ଅପହୃତା ଯୁବତୀ ଉଦ୍ଧାର, ରଙ୍ଗିଲା ବାବାକୁ ପୋଲିସ କରୁଛି ଜେରା

ଢେଙ୍କାନାଳ : କଟକ ଜିଲ୍ଲାର  ତିଗିରିଆ ସୋମପଡା ଆଶ୍ରମରୁ ଭଣ୍ଡ ବାବାକୁ ଢେଙ୍କାନାଳ ପୋଲିସ ଉଠାଇ ଆଣିବା ପରେ ଭଣ୍ଡ ବାବାର ଖୋଲୁଛି ଗୋଟିଏ ପରେ ଗୋଟିଏ ଗୁମର । ଢେଙ୍କାନାଳ ସଦରଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଅପହରଣ ଅଭିଯୋଗ ହୋଇଥିବା ଯୁବତୀଙ୍କ ଘରକୁ ଯାଉଥିଲେ ଏହି ବାବା । ବିଗତ ସାତ ବର୍ଷ ହେବ ଯିବା ଆସିବା କରୁଥିଲେ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ଏପରିକି ବଶିକରଣ ମନ୍ତ୍ର ମାଧ୍ୟମରେ କୁଆଡେ ସମସ୍ତଙ୍କୁ ନିଜ ବଶରେ କରି ପାରୁଥିଲେ ଏହି ଭଣ୍ଡ ବାବା ।

ଗତକାଲି ଭଣ୍ଡ ବାବାକୁ ଆଶ୍ରମରୁ ଉଠାଇ ଆଣିବା ସମୟରେ ପୋଲିସ ଉପରେ ବି ବଶିକରଣ ମନ୍ତ୍ର ପ୍ରୟୋଗ କରାଯାଇଥିଲା ବୋଲି କହିଛନ୍ତି ଜଣେ ବରିଷ୍ଠ ପୋଲିସ ଅଧିକାରୀ । ଫଳରେ ପୋଲିସ ଯାହା ପଚରାଉଚରା କରିବା କଥା ଯେଉଁ ଢଙ୍ଗରେ ତଦନ୍ତ କରିବା କଥା ତାହା କେତେକାଂଶରେ ହୋଇପାରି ନଥିଲା ବୋଲି ଜଣାପଡିଛି । ଦଶ ବର୍ଷରୁ ଅଧିକ ସମୟ ଧରି ତିଗିରିଆ ସୋମପଡାରେ ଆଶ୍ରମ କରି ରହି ଆସୁଥିବା ଏହି ଭଣ୍ଡ ବାବାଙ୍କର ଅନେକ ଯୁବତୀଙ୍କ ସହ ଥିଲା ଖାସ୍ ଜଣାଶୁଣା । ଆଶ୍ରମକୁ ଘରର ସମସ୍ୟା, ସନ୍ତାନ ହେଉନଥିବା ମହିଳା, ବିଧବା ଦୋଷ ଥିବା କହି ବିଭିନ୍ନ ଯୁବତୀ ଓ ମହିଳାଙ୍କୁ ଆଶ୍ରମକୁ ଡାକୁଥିଲେ ଆବଶ୍ୟକ ପଡିଲେ ସେମାନଙ୍କ ଘରକୁ ବି ଯାଉଥିଲେ ରଙ୍ଗିଲା ବାବା କୈବଲ୍ୟ ଜାନି ।

ଯୁବତୀଙ୍କର ବାପା ଭାପୁର ଫାଣ୍ଡିରେ ଝିଅକୁ ଅପହରଣ କରାଯାଇଥିବା ନେଇ ଗତ ସାତ ତାରିଖରେ ଅଭିଯୋଗ କରିବା ପରେ ଏହି ଭଣ୍ଡ ବାବାକୁ ଗିରଫ କରିବା ପାଇଁ ପୋଲିସ ଏକ ଟିମ ଗଠନ କରିଥିଲା । ଢେଙ୍କାନାଳ ସଦର ଏସଡିପିଓ, ସଦର ଥାନା ଆଇଆଇସି, ଭାପୁର ଫାଣ୍ଡି ଅଧିକାରୀ ଓ ଗୋବିନ୍ଦପୁର ଫାଣ୍ଡି ଅଧିକାରୀ ମିଳିତ ଭାବେ ଏକ ଟିମ ଗଠନ କରି ତିଗିରିଆ ସୋମପଡା ସ୍ଥିତ ଆଶ୍ରମରୁ ରଙ୍ଗିଲା ବାବା କୈବଲ୍ୟ ଜାନିକୁ ଉଠାଇ ଆଣିଥିଲେ ଢେଙ୍କାନାଳ ପୋଲିସ । ବାବାକୁ ଧରିବାକୁ ଯାଇଥିବା ସମୟରେ ପୋଲିସ ହାତରେ ଲାଗିଥିଲା ରଙ୍ଗିଲା ବାବାର କଳା କାରନାମା ।

ବାବା କୈବଲ୍ୟ ଜାନିର ଗୋଟିଏ ଜିନ୍ସ ପ୍ୟାଣ୍ଟ୍ ଭିତରୁ ଅନେକ ଆପତ୍ତିଜନକ ସାମଗ୍ରୀ ପୋଲିସ ପାଇଥିଲା । ଏପରିକି ବାବା ବ୍ୟବହାର କରୁଥିବା କାର ଭିତରୁ ବଶିଭୂତ କରୁଥିବା ପ୍ରଚୁର ମନ୍ତୁରା ପାଣି ବୋତଲ ମିଳିଛି । ରଙ୍ଗିଲା ବାବାକୁ ଗିରଫ କରିବା ପରେ ଆଶ୍ରମରୁ ଅନ୍ୟଜଣେ ଯୁବତୀଙ୍କୁ ଏକ ପାସପୋର୍ଟ ଫଟୋ ମଧ୍ୟ ପୋଲିସ ହାତରେ ଲାଗିଛି । ଏପଟେ ଢେଙ୍କାନାଳରୁ ଅପହରଣ ହୋଇଥିବା ଯୁବତୀଙ୍କ ଘର ପାଖରୁ ଅନ୍ୟ ଜଣେ ଯୁବତୀ ମଧ୍ୟ ଚାରି ବର୍ଷ ପୂର୍ବରୁ ବାବାଙ୍କ ପାଖକୁ ଯାଉଥିଲେ ବୋଲି ପୋଲିସ ସୁତ୍ରରୁ ଜଣାପଡିଛି ।  କିନ୍ତୁ ଏବେ ସେ ବିବାହିତା ।

ଏଣୁ ବାବା ପୋଲିସ ହାତରେ ଧରା ପଡିବା ପରେ ନିଜକୁ ଏକ୍ସପୋଜ ନକରିବାକୁ ପୋଲିସକୁ କହିଛନ୍ତି ମହିଳା ଜଣଙ୍କ । ବାବା ବ୍ୟବହାର କରୁଥିବା କାର୍ କୁ ଜବତ କରିଛି ଢେଙ୍କାନାଳ ସଦରଥାନା ପୋଲିସ । ସଦରଥାନାରେ ଉଭୟ ଅପହୃତ ଯୁବତୀ ଓ ଭଣ୍ଡ ବାବାକୁ ଅଟକ ରଖି  ପୋଲିସ ପଚରାଉଚରା କରୁଛି । ଅନ୍ୟ ପଟରେ ଝିଅକୁ ଉଦ୍ଧାର କରି  ପରିବାରକୁ ହସ୍ତାନ୍ତର କରିବାକୁ ପରିବାର ପକ୍ଷରୁ ଆକୁଳ ନିବେଦନ କରିଛନ୍ତି ।

nis-ad
Leave A Reply

Your email address will not be published.