ଭୁବନେଶ୍ବର: ଯେଉଁଠି ରାଜ୍ୟ ସରକାର ଓଡିଶା ଜଙ୍ଗଲରେ ବାଘଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଲକ୍ଷ୍ୟ ରଖୁଛନ୍ତି ସେଠି ଅନାୟଶରେ ଯାଉଛି ବାଘଙ୍କ ଜୀବନ । ଗତ ୫ ବର୍ଷ ଭିତରେ ବିଭିନ୍ନ କାରଣ ଯୋଗୁଁ ମୋଟ ୩୪ କଲରାପତରିଆ ବାଘଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ମହାବଳ ବାଘଙ୍କ ମୃତ୍ୟୁ ଘଟିଛି । ଏନେଇ ଆଜି ଗୃହରେ ଲିଖିତ ଉତ୍ତର ରଖିଛନ୍ତି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ।
ତେବେ କଂଗ୍ରେସ ବିଧାୟକ ତାରା ବାହିନୀପତିଙ୍କ ‘ରାଜ୍ୟରେ ଗତ ୫ ବର୍ଷରେ କେତେ ବାଘ ମଲେଣି ଆଉ ଏବେ କେତେ ଅଛନ୍ତି?’ ପ୍ରଶ୍ନରେ ମନ୍ତ୍ରୀ ପ୍ରଦାନ କରିଥିବା ତଥ୍ୟାନୁସାରେ, ଗତ ୫ ବର୍ଷ ଭିତରେ ରାଜ୍ୟରେ ୩୪ କଲରାପତରିଆ ବାଘଙ୍କ ଜୀବନ ଯାଇଛି । ଏହାମଧ୍ୟରୁ ୧୭ଟି ବାଘଙ୍କର ଶିକାରରେ ଜୀବନ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ୩ଟି ଆଉ ରେଳ ଦୁର୍ଘଟଣାରେ ଗୋଟିଏ ବାଘର ମୃତ୍ୟୁ ହୋଇଛି । ଏଥିସହ ବର୍ତ୍ତମାନ ରାଜ୍ୟରେ ୩୦ଟି ମହାବଳ ବାଘ ଥିବାବେଳେ, ୬୯୬ଟି କଲରାପତରିଆ ବାଘ ଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ ।