ହିଞ୍ଜିଳିକାଟୁରେ ପାର୍କିଂ ଫି’ ଆଦାୟକୁ ନେଇ ଗଣ୍ଡଗୋଳ, ବସ୍ ଟର୍ମିନାଲ ପରିସର ପାଲଟିଲା ରଣକ୍ଷେତ୍ର

ଅଭିଯୁକ୍ତଙ୍କୁ ଗିରଫ ଦାବିରେ ବିଜେପି କର୍ମୀ ଥାନା ଘେରିଲେ, ୩ ଗିରଫ
ହିଞ୍ଜିଳିକାଟୁ : ବସ୍ ଟର୍ମିନାଲ ପରିସରରେ ଗାଡି ପାର୍କିଂ କରିବା ଏବଂ ପାର୍କିଂ ଫି’ ବାବଦକୁ ଅର୍ଥ ମାଗିବା ପଡିଛି ମହଙ୍ଗା । ବସ୍ ଟର୍ମିନାଲ ପରିସରରେ ପାର୍କିଂ ପାଇଁ ନିର୍ଦ୍ଧିଷ୍ଟ ଜାଗା ନଥିବାରୁ , ଫି ନେଦବା ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ପରେ ହାତାହାତି ହେବା ସହ ମାରଣାସ୍ତ୍ରରେ ଆକ୍ରମଣ ଓ ପ୍ରତିଆକ୍ରମଣ ଘଟଣା ଦେଖିବାକୁ ମିଳିଛି ମଙ୍ଗଳବାର ରାତିରେ ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିସରରେ। ଅଭିଯୁକ୍ତ ମାନଙ୍କୁ ଗିରଫ ଦାବିରେ ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନା ଘେରିଥିବା ଦେଖିବାକୁ ମିଳିଛି । ଆକ୍ରମଣରେ ୪ରୁ ଉର୍ଦ୍ଧ୍ୱ ଯୁବକ ଆହତ ହୋଇଛନ୍ତି । ଆହତ ମାନେ ହେଲେ ବ୍ରହ୍ମପୁର ଅଞ୍ଚଳର ଶୁଭମ୍ ବିଷୋୟୀ , ନାରାୟଣ ବେହେରା , ଚିଦାନନ୍ଦ ପଟ୍ଟନାୟକ ଓ ଚିନ୍ମୟାନନ୍ଦ ପଟ୍ଟନାୟକ ।
ପ୍ରକାଶ ଯେ, ମଙ୍ଗଳବାର ରାତି ପ୍ରାୟ ସାଢେ ୮ଟାରେ ହିଞ୍ଜିଳିକାଟୁର ଏକ ବିବାହ ଭୋଜିରେ ଯୋଗ ଦେବା ପାଇଁ ବ୍ରହ୍ମପୁର ଅଞ୍ଚଳର କିଛି ଯୁବକ କାର୍ ଯୋଗେ ଆସି ହିଞ୍ଜିଳିକାଟୁ ଠାରେ ପହଞ୍ଚିଥିଲେ । ହିଞ୍ଜିଳିକାଟୁ ବସ୍ ଟର୍ମିନାଲ ପରିସରରେ କାର୍ ପାର୍କିଂ କରିବା ପରେ ଲିଜଧାରୀ କିଛି ଯୁବକ କାରଗାଡି ନିକଟକୁ ଆସି ପାର୍କିଂ ଫି’ ବାବଦକୁ ଟଙ୍କା ମାଗିଥିଲେ । କିନ୍ତୁ କାରଗାଡିରେ ଆସିଥିବା ଯୁବକ ମାନେ ପାର୍କିଂ ବାବଦକୁ ଆବଶ୍ୟକ ସ୍ଥାନ ନଥିବା ଦର୍ଶାଇ ଫି’ ଦେବାକୁ ମନା କରି ଦେଇଥିଲେ । ଫଳରେ ଉଭୟ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେବା ସହ ହାତାହାତି ହୋଇଥିଲା ଓ ପରେ ଫି ମଧ୍ୟ ଦେଇଥିଲେ ‌। ସେଠାରେ ଟଙ୍କା ଆଦାୟ କରୁଥିବା ବ୍ୟକ୍ତି ଜଣକ ମୁନିସିପାଲଟି ହିଞ୍ଜିଳିକାଟୁ ଓ ତାରିଖ ପକାଇ ରସିକ ଧରାଇ ଟଙ୍କା ମାଗୁଛନ୍ତି।ସେହି ରସିଦରେ ଗୁତାଦାର ଙ୍କ ନାମ ନାହିଁ କି ତାହା ବୈଧତା ଉପରେ ଚିହ୍ନବର୍ଣ୍ଣ ନାହିଁ।ଏହା ସମ୍ପୂର୍ଣ୍ଣ ଭାବେ ବେଆଇନ ବୋଲି ଯୁବକ ମାନେ କହିଥିଲେ ଓ ପାଟିତୁଣ୍ଡ ହୋଇଥିଲେ।କିଛି ସମୟ ପରେ ହିଞ୍ଜିଳିକାଟୁ ଅଞ୍ଚଳର କିଛି ଯୁବକ ବିଭିନ୍ନ ମାରଣାସ୍ତ୍ର ଧରି ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆକ୍ରମଣ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅନ୍ୟପକ୍ଷରେ ବ୍ରହ୍ମପୁରରୁ ଆସିଥିବା ଯୁବକ ମାନେ ବିଜେପି କର୍ମୀ ହୋଇଥିବାରୁ ସ୍ଥାନୀୟ ଅଞ୍ଚଳର କିଛି ବିଜେପି କର୍ମୀ ଘଟଣା ସ୍ଥଳରେ ପହଞ୍ଚିଥିଲେ । ଉଭୟ ଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ଆକ୍ରମଣ ଓ ପ୍ରତିଆକ୍ରମଣ । ଫଳରେ ବସ୍ ଟର୍ମିନାଲ ପରିସର କିଛି ସମୟ ପାଇଁ ରଣକ୍ଷେତ୍ର ପାଲଟି ଯାଇଥିଲା । ଆକ୍ରମଣ ଓ ପ୍ରତିଆକ୍ରମଣରେ ୪ ଜଣ ଯୁବକ ଆହତ ହୋଇଛନ୍ତି ।

ଖବର ପାଇ ହିଞ୍ଜିଳି ପୁଲିସ ବସ୍ ଟର୍ମିନାଲ ପରିସରରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳର ଶତାଧିକ ବିଜେପି କର୍ମୀ ହିଞ୍ଜିଳି ଥାନାରେ ପହଞ୍ଚି ଥାନା ଘେରିଥିଲେ । ଘଟଣା ନେଇ ବ୍ରହ୍ମପୁର ଟାଉନଥାନା ଗେଟବଜାର ଅଞ୍ଚଳର ନାରାୟଣ ବେହେରା ହିଞ୍ଜିଳି ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଭିତ୍ତିରେ ହିଞ୍ଜିଳି ଥାନାରେ କେସ ନଂ- ୧୦୦୬/୨୪ରେ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ ଚଳାଇଥିଲା । ନାରାୟଣଙ୍କ ସମେତ ତାଙ୍କର ୪ ଜଣ ସହଯୋଗୀଙ୍କୁ ହିଞ୍ଜିଳି ଥାନା ଅଞ୍ଚଳର ସଞ୍ଜୟ ଦାସ, ବିକାଶ ବେହେରା, ଶେଖର ସେଠି, ବଳିଆ ଦାସ, ଚିଣ୍ଟୁ ଦାସ, ପପୁନଙ୍କ ସମେତ ଆହୁରି ୭/୮ ଜଣ ଯୁବକ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିଥିବା ନେଇ ନାରାୟଣ ଅଭିଯୋଗରେ ଉଲ୍ଲେଖ କରିଛନ୍ତି । ପୁଲିସ ଘଟଣାର ତଦନ୍ତ କରି ୩ ଜଣ ଯୁବକଙ୍କୁ ଗିରଫ କରିଛି । । ଗିରଫ ସମସ୍ତଙ୍କୁ ବୁଧବାର କୋର୍ଟ ଚାଲାଣ କରାଯାଇଥିବା ଥାନା ଆଇଆଇସି ଶ୍ରୀନିବାସ ସେଠିଙ୍କ ସୂତ୍ରରୁ ପ୍ରକାଶ । ଅଗାମୀ ଦିନରେ ଏଭଳି ଘଟଣାକୁ କେନ୍ଦ୍ର କରି ବଡ ଧରଣର ଘଟଣା ସୃଷ୍ଟି ହେବା ଆଶଙ୍କା ରହିଛି ।

nis-ad
Leave A Reply

Your email address will not be published.