ଜାତିର ଜନକ ମହାତ୍ମା ଗାନ୍ଧିଜୀ ଓ ଶାନ୍ତିର ଶହୀଦ୍ ଲାଲ୍ ବାହାଦୂର ଶାସ୍ତ୍ରିଜୀଙ୍କ ଜିଲ୍ଲାସ୍ତରୀୟ ଜୟନ୍ତୀ ପାଳିତ

ସତ୍ୟ ଓ ଅହିଂସା ଗାନ୍ଧିଜୀଙ୍କର ଏକ ଅମୋଘ ଅସ୍ତ୍ର ଥିଲା-ଅତିରିକ୍ତ ଜିଲ୍ଲାପାଳ

ଛତ୍ରପୁର : ଆଜି ଗଞ୍ଜାମ ଜିଲ୍ଲା ସ୍ତରୀୟ ୧୫୫ ତମ ଜାତିର ଜନକ ମହାତ୍ମା ଗାନ୍ଧୀ ଓ ଶାନ୍ତିଦୂତ ଲାଲ୍ ବାହାଦୂରଶାସ୍ତ୍ରୀଙ୍କ ୧୨୦ ତମ ଜୟନ୍ତୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ବିଜ୍ଞାପିତ ଅଞ୍ଚଳ ପରିଷଦ ଛତ୍ରପୁର ମିଳିତ ଆନୁକୂଲ୍ୟରେ ପୋଲିସ୍ ପ୍ୟାରେଡ ପଡିଆ ନିକଟସ୍ଥ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ମହା ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ବାରା ପ୍ରାତଃ ୫ ଘ. ସମୟରେ ଡାକବାଜି ଯନ୍ତ୍ର ଦ୍ବାରା ଗାନ୍ଧିଜୀଙ୍କ ପ୍ରିୟ ଭଜନ ରଘୁପତି ରାଘବ ରାଜା ରାମ୍ ଗାନ କରାଯାଇ ସହର ପରିକ୍ରମା କରାଯାଇଥିଲା । ମାନ୍ୟବର ସାଂସଦ ବ୍ରହ୍ମପୁର ପ୍ରଦୀପ କୁମାର ପାଣିଗ୍ରାହୀ, ମାନ୍ୟବର ବିଧାୟକ ଛତ୍ରପୁର କୃଷ୍ଣଚନ୍ଦ୍ର ନାୟକ, ମାନନୀୟା ଅଧ୍ୟକ୍ଷା ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ମାନ୍ୟବର ଉପାଧ୍ୟକ୍ଷ ଜି. ପାପା ରାଓ, ଗଞ୍ଜାମ ଜିଲ୍ଲାପାଳ ଦିବ୍ଯ ଜ୍ଯୋତି ପରିଡା, ଉପ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ, ଅତିଥି ଅଧ୍ୟାପକ ଡ. ଭି.ରାଜେନ୍ଦ୍ର ରାଜୁ ଓ ଅନ୍ୟାନ୍ଯ ଲୋକ ପ୍ରତିନିଧି ତଥା ଅତିଥି ବୃନ୍ଦ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ପ୍ରଦୀପ ପ୍ରଜ୍ଜଳନ ପରେ ବିଶିଷ୍ଟ କଳାକାର ଗଣେଶ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଛତ୍ରପୁର କଳା ବିକାଶ କେନ୍ଦ୍ରର କଳାକାର ମାନଙ୍କ ଦ୍ବାରା ବୈଷ୍ଣବ ଜନତେ ସଙ୍ଗୀତ ପରିବେଷଣ କରାଯାଇଥିଲା । ସର୍ବଧର୍ମ ପ୍ରାର୍ଥନା ପଣ୍ଡିତ ମିହିର କୁମାର ତ୍ରିପାଠୀ ପବିତ୍ର ଶ୍ରୀମଦ୍ଭଗବତ ଗୀତା, ମହମ୍ମଦ ଏହେଶାନ୍ ରାଜ୍ ପବିତ୍ର କୋରାନ୍ ଓ ରେଭେଣ୍ଡର ସନ୍ତୋଷ ନାୟକଙ୍କ ଦ୍ବାରା ପବିତ୍ର ବାଇବେଲ ପାଠ କରାଯାଇଥିଲା ।


ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଅତିଥି ମାନଙ୍କ ପରିଚୟ ଓ ଉତ୍ସବ ପାଳନର ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇ ଥିଲେ । ମୁଖ୍ଯ ବକ୍ତା ତଥା ଅତିଥି ଅଧ୍ୟାପକ, ସାମ୍ବାଦିକତା ଓ ଗଣ ଯାଗାଯୋଗ ବିଭାଗ ଉତ୍କଳ ବିଶ୍ବବିଦ୍ୟାଳୟର ଡ. ଭି. ରାଜେନ୍ଦ୍ର ରାଜୁ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ, ସମାଜକୁ ଦିଗ୍ ଦର୍ଶନ ଦେବା ପାଇଁ ଅହିଂସାକୁ ଅସ୍ତ୍ର କରି ସମାଜକୁ ଆଗେଇ ନେବା ସହ ନାରୀର ତ୍ୟାଗ ଶକ୍ତି ଯୋଗୁଁ ମାନବ ସମାଜ ଆଜି ପ୍ରଗତି ପଥରେ ଆଗେଇ ଚାଲିଛି । ବିକଶିତ ଭାରତ, ବିକଶିତ ଓଡିଶା ସମସ୍ତ ଜନ ସାଧାରଣଙ୍କ ମନରେ ଗାନ୍ଧିଜୀଙ୍କ ଚିନ୍ତାଧାରା ପ୍ରସ୍ଫୁଟିତ କରିପାରିଛି । ଅତିରିକ୍ତ ଜିଲ୍ଲାପାଳ ସୁଧାଂଶୁ କୁମାର ଭୋଇ ଅଧ୍ଯକ୍ଷତା କରି ନିଜ ବକ୍ତବ୍ଯରେ ଗାନ୍ଧିଜୀଙ୍କ ଜୀବନାଦର୍ଶ ବିଷୟରେ ଚାରୋଟି ତଥ୍ୟ ବିଶଦ୍ ଭାବେ ବୁଝାଇଥିଲେ । ସତ୍ଯ ଓ ଅହିଂସା ଥିଲା ଗାନ୍ଧିଜୀଙ୍କର ଅମୋଘ ଅସ୍ତ୍ର । ଏହା ବ୍ୟତୀତ ନିଜ କାମ ନିଜେ କରିବା ଓ କାଲି ପାଇଁ ଅପେକ୍ଷା ନକରି ଆଜିର କାମ ଆଜି ହିଁ ସାରିଦେବା ଦ୍ବାରା ଜଣେ ଜୀବନରେ ସଫଳତା ଲାଭ କରିପାରିବ ବୋଲି ଛାତ୍ର ଛାତ୍ରୀ ମାନଙ୍କୁ ପ୍ରାଞ୍ଜଳ ଭାବେ ବୁଝାଇଥିଲେ ।
କାର୍ଯ୍ୟକ୍ରମରେ ଛତ୍ରପୁରର ବହୁ ବୁଦ୍ଧିଜୀବୀ, ଜନ ପ୍ରତିନିଧି, ସାମ୍ବାଦିକ ବନ୍ଧୁଗଣ, ସମାଜ ସେବୀ, ବିଦ୍ୟାଳୟ ଓ ମହା ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ତାଙ୍କର ବହୁମୂଲ୍ଯ ସମୟ ନଷ୍ଟକରି ଯୋଗ ଦେଇଥିବାରୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ସଂସ୍କୃତି ଅଧିକାରୀ ରବି ନାରାୟଣ ବେହେରା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ପରିଶେଷରେ ଗୁରୁ ଗଣେଶ ପଟ୍ଟନାୟକଙ୍କ ସଂଯୋଜନାରେ କଳା ବିକାଶ କେନ୍ଦ୍ର, ଓ ଗାନ୍ଧର୍ବ କଳା ନିକେତନ ବ୍ରହ୍ମପୁର ଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯାଇଥିଲା ।

nis-ad
Leave A Reply

Your email address will not be published.