ଅପପୁଷ୍ଟିର ମୁକାବିଲା ପାଇଁ : ସାମ୍‌-ଏସ୍‌ଏଏମ୍ ପରିଚାଳନାକୁ ସୁଦୃଢ କରିବା ଏବଂ ସ୍ୱାସ୍ଥ୍ୟ, ସ୍ୱଚ୍ଛତା ଓ ଶିକ୍ଷାକୁ ପ୍ରୋତ୍ସାହିତ କରିବାରେ ଗଣମାଧ୍ୟମର ଭୂମିକା ଉପରେ ଆଲୋଚନା

ମାଲକାନଗିରି : ୟୁନିସେଫ୍ ଏବଂ ଜିଲ୍ଲା ସାମାଜିକ କଲ୍ୟାଣ ବିଭାଗର ମିଳିତ ସହଯୋଗରେ ମାଲକାନଗିରିିରେ ଅତିଶୟ ପୃଷ୍ଟିହୀନ (ସାମ୍‌-ଏସ୍‌ଏଏମ୍‌)ପରି ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ପାଇଁ ଏକ ମିଡିଆ ରାଉଣ୍ଡ୍ ଟେବୁଲ୍ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ନୀତି ନିର୍ମାତା ଏବଂ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଏକତ୍ରିତ ହୋଇଥିଲେ। ଗଣମାଧ୍ୟମ ପ୍ରତିନିଧିଙ୍କୁ ଏହି ବିଷୟରେ ସଚେତନ କରାଇବା ଏବଂ ଅଞ୍ଚଳରେ ଅପପୃଷ୍ଟିର ମୁକାବିଲା ପାଇଁ ଜନସଚେତନତା ବଢାଇବା ସହିତ ସମ୍ପ୍ରଦାୟର ଯୋଗଦାନକୁ ପ୍ରୋତ୍ସାହିତ କରିବାରେ ସେମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ଥିଲା । ଜିଲ୍ଲାରେ ବର୍ତ୍ତମାନ ସମୟର ଅପପୃଷ୍ଟି ଜନିତ ବାସ୍ତବିକତାକୁ ସଂକ୍ଷିପ୍ତରେ ଆଲୋଚନା କରାଯାଇ ଅଧିବେଶନକୁ ଆରମ୍ଭ କରାଯାଇଥିଲା ଏବଂ ସଠିକ୍ ସାମ୍‌-ଏସ୍‌ଏଏମ୍ ପରିଚାଳନା ଉପରେ ଗୁରୁତ୍ୱାରୋପ ମଧ୍ୟ କରାଯାଇଥିଲା।
ମାଲକାନଗିରି ଡିଏସ୍‌ଡବ୍ଲୁ ଟେରୋସ୍କୋଭା ମଲ୍ଲିକ୍ କାର୍ଯ୍ୟକ୍ରମକୁ ଆରମ୍ଭ କରି କହିଥିଲେ, “ଅପପୃଷ୍ଟିର ମୁକାବିଲା କରିବା ପାଇଁ ସ୍ଥାୟୀ ଏବଂ ପ୍ରଭାବଶାଳୀ ସମାଧାନ ସୃଷ୍ଟି କରିବା ଆମର ଲକ୍ଷ୍ୟ । ମାଲକାନଗିରିରେ ଅତିଶୟ ଅପପୃଷ୍ଟି ଏକ ଗୁରୁତର ସମସ୍ୟା ରହିଛି, ଯେଉଁଠି ପ୍ରାୟ ୪୬% ପିଲା ବୟସ ଅନୁଯାୟୀ ଉଚ୍ଚତା କମ୍‌, ୧୯% ପିଲା ଉଚ୍ଚତା ଅନୁଯାୟୀ ଓଜନ କମ୍ ଏବଂ ୫୨% ପିଲା ବୟସ ଅନୁଯାୟୀ ଓଜନ କମ୍ (ଏନ୍‌ଏଫ୍‌ଏଚ୍‌ଏସ୍‌-୫)ର ଶିକାର ହୋଇଛନ୍ତି। କେବଳ ମିଳିିତ ପ୍ରୟାସ, ସମ୍ପ୍ରଦାୟ ଭିତ୍ତିକ କାର୍ଯ୍ୟକ୍ରମ ଏବଂ ସଚେତନତା ଅଭିଯାନ ମାଧ୍ୟମରେ ଆମେ ସବୁଠାରୁ ଅସୁରକ୍ଷିତ ଜନସାଧାରଣଙ୍କ ପାଖରେ ପହଁଞ୍ଚିପାରିବା।”
ଏହି ପ୍ରୟାସରେ, ସାମ୍‌-ଏସ୍‌ଏଏମ୍ ପରିଚାଳନା ପାଇଁ ସଚେତନତା ବଢାଇବା ଏବଂ ଏହାକୁ ମୁକାବିଲା କରିବାର ଆବଶ୍ୟକତାକୁ ଉପସ୍ଥାପନ କରିବାରେ ଗଣମାଧ୍ୟମ ଶକ୍ତିଶାଳୀ ଭୂମିକା ଗ୍ରହଣ କରିପାରିବ। ଗଣମାଧ୍ୟମ ସହଯୋଗରେ ଆମେ ମାଲକାନଗିରିରେ ଅପପୃଷ୍ଟି ହ୍ରାସ କରିବାରେ ଅଗ୍ରଗତି କରିପାରିବା ବୋଲି ମଲ୍ଲିକ୍ କହିଥିଲେ।
ୟୁନିସେଫ୍‌ର ପ୍ରତିନିଧିମାନେ ସାମ୍‌-ଏସ୍‌ଏଏମ୍ ର ପରିଚାଳନା ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ସୂଚନା ଦେବା ସହ ଜିଲ୍ଲା ସ୍ତରରେ ଯୋଜନା କାର୍ଯ୍ୟକାରୀ କରିବା ଏବଂ ଅପପୃଷ୍ଟିର ସଠିକ୍ ସମୟରେ ଚିହ୍ନଟ ଓ ଚିକିତ୍ସାର ଗୁରୁତ୍ୱ ବିଷୟରେ କହିଥିଲେ। ଶିକ୍ଷା ଏବଂ ପ୍ରତିରୋଧ ଉପରେ ବିଶେଷ ଧ୍ୟାନ ଦେଇ ଅପହଞ୍ଚ ଅଞ୍ଚଳରେ ସୂଚନା ପହଁଞ୍ଚାଇବାରେ ସ୍ଥାନୀୟ ଗଣମାଧ୍ୟମର ଭୂମିକା ଉପରେ ମଧ୍ୟ ସେମାନେ ଆଲୋକପାତ କରିଥିଲେ।
ୟୁନିସେଫ୍ ପୋଷଣ ବିଶେଷଜ୍ଞ ସୌରଭ ଭଟ୍ଟାଚାର୍ଯ୍ୟ ମାଲକାନଗିରିର ସାମ୍‌-ଏସ୍‌ଏଏମ୍ ପରିଚାଳନା କାର୍ଯ୍ୟକ୍ରମକୁ ସମର୍ଥନ କରିବାରେ ୟୁନିସେଫ୍‌ର ଭୂମିକା ବିଷୟରେ ସୂଚନା ଦେଇଥିଲେ, “ସାମ୍‌-ଏସ୍‌ଏଏମ୍ ର ମୁକାବିଲା କରିବାରେ ଓଡିଶା ସରକାରଙ୍କୁ ସମର୍ଥନ କରିବାକୁ ୟୁନିସେଫ୍ ପ୍ରତିଜ୍ଞାବଦ୍ଧ। ଏହାର ମକାବିଲା କରିବା ପାଇଁ ଯୋଜନା କରାଯାଇଥିବା ପଦକ୍ଷେପଗୁଡିକୁ ଆମେ କାର୍ଯ୍ୟକାରୀ କରୁଛୁ ଏବଂ ସ୍ଥାୟୀ ପରିବର୍ତ୍ତନ ଆଣିବା ପାଇଁ ସ୍ଥାନୀୟ ପ୍ରତିନିଧିମାନଙ୍କ ସହ ମିଳିତ ଭାବରେ କାର୍ଯ୍ୟ କରୁଛୁ।” ସେ ଏହା ମଧ୍ୟ କହିଥିଲେ ଯେ, ଗଣମାଧ୍ୟମର ସମର୍ଥନ ସହିତ, ଆମେ ଆଶା କରୁଛୁ ଏହି ସମସ୍ୟାକୁ ଲୋକଲୋଚନକୁ ଆଣିବା ସହ ଉନ୍ନତ ପୁଷ୍ଟିକର ଖାଦ୍ୟ ଓ ସ୍ୱାସ୍ଥ୍ୟ ଅଭ୍ୟାସ ଦିଗରେ ଲୋକଙ୍କୁ ଏକତ୍ରିତ କରିପାରିବୁ।
ଏହି କାର୍ଯ୍ୟକ୍ରମରେ ବିସ୍ତୃତ ଆଲୋଚନା ଏବଂ ପ୍ରଶ୍ନ-ଉତ୍ତର ଅଧିବେଶନ ମଧ୍ୟ ଆୟୋଜିତ ହୋଇଥିଲା, ଯେଉଁଠାରେ ଡିଏସ୍‌ଡବ୍ଲୁ ଏବଂ ୟୁନିସେଫ୍ ଟିମ୍ ସହ ଗଣମାଧ୍ୟମର ପ୍ରତିନିଧିମାନେ ସିଧାସଳଖ ଆଲୋଚନା କରିଥିଲେ।
ମାଲକାନଗିରିରେ ଶିଶୁ ଏବଂ ପରିବାରଗୁଡିକର ସ୍ୱାସ୍ଥ୍ୟ କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଏହି ମିଡିଆ ରାଉଣ୍ଡ୍ ଟେବୁଲ୍ ବୈଠକ ଏକ ପ୍ରମୁଖ ପଦକ୍ଷେପ, ଯାହା ଅପପୃଷ୍ଟିର ମୁକାବିଲା ତଥା ଓଡିଶାର ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।

nis-ad
Leave A Reply

Your email address will not be published.