ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି : ବିଧାୟକ ଉମା ମଲ୍ଲିକ

ଫୁଲବାଣୀ : ଜିଲ୍ଲା ପ୍ରଶାସନ କନ୍ଧମାଳ ଓ ଓଡ଼ିଶା ସରକାରଙ୍କର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନରେ ଆଜି ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ-୨୦୨୪ ମହାସମାରୋହର ସହିତ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ସକାଳେ ଯୋଗ ଶିବିର ଅନୁଷ୍ଠିତ ହେବା ସହିତ ବରିଷ୍ଠ ନାଗରିକଙ୍କ ସ୍ବାସ୍ଥ୍ୟ ପରୀକ୍ଷା, ଚକ୍ଷୁ ପରୀକ୍ଷା ଏବଂ ମାଗଣା ଔଷଧ ବଣ୍ଟନ ମଧ୍ୟ କରାଯାଇଛି । ଏହି ଯୋଗ ଶିବିର ରେ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ଉମା ଚରଣ ମଲ୍ଲିକ, କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡାଃ . ବିଜୟ କୁମାର ପଣ୍ଡା, ଅଧ୍ୟକ୍ଷା, ଫୁଲବାଣୀ ପୌର ପରିଷଦ ଶ୍ରୀମତୀ ପାୟଲ ବେହେରା, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ପି.ପଦ୍ମା,ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଯୋଗ ଦେଇଥିଲେ ।ଏହି ଦିବସ ପାଳନ ଅବସରରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମାନ୍ୟବର ଫୁଲବାଣୀ ବିଧାୟକ ଶ୍ରୀ ମଲ୍ଲିକ କହିଲେ, ସମାଜରେ ସଂସ୍କାରର ଅଭାବ ଦେଖାଯାଉଛି । ପ୍ରତ୍ୟେକ ବାପା ମା ନିଜର ପିଲାମାନଙ୍କୁ ଏଥିପାଇଁ ଶିକ୍ଷା ଦେବା ଉଚିତ୍। ଫଳରେ ସେମାନଙ୍କ ବୃଦ୍ଧାବସ୍ଥା ରେ ସେହି ପିଲାମାନେ ଯତ୍ନ ନେବାକୁ ସଂକୋଚ ପ୍ରକାଶ କରିବେ ନାହିଁ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ କହିଲେ, ସମାଜ ପ୍ରତି ବରିଷ୍ଠ ନାଗରିକ ମାନଙ୍କର ଅବଦାନ ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷାଦେବା ଉଚିତ୍। ସଭାପତି, ବରିଷ୍ଠ ନାଗରିକ ସଂଘ, ଫୁଲବାଣୀ ଶ୍ରୀ ସର୍ବେଶ୍ଵର ମିଶ୍ର କହିଲେ , ବରିଷ୍ଠ ନାଗରିକମାନେ ତାଙ୍କ ପରିବାର ତରଫରୁ ହେଉ ବା ଅନ୍ୟ କୌଣସି କାରଣରୁ ଅସୁବିଧାର ସମ୍ମୁଖୀନ ହେଲେ ତାଙ୍କ ସଂଘ ସହଯୋଗର ହାତ ବଢ଼ାଇବ। ସେହିପରି, ବରିଷ୍ଠ ନାଗରିକ ସଂଘର ଅନ୍ୟତମ ସଭାପତି କମଳାକାନ୍ତ ପାଣ୍ଡେ ବରିଷ୍ଠ ନାଗରିକଙ୍କ ମଙ୍ଗଳ ପାଇଁ ସଂଘ ଦ୍ୱାରା ବିଭିନ୍ନ ସମୟରେ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ରାଜ୍ୟ ସରକାରଙ୍କ ଦ୍ୱାରା ବରିଷ୍ଠ ନାଗରିକ ମାନଙ୍କ ପାଇଁ କାର୍ଯ୍ୟକାରୀ କରାଯାଉଥିବା ଯୋଜନା ସମ୍ପର୍କରେ ସୂଚନା ଦେବା ସହିତ ସେମାନଙ୍କୁ ସେବା ଯୋଗାଇଦେବା ପାଇଁ ସମସ୍ତ ପ୍ରକାର ସହଯୋଗ କରିବେ ବୋଲି କହିଥିଲେ। ବିଭିନ୍ନ କ୍ଷେତ୍ରରେ ଶ୍ରେଷ୍ଠତ୍ୱ ଅର୍ଜନ କରିଥିବା ବରିଷ୍ଠ ନାଗରିକମାନଙ୍କୁ ଅତିଥିମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା।
ଏହି ଅବସରରେ ବିଶିଷ୍ଠ ସମାଜସେବୀ ତଥା ସାମ୍ବାଦିକ ଅଶୋକ ପରିଡା, ବରିଷ୍ଠ ନାଗରିକ ତଥା ସାମ୍ବାଦିକ ଶ୍ରୀ ନାରାୟଣ ସାହୁଙ୍କୁ ବିଭିନ୍ନ ସମାଜ ସେବା ଓ କ୍ରୀଡ଼ାବିତ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି ।
ସେହିପରି ବରିଷ୍ଠ ସାମ୍ବାଦିକ ତଥା ରକ୍ତଦାତା ପ୍ରଶାନ୍ତ କୁମାର ବେହେରା ୧୭୦ ଥର ରକ୍ତ ଦାନ କରି ଥିବାରୁ ତାଙ୍କୁ ମଧ୍ଯ ଏହି ଅବସରରେ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇ ଥିଲା l ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଶ୍ରୀ ଅକ୍ଷୟ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।ଆଜିର ଏହି ବୈଠକରେ ଉପ ଆରକ୍ଷୀ ଅଧୀକ୍ଷକ, ଫୁଲବାଣୀ ଶ୍ରୀ ସର୍ବେଶ୍ୱର ବେହେରା, ଅତିରିକ୍ତ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ର ପ୍ରତିନିଧିମାନେ ଯୋଗ ଦେଇଥିଲେ।

nis-ad
Leave A Reply

Your email address will not be published.