ମାଲକାନଗିରି : ମାଲକାନଗିରି ଜିଲ୍ଳା କୋରୁକୋଣ୍ଡା ବ୍ଲକ ନିଲାକମ୍ବେରୁ ନିକଟ ଚିତାପାରି-୪ ଗାଁରେ କୁମ୍ଭୀର ଆତଙ୍କ। ଗତ କିଛି ଦିନ ହେବ ସ୍ଥାନୀୟ ଚିତାପାରି-୪ ଗାଁ ଅଞ୍ଚଳରେ ଥିବା ଏକ ପୋଖରୀରେ କୁମ୍ଭୀର ବୁଲୁଥିବା ଦେଖିବା ପରେ ଗ୍ରାମବାସୀ ଏବେ ଆତଙ୍କିତ ହୋଇ ପଡିଛନ୍ତି। କୁମ୍ଭୀର ଥିବା କେବଳ ଏକ ଗୁଜବ ନା ବାସ୍ତବିକ ତାହା ସନ୍ଦେହ ଘେରରେ ରହିଛି। କିଛି ଗ୍ରାମବାସୀ କୁମ୍ଭୀର ଥିବା କହୁଥିବା ବେଳେ ଆଉ କିଛି ଗ୍ରାମବାସୀ ଜାଣି ନଥିବା କହୁଛନ୍ତି।ଏମିତିରେ ଭୟଭୀତ କେତେକ ଗ୍ରାମବାସୀ ଏ ସମ୍ପର୍କରେ ତୁରନ୍ତ ବାଲିମେଳା ବନ ବିଭାଗକୁ ଜଣାଇଥିଲେ। ତେବେ ଖବର ପାଇବା ପରେ ବାଲିମେଳା ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି କୁମ୍ଭୀରକୁ ଦୀର୍ଘ ସମୟ ଧରି ଖୋଜାଖୋଜି କରିଥିଲେ।
ଶେଷରେ କୁମ୍ଭୀର ନ ମିଳିବାରୁ ସେଠାରେ ସତର୍କ ସୂଚନାଫଳକ ଲଗାଇଥିଲେ। ଏହାକୁ ଦୀର୍ଘ ଦିନ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଧା କୁମ୍ଭୀର ଠାବ ହୋଇପାରି ନାହି। ଯାହା ଦ୍ୱାରା ଚିତାପାରି-୪ ଗ୍ରାମ ସହ ପାଖ ଟୁନିବେଡା ଗ୍ରାମବାସୀ ମଧ୍ୟ ଭୟଭୀତ ଅଛନ୍ତି। ଖୁବ ଶୀଘ୍ର କୁମ୍ଭୀରକୁ ଠାବ କରି ଜନବସତି ଠାରୁ ଅନ୍ୟତ୍ର କୌଣସି ସୁରକ୍ଷିତ ସ୍ଥାନରେ ଛାଡ଼ିବା ନିମନ୍ତେ ଗ୍ରାମବାସୀ ମାନେ ବାଲିମେଳା ବନ ବିଭାଗ ନିକଟରେ ଦାବି କରିଛନ୍ତି।ଏନେଇ ବାଲିମେଳା ବନାଞ୍ଚଳ ଅଧିକାରୀ ଲିସମିତା କହଁରଙ୍କୁ ପଚାରିବାରୁ ଗ୍ରାମବାସୀଙ୍କ କହିବାନୁଯାୟୀ ଆମେ ଦୀର୍ଘ ସମୟ ଧରି କୁମ୍ଭୀରକୁ ଖୋଜାଖୋଜି କରିଥିଲୁ। ହେଲେ କୁମ୍ଭୀର ମିଳିନଥିଲା। ଯେହେତୁ ସେଠାରେ ୪ଟି ପୋଖରୀ ରହିଛି। ଯାହା କୁମ୍ଭୀର କେଉଁ ପୋଖରୀରେ ଅଛି କହିବା କଷ୍ଟକର। ପୋଖରୀର ପାଣି ଶୁଖାଇଲେ କୁମ୍ଭୀରକୁ ଧରିହେବ କିନ୍ତୁ ପାଣି ଶୁଖାଇଲେ ପୋଖରୀର ମାଛ ସବୁ ମରିଯିବେ ବୋଲି ରାଜି ହୋଇ ନଥିଲେ ଗ୍ରାମବାସୀ। କୁମ୍ଭୀର ଅଛି କି ନାହିଁ ସଠିକ ସୂଚନା ମିଳିଲେ ଆମେ ତାକୁ ଧରି ସୁରକ୍ଷିତ ସ୍ଥାନରେ ଛାଡିଦେବୁ ବୋଲି କହିଥିଲେ।