ରାଜ୍ୟବ୍ୟାପୀ କାର୍ଯ୍ୟ ବନ୍ଦ ଆନ୍ଦୋଳନ ଡାକରା ଦେଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ସଂଘ

ନଭେମ୍ବର ୧ରୁ ଠପ ହେବ ୧୦୮ ଆମ୍ବୁଲାନ୍ସ । ରାଜ୍ୟବ୍ୟାପୀ ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ। ଗଡିବନି ୧୩୦୦ ଆମ୍ବୁଲାନ୍ସ । ନୂତନ ଠିକା ସଂସ୍ଥା ଉଦ୍ଦେଶ୍ୟମୂଳକ ଭାବେ ୨୦୦ କର୍ମଚାରୀଙ୍କୁ କାର୍ଯ୍ୟରେ ନିୟୋଜିତ କରିନଥିବା ଅଭିଯୋଗ ହୋଇଛି । ସମଗ୍ର ରାଜ୍ୟରେ ୬ ହଜାର ଆମ୍ବୁଲାନ୍ସ କର୍ମଚାରୀ କାର୍ଯ୍ୟରତ ଥିଲେ ।

କାର୍ଯ୍ୟରତ ଥିବା ସମସ୍ତ କର୍ମଚାରୀଙ୍କୁ ନୂତନ କମ୍ପାନୀରେ ନିଯୁକ୍ତି ଦାବୀ କରିଛି ମହାସଂଘ । ଏନେଇ ୧୦୮ ଆମ୍ବୁଲାନ୍ସ କର୍ମଚାରୀ ମହାସଂଘ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ନୂତନ ଭାବେ ଟେଣ୍ଡର ନେଇଥିବା ଏମ୍ରି ଗ୍ରୀନ ହେଲଥ ସର୍ଭିସ ନାମକ ଏକ ଘରୋଇ କମ୍ପାନୀ ଗତ ୨୨ ତାରିଖରୁ ଓଡ଼ିଶାରେ ୧୦୮ ଆମ୍ବୁଲାନ୍ସ ଜରୁରୀ କାଳୀନ ସେବାକୁ ଠିକା ଭାବେ ଟେଣ୍ଡର ନେଇଛି ।

ସମସ୍ତ ଆମ୍ବୁଲାନ୍ସର କର୍ମଚାରୀଙ୍କୁ ଚଳିତ ଟେଣ୍ଡରରେ କାର୍ଯ୍ୟ କରାଇବା ପାଇଁ ନେଇଛି  । ଏହା ସହ ସେମାନଙ୍କ ଠାରୁ ୫୯୦ ଟଙ୍କା ଲେଖାଏଁ ଅନଲାଇନ ମାଧ୍ୟମରେ ଆଦାୟ କରି ନେଇଛି ସଂସ୍ଥା । ମାତ୍ର ଏହି ସଂସ୍ଥା ସବୁ ଜିଲ୍ଲାର ସଂଘରେ ଥିବା ଲିଡର ମାନଙ୍କୁ ଜାଣିଶୁଣି ଡ୍ୟୁଟି ଦେଉନାହିଁ କିମ୍ବା ନିଯୁକ୍ତି ଦେଉନାହିଁ ।

କାରଣ ପୂର୍ବରୁ ସଂସ୍ଥା ଦ୍ୱାରା ୧୦୮ ଆମ୍ବୁଲାନ୍ସ କର୍ମଚାରୀ ଶୋଷଣର ଶିକାର ହେଉଥିବାବେଳେ ମହାସଂଘର ଲିଡରମାନେ ଲଢ଼େଇ କରି କର୍ମଚାରୀମାନଙ୍କୁ ସୁରକ୍ଷା ଦେଇ ଆସିଛନ୍ତି । ତେଣୁ ନୂଆ ସଂସ୍ଥା ଏବେ ଏହି ଲିଡରମାନଙ୍କୁ ଅଣଦେଖା କରି କାର୍ଯ୍ୟରେ ନିୟୋଜିତ କରୁନାହିଁ । ଫଳରେ ବିଶୃଙ୍ଖଳା ସୃଷ୍ଟି ହୋଇଛି।

ଆସନ୍ତାକାଲି ସମସ୍ତ ୩୦ ଟି ଜିଲ୍ଲାର ଅଫ ଡ୍ୟୁଟି କର୍ମଚାରୀ ମାନଙ୍କୁ ନେଇ ଜିଲ୍ଳାପାଳ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ଦାବିପତ୍ର ପ୍ରଦାନ କରିବ । ଦାବୀ ପୂରଣ ନହେଲେ ଜିଲ୍ଲାରେ କାର୍ଯ୍ୟରତ 108 ଆମ୍ବୁଲାନ୍ସ ୩୦ ତାରିଖରେ ଗାଡ଼ିରେ ଥିବା GPS OFF କରି ରୋଗୀସେବା ଦିଆଯିବ । ଏହାପରେ ଆସନ୍ତା ୧ ତାରିଖରୁ ପ୍ରତ୍ୟେକ ଜିଲ୍ଲାରୁ ଆମ୍ବୁଲାନ୍ସ ଗାଡ଼ି ଛାଡି କାର୍ଯ୍ୟ ବନ୍ଦ ଆନ୍ଦୋଳନ କରାଯିବ ।

nis-ad
Leave A Reply

Your email address will not be published.