ଦକ୍ଷିଣ ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ପ୍ରୋତ୍ସାହନ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ବ୍ୟାପକ ପ୍ରଚାର ପ୍ରସାର ଅଭିଯାନ

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ସୌର ଶକ୍ତି ବ୍ୟବହାରକୁ ବଢ଼ାଇବା ପାଇଁ ସମଗ୍ର ଦକ୍ଷିଣ ଓଡ଼ିଶାରେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାକୁ ସକ୍ରିୟ ଭାବେ ପ୍ରୋତ୍ସାହିତ କରୁଛି। ଲୋକଙ୍କୁ ସୁଲଭ ସୌର ଶକ୍ତି ଯୋଗାଇବା ସହିତ ଏକ ସ୍ଥାୟୀ, ସବୁଜ ଭବିଷ୍ୟତ ଗଢ଼ିବା ହେଉଛି ଏହି ସରକାରୀ ଯୋଜନାର ଉଦ୍ଦେଶ୍ୟ। ବୌଦ୍ଧ, ଜୟପୁର (କୋରାପୁଟ), ରାୟଗଡ଼ା, ମାଲକାନଗିରି, ଗଞ୍ଜାମ, ଗଜପତି, ନବରଙ୍ଗପୁର ଓ କନ୍ଧମାଳ ଜିଲ୍ଲାରେ ଷ୍ଟଲ୍, ଆଉଟରିଚ୍ କାର୍ଯ୍ୟକ୍ରମ ଏବଂ ବିକାଶ ମେଳାରେ ଅଂଶଗ୍ରହଣ ମାଧ୍ୟମରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଏନେଇ ବ୍ୟାପକ ପ୍ରଚାର ପ୍ରସାର କରାଯାଉଅଛି।

ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନାରେ ଉପଭୋକ୍ତା ନିଜ ଘରେ ୩ କିଲୋୱାଟ କ୍ଷମତା ପର୍ଯ୍ୟନ୍ତ ସୌର ପ୍ୟାନେଲ ସ୍ଥାପନ କରିପାରିବେ, ଯାହା ଫଳରେ ମାସିକ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ ସଞ୍ଚୟ ହୋଇପାରିବ। ଏହି ଯୋଜନାରେ ସରକାରୀ ସବସିଡି ମିଳିବା ସହ ୭୮ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ମିଳେ। ଯାହା ଦ୍ୱାରା ସବୁ ବର୍ଗର ଉପଭୋକ୍ତାଙ୍କ ପାଇଁ ସୌର ଶକ୍ତି ଉପଲବ୍ଧ ହେବ। ଟିପିଏସ୍ଓଡିଏଲ୍ ଏହି ପଦକ୍ଷେପ ମାଧ୍ୟମରେ ଲୋକମାନଙ୍କୁ ଯୋଜନାର ଲାଭ ବିଷୟରେ ସଚେତନ କରିବା ଏବଂ ସୋଲାର ପ୍ୟାନେଲ ସ୍ଥାପନ ପ୍ରକ୍ରିୟାରେ ସେମାନଙ୍କୁ ମାର୍ଗଦର୍ଶନ କରିବା ଉପରେ ଗୁରୁତ୍ବ ଦେଉଅଛି।

ପ୍ରତ୍ୟେକ କାର୍ଯ୍ୟକ୍ରମରେ ଟିପିଏସ୍ଓଡିଏଲ୍ କର୍ମଚାରୀମାନେ ଏହି ଯୋଜନା ବିଷୟରେ ଉପଭୋକ୍ତାଙ୍କୁ ବିସ୍ତୃତ ସୂଚନା ଦେବା ସହ ଆବଶ୍ୟକୀୟ ସହାୟତା ପାଇଁ ଉପସ୍ଥିତ ଅଛନ୍ତି। ସୌର ପ୍ୟାନେଲ ସ୍ଥାପନର ବୈଷୟିକ ଏବଂ ଆର୍ଥିକ ଲାଭ ବୁଝାଇବା ପାଇଁ କର୍ମଚାରୀମାନେ ପ୍ରୟାସ କରୁଛନ୍ତି। ଉପଭୋକ୍ତାଙ୍କୁ ସୂଚନା ପତ୍ର ମଧ୍ୟ ଦିଆଯାଉଛି। ଯେଉଁଥିରେ ସୌର ଶକ୍ତି ଆପଣାଇବା ଦ୍ଵାରା ଉପଭୋକ୍ତାମାନେ କିଭଳି ଦୀର୍ଘକାଳୀନ ଭିତ୍ତିରେ ଅର୍ଥ ସଞ୍ଚୟ କରିପାରିବେ ଏବଂ ପରିବେଶ ସୁରକ୍ଷାରେ ଭାଗୀଦାର ହୋଇପାରିବେ, ସେ ସମ୍ପର୍କରେ ସବିଶେଷ ସୂଚନା ରହିଛି। ଟିପିଏସ୍ଓଡିଏଲ୍ ପ୍ରତିନିଧିମାନେ ଉପଭୋକ୍ତାଙ୍କୁ ଏହି ଯୋଜନାରେ ଆବେଦନ ପ୍ରକ୍ରିୟା ସମ୍ପର୍କରେ ବୁଝାଇବା ସହ ପଞ୍ଜୀକରଣରୁ ଆରମ୍ଭ କରି ସୋଲାର ପ୍ୟାନେଲ ସ୍ଥାପନା ପର୍ଯ୍ୟନ୍ତ ସମସ୍ତ ସହାୟତା ପ୍ରଦାନ କରନ୍ତି। ଯାହା ଫଳରେ ଉପଭୋକ୍ତାମାନେ ସୁବିଧାରେ ଏବଂ ସହଜରେ ସୌର ଶକ୍ତିକୁ ଆପଣାଇ ପାରିବେ।

ଏହି ପଦକ୍ଷେପ ସମ୍ପର୍କରେ ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ସ୍ୱଚ୍ଛ ଏବଂ ଅକ୍ଷୟ ଶକ୍ତି ଆପଣାଇବା ପାଇଁ ନାଗରିକଙ୍କୁ ସଶକ୍ତ କରିବା ଦିଗରେ ପିଏମ୍ ସୂର୍ଯ୍ୟ ଘର ମାଗଣା ବିଜୁଳି ଯୋଜନା ଏକ ବୈପ୍ଳବିକ ପଦକ୍ଷେପ। ଟିପିଏସ୍ଓଡିଏଲରେ ଆମେ ଗ୍ରାହକମାନଙ୍କୁ ସୌର ଶକ୍ତି ଆପଣାଇବା ପାଇଁ ଆବଶ୍ୟକୀୟ ସମସ୍ତ ସୂଚନା ଏବଂ ସମ୍ବଳ ପ୍ରଦାନ କରି ଏହି ପରିବର୍ତ୍ତନକୁ ସାକାର କରିବା ଦିଗରେ ପ୍ରତିବଦ୍ଧ । ସେମାନଙ୍କର କାର୍ବନ ଫୁଟପ୍ରିଣ୍ଟ ହ୍ରାସ କରିବା ଏବଂ ଦକ୍ଷିଣ ଓଡ଼ିଶା ପାଇଁ ଏକ ସ୍ଥାୟୀ ଭବିଷ୍ୟତ ନିର୍ମାଣରେ ଭାଗୀଦାର ହେବା ହେଉଛି ଆମର ଲକ୍ଷ୍ୟ।”

ବର୍ତ୍ତମାନ ସୁଦ୍ଧା ୨.୭ ଲକ୍ଷରୁ ଅଧିକ ଉପଭୋକ୍ତା ଅନଲାଇନ ପୋର୍ଟାଲ ମାଧ୍ୟମରେ ଏହି ଯୋଜନାରେ ପଞ୍ଜୀକରଣ କରିସାରିଛନ୍ତି। ଏହା ସୌର ଶକ୍ତି ଆପଣାଇବା ଦିଗରେ ଲୋକଙ୍କ ଉତ୍ସାହକୁ ଦର୍ଶାଉଛି। ସ୍ଥାନୀୟ କାର୍ଯ୍ୟକ୍ରମ ଓ ମେଳାରେ ସକ୍ରିୟ ଅଂଶଗ୍ରହଣ କରି ଦକ୍ଷିଣ ଓଡ଼ିଶାର ଅଧିକରୁ ଅଧିକ ଲୋକଙ୍କ ପାଖରେ ପହଞ୍ଚିବା ସକାଶେ ଟିପିଏସ୍ଓଡିଏଲ୍ ଏହାର ପ୍ରୟାସ ଜାରି ରଖିଛି। ଏକ ସବୁଜ ଏବଂ ସ୍ୱଚ୍ଛ ଭବିଷ୍ୟତ ଗଠନରେ ଭାଗୀଦାର ହେବା ସହ ଯେପରି ଏହି ଅଞ୍ଚଳର ପ୍ରତ୍ୟେକ ଘରେ ସୌର ଶକ୍ତି ପହଞ୍ଚିପାରିବ, ତାହା ସୁନିଶ୍ଚିତ କରିବା ପାଇଁ କମ୍ପାନୀ ପ୍ରତିଶ୍ରୁତିବଦ୍ଧ।

nis-ad
Leave A Reply

Your email address will not be published.