କେରଳରୁ ଦାଦନ ଶ୍ରମିକଙ୍କ ମରଶରୀର ଆଣିବାରେ ପଦାରେ ପଡ଼ିଲା ସାଂସଦଙ୍କ ମିଛ ପ୍ରଚାର

ବାଲିଗୁଡା : ପଦାରେ ପଡ଼ିଲା କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀଙ୍କ ମିଛ ବାହାବା । କେରଳରୁ ଦାଦନ ଶ୍ରମିକଙ୍କ ମର ଶରୀର ଆଣିବାରେ ସାଂସଦଙ୍କ ସହାୟତା ମିଛ । କୌଣସି ସହାୟତା ମିଳିନଥିବା ବେଳେ ଶବ ଆଣିବାରେ ମଧ୍ୟ ସାଂସଦ କୌଣସି ସହାୟତା କରିନଥିବା କହିଛନ୍ତି ମୃତକଙ୍କ ପରିବାର ଲୋକେ । ଘଟଣା ପ୍ରକାରେ ବାଲିଗୁଡ଼ା ଥାନା ଅନ୍ତର୍ଗତ ବାରଖମା ଗ୍ରାମର ବିଜନ ଚନ୍ଦ୍ର ମଲ୍ଲିକ ପରିବାର ପ୍ରତିପୋଷଣ ପାଇଁ କେରଳ ଯାଇଥିଲେ । କେରଳର ପେରାମବାବୁ ଅଞ୍ଚଳର ଏକ ପ୍ଲାଷ୍ଟିକ କମ୍ପାନୀରେ କାମ କରୁଥିଲେ । ସେଠାରେ ବିଜନ ଚନ୍ଦ୍ର ମଲ୍ଲିକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ଗତ ଜୁଲାଇ ୩୦ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା । ସେଠାରେ ଥିବା ବିଜନ ଚନ୍ଦ୍ରଙ୍କ ସାନପୁଅ ରୋହନ କୁମାର ମଲ୍ଲିକ ଓ ଶଳା ରମେଶ ଦିଗାଳ ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଗାଁ ଲୋକଙ୍କ ନିକଟରୁ ଧାର ଉଧାର କରି କିଛି ଟଙ୍କା ପଠାଇଥିବା ବେଳେ ପୁଅ ରୋହନ କୁମାର ମଲ୍ଲିକ ଓ ଶଳା ରମେଶ ଦିଗାଳ ସେଠାରୁ କିଛି ଟଙ୍କା ଯୋଗାଡ଼ କରି ବିମାନ ଯୋଗେ କେରଳରୁ ଭୁବନେଶ୍ବର ଏବଂ ଭୁବନେଶ୍ବରରୁ ବାରଖମା ଏକ ଆମ୍ବୁଲାନ୍ସରେ ମରଶରୀରକୁ ଗାଁ କୁ ଆଣିଥିଲେ । କିନ୍ତୁ ବିଜନ ଚନ୍ଦ୍ରଙ୍କ ମର ଶରୀର ଆଣିବାରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ସହଯୋଗ କରିଥିବା କିଛି ଗଣମାଧ୍ୟମରେ ଖବର ପ୍ରକାଶିତ ହୋଇଥିଲା । ଘଟଣା ସମ୍ପର୍କରେ ପରିବାର ଲୋକେ ସାମାଜିକ ଗଣମାଧ୍ୟମରୁ ଜାଣିବା ପରେ କ୍ଷୋଭ ପ୍ରକାଶ କରିଛନ୍ତି । ସାଂସଦ ଆମକୁ କିଛି ସହଯୋଗ କରିନାହାନ୍ତି କିମ୍ବା ଏପର୍ଯ୍ୟନ୍ତ କୌଣସି ସରକାରୀ ସହାୟତା ମଧ୍ୟ ଆମକୁ ମିଳିନାହିଁ ବୋଲି ମୃତ ବିଜନ ଚନ୍ଦ୍ରଙ୍କ ଦୁଇ ପୁଅ ଓ ସ୍ତ୍ରୀ ଅଭିଯୋଗ କରିଛନ୍ତି।

nis-ad
Leave A Reply

Your email address will not be published.