ଫୁଲବାଣୀ : ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଆତ୍ମା ସଭାଗୃହରେ କନ୍ଧମାଳ କୃଷି ବିଭାଗ ଓ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତଙ୍କ ମିଳିତ ସହଯୋଗରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ତୁସାରକାନ୍ତ ସାମଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବିଶ୍ଵ ମୃତ୍ତିକା ଦିବସ-୨୦୨୪ ଆଜି ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ଆଲୋଚନାଚକ୍ରରେ ଓ.ୟୁ.ଏ.ଟି.ର ବୈଜ୍ଞାନିକ ଏବଂ ଜିଲ୍ଲା କୃଷି ଓ ଆନୁସଙ୍ଗିକ ବିଭାଗର ଅଧିକାରୀ ମାନେ ଯୋଗଦେଇ ଚାଷୀମାନଙ୍କୁ ମାଟିର ଉପାଦେୟତା, ପରିଚାଳନା ତଥା ସମନ୍ବିତ ଖାଦ୍ୟସାର ପରିଚାଳନା ସମ୍ବନ୍ଧରେ ବିଭିନ୍ନ ଜ୍ଞାନକୌଶଳ ଅବଗତ କରାଇଥିଲେ l ମୁଖ୍ୟ ଅତିଥିଭାବେ କନ୍ଧମାଳ ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ପ୍ରଶନ୍ନ କୁମାର ପାତ୍ର ଯୋଗଦାନ କରିଥିବାବେଳେ, ଘୁ. ଉଦୟଗିରି ଏ.ଡି.ଓ. ଶ୍ରୀ ସୁବାଷ ଚନ୍ଦ୍ର ବେହେରା, ଫୁଲବାଣୀ ଏ.ଡି.ଓ. ଶ୍ରୀ ରବିନାରାୟଣ ନାଏକ, କୃଷି ବୈଜ୍ଞାନିକ ଡଃ. ସୁବ୍ରତ କୁମାର ବେହେରା, ଡଃ. ପ୍ରଶାନ୍ତ କୁମାର ନନ୍ଦ, ଡଃ. ଦେବେ ବନ୍ଦ୍ର କୁମାର ଦେବତା, ଡଃ ରାହୁଲ କୁମାର ସାହୁ ପ୍ରମୁଖ ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ । ଆଲୋଚନାରୁ ଜଣାପଡ଼ିଛି ଯେ, ଉଦ୍ଭିଦ ଜୀବଜଗତ ପାଇଁ ପ୍ରସ୍ତୁତ କରୁଥିବା ଖାଦ୍ୟ ସକାଶେ ପ୍ରାୟ ଅଧିକାଂଶ ପୋଷକ ତତ୍ତ୍ବ ମାଟିରୁହିଁ ସଂଗ୍ରହ କରିଥାଏ। ଆବଶ୍ୟକତା ଠାରୁ ଅଧିକ ମାତ୍ରାର ରାସାୟନିକ ସାର ଓ କୀଟନାଶକର କ୍ରମାଗତ ବ୍ୟବହାର ଓ ଜୈବିକ ସାର ବ୍ୟବହାର ହ୍ରାସ ପାଇବା ଯୋଗୁଁ ମାଟିର ସ୍ବାସ୍ଥ୍ୟ ଦିନକୁ ଦିନ ଖରାପ ହେବାକୁ ଲାଗିଛି ।ଏବେଠାରୁ ମାଟିର ଉପଯୁକ୍ତ ଯତ୍ନ ନ ନେଲେ ଧୀରେ ଧିରେ ଏହାର ମୃତ୍ୟୁ ଘଟି ଫସଲ ଅମଳର ଦକ୍ଷତା ହରାଇ ବସିବ। କୃଷକ ଭାଇ ଭଉଣୀ ମାନେ ଏବେଠାରୁ ମାଟିର ଯତ୍ନ ପାଇଁ ଏହାର ପରିମାପ, ପର୍ଯ୍ୟବେକ୍ଷଣ ଓ ପରିଚାଳନା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । ଉଦ୍ଭିଦ ସୁସ୍ଥ ସବଳ ହୋଇ ବଞ୍ଚିବା ଓ ଉତ୍ପାଦନକ୍ଷମ ହେବା ପାଇଁ ଆବଶ୍ୟକ ହେଉ ଥିବା ୧୬ ଗୋଟି ଜରୁରୀ ପୋଷକ ତତ୍ୱ ସମ୍ବନ୍ଧରେ ଜାଣିବା ଆବଶ୍ୟକ । ସେଥିମଧ୍ୟରୁ କାର୍ବନ, ହାଇଡ୍ରୋଜେନ୍ ଓ ଅକ୍ସିଜେନ୍ ବ୍ୟତିତ ଅନ୍ୟ ୧୩ ଗୋଟି ପୋଷକ ତତ୍ତ୍ଵ ମାଟିରୁହିଁ ପାଇଥାଏ। ଫସଲକୁ ଏହିସବୁ ପୋଷକ ତତ୍ତ୍ୱ ଯୋଗାଇବା ପାଇଁ ବିଭିନ୍ନ ପ୍ରକାରର ରାସାୟନିକ ସାର ଯେପରିକି ୟୁରିଆ, ଡି.ଏ.ପି., ପଟାସ ଓ ବିଭିନ୍ନ ଅଣୁସାର ଆଦି ଜମିରେ ପ୍ରୟୋଗ କରାଯାଇଥାଏ। କିନ୍ତୁ ଏହିସବୁ ରାସାୟନିକ ସାରକୁ ଆବଶ୍ୟକ ଠାରୁ ଅଧିକ ପ୍ରୟୋଗ କଲେ ମାଟିର ସ୍ବାସ୍ଥ୍ୟ ଖରାପ ହୋଇଥାଏ ଓ ପରିଶେଷରେ ଜମିର ଉତ୍ପାଦନ କ୍ଷମତା ମଧ୍ୟ ହ୍ରାସ ପାଇଥାଏ। ତେଣୁ ଜମିରେ ଥିବା ଏହିସବୁ ଉପାଦାନର ପରିମାଣ ଜାଣି ସେହି ଅନୁସାରେ ରାସାୟନିକ ସାରର ପ୍ରୟୋଗ ନିହାତି ଆବଶ୍ୟକ । ଜମିର ମାଟିକୁ ପ୍ରତି ୩ ବର୍ଷରେ ଅନ୍ତତଃ ଥରେ ପରୀକ୍ଷା କରାଇନେବା ଉଚିତ୍ ବୋଲି ଅତିଥିମାନେ କହିଥିଲେ ।
ଆଜିର ଏହି ଆଲୋଚନାଚକ୍ର ରେ ୩୦ଜଣ ଚାଷୀ ଯୋଗଦେଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ମୃତ୍ତିକା ସ୍ବାସ୍ଥ୍ୟ, କାର୍ଡ଼ ପ୍ରଦାନ କରାଯାଇଥିଲା। ଏହି ଅବସରରେ ପୋଷ୍ଟର ମେହିଁ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୬ଜଣ କୃତି ପ୍ରତିଯୋଗୀଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା। ବ୍ଲକ କୃଷି ଅଧିକାରୀ, ଚକାପାଦ ଶ୍ରୀ ହେମନ୍ତ କୁମାର ଦାସ ପରିଚାଳନା କରିଥିବାବେଳେ ସହକାରୀ କୃଷି ନିର୍ଦ୍ଦେଶକ, ମୃତ୍ତିକା ରସାୟନବିତ ପୁନମ ଚାନ୍ଦ, ବ୍ଲକ କୃଷି ଅଧିକାରୀ ସୁନୀତା ମିଶ୍ର, ସହକାରୀ କୃଷି ଅଧିକାରୀ ନୟନଦୀପ୍ତ ସ୍ବାଇଁ, ରାମପ୍ରସାଦ ପାତ୍ର, ଶୁଭଲକ୍ଷ୍ମୀ ବେହେରା, ଟିକେଶ୍ଵର ଭୋଇଙ୍କ ସମେତ କୃଷି ଉନ୍ନତ ସହଯୋଗୀ ଓ କର୍ମଚାରୀମାନେ ସହଯୋଗିତା କରିଥିଲେ । ସାମ୍ବାଦିକ ମାନଙ୍କୁ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେବା ପାଇଁ କୌଣସି ସୂଚନା ଦିଆ ଯାଇ ନଥିଲା l