ୟ ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି। ଅନୁଷ୍ଠାନର ସଭାପତି ରାମ ଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଖ୍ୟାତନାମା ହିନ୍ଦୀ ସାହିତ୍ୟିକ କିଶାନ ଦିବାନ, କେନ୍ଦ୍ର ବାଲ୍ ସାହିତ୍ୟ ପୁରସ୍କୃତ ଶିଶୁ ସାହିତ୍ୟିକ ଡଃ. ଯୁଗଳ କିଶୋର ଷଡ଼ଙ୍ଗୀ, ବିଶିଷ୍ଟ ଅଭିନେତା ସଂଗୀତଜ୍ଞ କପିଳେଶ୍ଵର ଖମାରି, ମୃତ୍ୟୁଞ୍ଜୟ ତ୍ରିପାଠୀ, ଈଶ୍ବର ଖମାରି ପ୍ରମୁଖ ଅତିଥି ଭାବରେ ଯୋଗଦେଇ ରାଜ୍ୟ ସାଂସ୍କୃତିକ ଅଭିବୃଦ୍ଧି କ୍ଷେତ୍ରରେ ଅନୁଷ୍ଠାନର କୃତି ବିଶେଷ ପ୍ରଶଂସାର୍ହ ବୋଲି ମତବ୍ୟକ୍ତ କରିଥିଲେ। ଅନୁଷ୍ଠାନର ସମ୍ପାଦକ ବିରଞ୍ଚି ନାରାୟଣ ଦାଶ ସ୍ୱାଗତ ଭାଷଣ, ଅତିଥି ପରିଚୟ, ବାର୍ଷିକ ବିବରଣୀ ପାଠ କରିବା ସହ ଉତ୍ସବ ପରିସମାପ୍ତିରେ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଡଃ. ମହାରଣା ତାଙ୍କର ପଞ୍ଚତ୍ରିଂଶାଧିକ ଶିଶୁ ସାହିତ୍ୟ ପୁସ୍ତକ ରଚନା ମାଧ୍ୟମରେ ଓଡ଼ିଆ ବାଣୀ ଭଣ୍ଡାରକୁ ୠଦ୍ଧିମନ୍ତ କରିବାରେ ସକ୍ଷମ ହୋଇପାରିଛନ୍ତି। ବିଶେଷ କରି ଶିଶୁ ନାଟକ ଓ ଗଳ୍ପ ରଚନାରେ ସେ ସିଦ୍ଧହସ୍ତ। ଏତଦଭିନ୍ନ ସେ ଜଣେ ପ୍ରତିଭାଦୀପ୍ତ ଅଭିନେତା, ସାଂସ୍କୃତିକ ସଂଗଠକ ଓ ସୁସମ୍ପାଦକ। ଅଭିନଵ ଉତ୍କଳିକା ସାହିତ୍ୟ ପତ୍ରିକା ଭିତରେ ତାହାଙ୍କ ପ୍ରଜ୍ଞାଦୀପ୍ତ ସମ୍ପାଦନା ସହ ପାଠକେ ପରିଚିତ। ତାଙ୍କର ଏ ସମ୍ବର୍ଦ୍ଧନା ପ୍ରାପ୍ତି ନିମନ୍ତେ ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ, ଜାତୀୟ ସଂଗୀତ କଳାକେନ୍ଦ୍ର, ଗଞ୍ଜାମ ଜିଲ୍ଲା ଲେଖକ ସମ୍ମୁଖ୍ୟ, ମଞ୍ଚଜ୍ୟୋତି, ଶିଳାପଦ୍ମ ଆଦି ବହୁ ସାଂସ୍କୃତିକ ତଥା ସାରସ୍ୱତ ପ୍ରତିଷ୍ଠାନ ସହ ବହୁ ବିଶିଷ୍ଠ ସାରସ୍ୱତ ସାଧକମାନେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

nis-ad
Leave A Reply

Your email address will not be published.