ସ୍ୱାଧୀନତା ସଂଗ୍ରାମୀ ରଘୁନାଥ ପଣ୍ଡାଙ୍କ ଜୟନ୍ତୀ ପାଳନ

ବ୍ରହ୍ମପୁର : ଗାନ୍ଧିଜୀଙ୍କ ଡାକରାରେ ଅନୁପ୍ରାଣିତ ହୋଇ ବ୍ରିଟିଶ ବିରୋଧୀ ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ତଥା ଆସିକା ଅଂଚଳରେ ମୁସ୍ତାଧାରୀ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ଲଢେଇ କରିଥିବା ଚାଷୀ ନେତା ସାଥି ରଘୁନାଥ ପଣ୍ଡାଙ୍କ ୧୦୭ତମ ଜୟନ୍ତୀ ସ୍ଥାନୀୟ ଗିରି ରୋଡ଼ ସ୍ଥିତ ପାଢ଼ୀ ସେଲିବ୍ରେସନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଆଇନଜୀବୀ ଅବନୀ ଗୟା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟଅତିଥି ଭାବେ ଆସିକା କଲେଜ ଇତିହାସ ବିଭାଗର ପୂର୍ବତନ ପ୍ରଫେସର କାର୍ତ୍ତିକ ଚନ୍ଦ୍ର ରାଉତ, ମୁଖ୍ୟ ବକ୍ତା ଭାବେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନର ପୂର୍ବତନ ପ୍ରଫେସର ବିଷ୍ଣୁ ଚରଣ ଚୌଧୁରୀ,ସମ୍ମାନିତ ଅତିଥି ଭାବେ ଗଞ୍ଜାମ ବାର ଏସୋସିଏସନର ପୂର୍ବତନ ସଭାପତି ବରିଷ୍ଠ ଆଇନଜୀବୀ ଭଗବାନ ସାହୁ, ଓମ ଲଫିଙ୍ଗ କ୍ଲବର ସଭାପତି ଦେବରାଜ ଦାଶ ମଂଚାସୀନ ଥିଲେ l ସଭା କାର୍ଯ୍ୟ ପ୍ରାରମ୍ଭରେ ସାଥି ରଘୁନାଥ ପଣ୍ଡାଙ୍କ ଫୋଟ ଚିତ୍ରରେ ମାଲ୍ୟାର୍ପଣ କରି ବୈପ୍ଲବିକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ୧୯୩୧ମସିହାରୁ ମହାତ୍ମା ଗାନ୍ଧିଜୀ ଙ୍କ ଡାକରାରେ ବ୍ରିଟିଶକୁ ତଡିବା ପାଇଁ ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ ବି କେବଳ ବ୍ରିଟିଶ ଏ ଦେଶରୁ ଗଲେ ହେବ ନାହିଁ ତାସହ ସାମନ୍ତବାଦୀ ବ୍ୟବସ୍ଥା, ଜମିଦାରୀ ପ୍ରଥା, ମୁସ୍ତାଦାରୀ ପ୍ରଥାକୁ ମଧ୍ୟ ବିଲୋପ କରିବାକୁ ହେବ ବୋଲି ରଘୁନାଥ ପଣ୍ଡା ହୃଦବୋଧ କରି ୧୯୩୩ମସିହାରେ କମ୍ୟୁନିଷ୍ଟ ପାର୍ଟିରେ ଯୋଗ ଦେଇଥିଲେ l ଜମିଦାର ମାନଙ୍କ ଅଧୀନରେ ଥିବା ହଜାର ହଜାର ଏକର ଜମି ଉପରେ ଭୂମିହୀନ ରୟତ ମାନଙ୍କ ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ବିରାଟ ଚାଷୀ ଆନ୍ଦୋଳନରେ ସାଥି ରଘୁନାଥ ପଣ୍ଡାଙ୍କ ବଳିଷ୍ଠ ଭୂମିକା ରହିଥିଲା l ତତ୍କାଳୀନ ସରକାର ଅଟକ ଆଇନ ପ୍ରୟୋଗ କରି ରଘୁନାଥ ବାବୁଙ୍କ ସମେତ ବହୁ ବାମପନ୍ଥୀ ଚାଷୀ ନେତାଙ୍କୁ ଗିରିଫ କରିଥିଲେ l ଏହି ସଂଘର୍ଷ ମଧ୍ୟରେ ଓଡ଼ିଶାରେ ପ୍ରଥମେ ଆସିକା ଠାରେ ବିରାଟ କୃଷକ ସମ୍ମିଳନୀ କରାଇବାରେ ଅନ୍ୟତମ ସାଥି ରଘୁନାଥ ପଣ୍ଡାଙ୍କ ଭୂମିକା ଥିଲା l ଏତଦସହ ତାଙ୍କ ପ୍ରଚେଷ୍ଟାରେ ୧୯୬୨ମସିହାରେ ଗୁଣ୍ଠପଡା ଠାରେ ହାଇସ୍କୁଲ ପ୍ରତିଷ୍ଠା ହେବାସହ ୧୯୭୧ରୁ ୧୯୭୬ ଆସିକାର ଗୁଣ୍ଠପଡା ପଂଚାୟତର ସରପଞ୍ଚ ଥିବା ବେଳେ ଗୁଣ୍ଠପଡା କେନାଲ, ମଙ୍ଗଳପୁର କେନାଲ, ସୁମନ୍ତପଲ୍ଲୀ କେନାଲ, କଦମ୍ବା ଘାଇ, ଟୁଣିଆଁ ନାଳ ଆଦି ନିର୍ମାଣ କରି ଚାଷଜମିକୁ ଜଳସେଚନ ବ୍ୟବସ୍ଥା କରିଥିଲେ l ପଂଚାୟତର ଅଧିକାଂଶ ଗାଁ କୁ ରାସ୍ତା ନିର୍ମାଣ କରି ଯାତାୟାତର ବହୁ ସୁବିଧା କରିଥିଲେ ରଘୁନାଥ ପଣ୍ଡା l ତାଙ୍କ ଭଳି ତ୍ୟାଗୀ, ନିସ୍ଵାର୍ଥପର ଦେଶ ସେବକ ମିଳିବା ଅତ୍ୟନ୍ତ ବିରଳ l ଆଜିର ସଭାରେ ଅନ୍ୟ ମାନଙ୍କ ମଧ୍ୟରେ ବିଶିଷ୍ଟ କବି ପ୍ରଫୁଲ୍ଲ କୁମାର ମହାପାତ୍ର,କୃଷକ ସଂଗଠନ ନେତା ଗୋପାଳ ପାଣିଗ୍ରାହୀ,ପୀତବାସ ମହାପାତ୍ର, ବିଦେଶୀ ନାହାକ,ମାନବ ଅଧିକାର ସୁରକ୍ଷା ମଞ୍ଚର ସଭାପତି ଗଗନ ଚନ୍ଦ୍ର ମଲ୍ଲିକ,ରବୀନ୍ଦ୍ର ପଣ୍ଡା, ସୁରେନ୍ଦ୍ର ନାଥ ପଣ୍ଡା, ଅରୁଣ ପ୍ରସାଦ ପଣ୍ଡା, ବିଘ୍ନେଶ୍ୱର ସାହୁ, ମନୋଜ କୁମାର ମହାପାତ୍ର, ଲକ୍ଷ୍ମୀକାନ୍ତ ଦାଶ, ନରସିଂହ ପ୍ରସାଦ ପାଢ଼ୀ,ଚିନ୍ମୟୀ ପଣ୍ଡା,ମମତାଞ୍ଜଳି ରଥ,ଆଶାକିରଣ ପଣ୍ଡା, ଏସ. କେଶବ ଲିଙ୍ଗମ,ପ୍ରମୁଖ ଶତାଧିକ ବ୍ୟକ୍ତି ଯୋଗଦେଇଥିଲେ l ଶେଷରେ ସୁରେନ୍ଦ୍ର ମହାପାତ୍ର ଧନ୍ୟବାଦ ଜଣାଇଥିଲେ l

nis-ad
Leave A Reply

Your email address will not be published.