ଛାଡଖାଇ – ଆମିଷ ବଜାରରେ ଗ୍ରାହକଙ୍କ ଖଚାଖଚ୍ ଭିଡ, ବେପାରୀ ଖୁସ୍‌

ହିଞ୍ଜିଳିକାଟୁ : ସରିଛି ଧର୍ମ ଅର୍ଜନର ମାସ କାର୍ତ୍ତିକ । ମାସ ସାରା ଆମିଷ ବଜାର ଖାଁ ଖାଁ ରହିଥିବା ବେଳେ ଶନିବାର ପଡିଥିଲା ଛାଡଖାଇ ପର୍ବ। ଶନିବାର ତ ବହୁଲୋକ ଆମିଷ ଖାଇନଥାନ୍ତି । ତେବେ ରବିବାର ଜମିଛି ଛାଡକାଇରେ ଆମିଷ ବେପାର ।ହିଞ୍ଜିଳିକାଟୁ ପୌରାଞ୍ଚଳ ସମେତ ନିକଟବର୍ତ୍ତୀ ଗ୍ରାମାଞ୍ଚଳର ବିଭିନ୍ନ ଦେବୀ ପୀଠ ସମେତ ପିକନିକ୍ ହବ୍ ଭାବେ ପରିଚିତ କରେଇଶୁଣୀ ଓ ଘୋଡେଇଶୁଣୀ ପୀଠରେ ରବିବାର ଚାଲିଥିଲା ଭୋଜିଭାତର ଆସର । ହିଞ୍ଜିଳିକାଟୁ ପୌରାଞ୍ଚଳ ଅତ୍ୟାଧୁନିକ ଆମିଷ ବଜାରରେ ଗ୍ରାହକଙ୍କ ଲଗିଥିଲା ଲମ୍ବା ଲାଇନ । ଏପରିକି ହୋଟେଲ ବ୍ୟବସାୟୀ ମାନେ ଗ୍ରାହକଙ୍କ ଚାହିଦାକୁ ଆଖିଆଗରେ ରଖି ଦେଶୀ ଚିକେନ, ମାଟିହାଣ୍ଡି ମାଂସ, ଚିଙ୍ଗୁଡି, କଙ୍କଡା ଓ ଭଳିକି ଭଳି ମାଛର ବହୁ ରକମର ସ୍ପେଶାଲ ଆଇଟମ୍ ପ୍ରସ୍ତୁତ କରି ରଖିଥିବା ଦେଖିବାକୁ ମିଳିଥିଲା । ମାଛ ବ୍ୟବସାୟୀ ମାନେ ଛାଡଖାଇକୁ ଆଖିଆଗରେ ରଖି ପୋଖରୀ ନିଲାମ କରିବା ସହ ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶରୁ ଅଧିକ ପରିମାଣରେ ମାଛ କିଣି ଆଣିଥିବା ଦେଖିବାକୁ ମିଳିଥିଲା । ଛାଡଖାଇ ପାଇଁ ଦର ସେତେଟା ଅଧିକ ନଥିବାରୁ ଗ୍ରାହକ ମାନେ କିଛିଟା ଅଧିକ କିଣି ନେଉଥିବାର ଦେଖିବାକୁ ମିଳିଥିଲା । ରୋହି କିଲୋ ପିଛା ୧୬୦, ଭାକୁର ୧୮୦, ମଟନ ୭୫୦, ଚିଙ୍ଗୁଡି ୫୫୦, କଙ୍କଡା ୫ଶହରୁ ୭ଶହ, ଛୋଟ ଚିଙ୍ଗୁଡି ୨୮୦, ତେଲପିଆ ୧୩୦, ବ୍ରଏଲର ଚିକେନ ୨୫୦ ଏବଂ ଦେଶୀ ଚିକେନ ୭ଶହ ଟଙ୍କା ଦର ରହିଥିଲା । ରବିବାର ବେଶ ଭଲ ବ୍ୟବସାୟ ହୋଇଛି । ସବୁଦିନ ବିକ୍ରି ଯାହା ହେଉଥିଲା ବୁଧବାର ବିକ୍ରି ୨ଗୁଣା ଅଧିକ ହୋଇଛି ବୋଲି ସ୍ଥାନୀୟ ଅଞ୍ଚଳର ବହୁ ମାଛ ଓ ମାଂସ ବ୍ୟବସାୟୀ କହିଛନ୍ତି । ତେବେ ଅତ୍ୟାଧୁନିକ ଆମିଷ ବଜାର ରବିବାର ସନ୍ଧ୍ୟାରେ ରକ୍ତରଞ୍ଜିତ ହୋଇପଡିଥିବା ବେଳେ କୁକୁଡା, ଛେଳିର ଟୁକୁରା ଅଂଶ ସାଙ୍ଗକୁ ମାଛ କାତି ପଡି ପୁତ୍ତି ଗନ୍ଧମୟ ପରିବେଶ ସୃଷ୍ଟି ହୋଇଥିଲା । ୫୯ନଂ ଜାତୀୟ ରାଜପଥ ପାର୍ଶ୍ବ ତଥା ସ୍ଥାନୀୟ ପୌରାଞ୍ଚଳର ବଇଁଚବଣିଆ, ମାଣିକନଗର ଛକରେ ଅସ୍ଥାୟୀ ମାଛ ବଜାର ଗଢି ଉଠିଥିବା ବେଳେ ନିକଟବର୍ତ୍ତୀ ଗ୍ରାମାଞ୍ଚଳରେ ମଧ୍ୟ ମାଛ, ଚିକେନ ଓ ମଟନର ଅସ୍ଥାୟୀ ଦୋକାନ ମାନ ଗଢି ଉଠିଥିଲା ।

nis-ad
Leave A Reply

Your email address will not be published.