ଡିପଥେରିଆକୁ ନେଇ ମାଲକାନଗିରିରେ ଆତଙ୍କ

ମାଲକାନଗିରି: ମାଲକାନଗିରିରେ ଚିହ୍ନଟ ହେଲା ଡିପଥେରିଆ। ଡିପଥେରିଆ ରୋଗକୁ ନେଇ ମାଲକାନଗିରିରେ ଆତଙ୍କ।ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକର ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ବ୍ୟାପିଛି ଡିପଥେରିଆ ରୋଗ। ଗତ ୧୩ ତାରିଖରେ ଚତୁର୍ଥ ଶ୍ରେଣୀ ଛାତ୍ର ଶିବ ମାଡକାମୀ(୧୧)ଙ୍କ ଠାରୁ ଚିହ୍ନଟ ହେଲା ଏହି ଡିପଥେରିଆ। ଶିବଙ୍କୁ ପ୍ରଥମେ ଜ୍ବର ହେବା ପରେ ସେ ଗୁରୁତର ହୋଇଯାଇଥିଲେ। ତୁରନ୍ତ ତାଂକୁ ମାଲକାନଗିରି ମେଡିକାଲରେ ଚିକିତ୍ସା ପରେ କୋରାପୁଟ ବଡ ମେଡିକାଲ କଲେଜକୁ ସ୍ଥାନାନ୍ତରିତ କରାଯାଇଥିଲା।

କୋରାପୁଟରେ ତାଂକ ରକ୍ତ ନମୂନାରୁ ଡିପଥେରିଆ ଚିହ୍ନଟ ହୋଇଥିଲା। ତାଂକର ଚିକିତ୍ସିତ ଅବସ୍ଥାରେ ଗତ ୧୮ ତାରିଖରେ ମୃତ୍ୟୁ ହୋଇଯାଇଛି। ଏହା ପରେ ପୁଣି ଜଣେ ଛାତ୍ର ଅସୁସ୍ଥ ହୋଇଥିଲେ। ସେ ହେଉଛନ୍ତି ପିଙ୍କୁ ପଡିଆମି(୧୨) ଚତୁର୍ଥ ଶ୍ରେଣୀର ଛାତ୍ର।ତାଂକୁ ମାଲକାନଗିରିରେ ଚିକିତ୍ସା କରାଯିବା ପରେ ଡାଟ୍ ଇଂଜେକ୍ସନ ନଥିବାରୁ ତୁରନ୍ତ ତାଂକୁ କୋରାପୁଟ ସ୍ଥାନାନ୍ତର କରାଯାଇଛି। ସେ ବର୍ତ୍ତମାନ କୋରାପୁଟ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।

ଏହି ଘଟଣା ପରେ ଡବ୍ଲୁ ଏଚଓର ଏକ ମେଡିକାଲ ଟିମ ଚିତ୍ରାଙ୍ଗପାଲୀ ପଞ୍ଚାୟତର ତଙ୍ଗଗୁଡା ଆବାସିକ ବିଦ୍ୟାଳୟରେ ପହଞ୍ଚି ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା କରାଇବା ସହ ୬ ଜଣଙ୍କର ରକ୍ତ ନମୂନା ସଂଗ୍ରହ କରିଛି।
ସେମାନଙ୍କୁ ଡାକ୍ତରଙ୍କ ନଜରରେ ରଖାଯାଇଛି। ଆଜି ସରକାରଙ୍କ ନିର୍ଦେଶକ୍ରମେ ପରିବାର କଲ୍ୟାଣ ନିର୍ଦେଶାଳୟ ଏକ ଏମ୍ୟୁନାଇଜେସନ ବିଶେଷଜ୍ଞ ଟିମ ମାଲକାନଗିରି ଓ କୋରାପୁଟ ମେଡିକାଲ କଲେଜକୁ ଆସୁଛନ୍ତି। ସେମାନେ ରବିବାର ତଙ୍ଗଗୁଡା ସେବାଶ୍ରମରେ ପହଞ୍ଚିବା ସହ ରୋଗର କାରଣ ଖୋଜିବେ। ଏଥିସହ ସ୍କୁଲରେ ପହଞ୍ଚି ରୋଗୀଙ୍କ ଚିକିତ୍ସା ସଂପର୍କରେ ଅନୁଧ୍ୟାନ କରିବେ। ଏହି ଘଟଣା ପରେ ଅଭିଭାବକ ମହଲରେ ଭୟର ବାତାବରଣ ଖେଳିଯାଇଛି।

ରାଜ୍ୟ ସରକାରଙ୍କ ନିର୍ଦେଶକ୍ରମେ ରାଜ୍ୟସ୍ତରୀୟ ମେଡିକାଲ ଟିମ ଓ ଡବ୍ଲୁଏଓର ତଦନ୍ତ ପରେ ହିଁ ଏହା କିପରି ବ୍ୟାପିଲା ତାହା ଜଣାପଡିବ ବୋଲି କୁହାଯାଇଛି। ବିଦ୍ୟାଳୟର ଅନ୍ୟପିଲମାନଙ୍କୁ ଡାକ୍ତର ଚିକିତ୍ସିତ କରୁଛନ୍ତି। ଜିଲ୍ଲା ମେଡିକାଲ ତରଫରୁ ଏହାର ତନାଘନା ଚାଲିଛି। ସ୍ଥିତି ସୁଧୁରୁଥିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କହିଛି। ବର୍ତ୍ତମାନ ଜିଲ୍ଲା ମେଡିକାଲରେ ଡାଟ୍ ଇଂଜେକ୍ସନ ଆସିଛି। ତେଣୁ ଭୟ କରିବାର କୌଣସି କାରଣ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି।

nis-ad
Leave A Reply

Your email address will not be published.