ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ସ୍ବତନ୍ତ୍ର ବୈଠକ ! ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ !

ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକାର ଅନୁମୋଦନ ସକାଶେ ଜିଲ୍ଲା ପରିଷଦର ସ୍ବତନ୍ତ୍ର ବୈଠକ ଗୁରୁବାର ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ସଂସ୍ଥା ଋଷିକୂଲ୍ୟା ସମ୍ମିଳନୀ ଗୃହରେ ଜିଲ୍ଲା ପରିଷଦ ଅଧ୍ଯକ୍ଷା ଅଞ୍ଜଳି ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଏସ୍. ରାଜେଶ୍ବରୀ ଦୋରା ଏବଂ ସମସ୍ତ ଜିଲ୍ଲା ପରିଷଦର ସଦସ୍ୟ/ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ । ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ଏବଂ ମୁଖ୍ଯ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମିତାଙ୍କ ଉପସ୍ଥିତିରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷା ଅଧିକାରୀ ଅମିତା ପଟ୍ଟନାୟକ ସମସ୍ତ ଅତିଥି ମାନଙ୍କୁ ସ୍ବାଗତ ଜଣାଇ ସମଗ୍ର ଶିକ୍ଷା ଯୋଜନା ଭିତ୍ତିକ ୧୨୬୪ ଜଣ କନିଷ୍ଠ ଶିକ୍ଷକ ନିଯୁକ୍ତି ତାଲିକା ସମ୍ପର୍କରେ ଅବଗତ କରାଇଥିଲେ ।
ଜିଲ୍ଲାସ୍ତରରେ ନିପୁଣ ଓଡିଶା, ନିପୁଣ ଭାରତ ସଙ୍ଗୀତ ଗାନ ପରେ ଡାଏଟ୍ ଅଧ୍ୟକ୍ଷ ଡଃ. ସନ୍ତୋଷ କୁମାର ପରିଡା ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ ଅବଗତ କରାଇ ୩ ରୁ ୮ ବର୍ଷ ଶିକ୍ଷାର୍ଥି ମାନଙ୍କ ସକାଶେ ଉଦ୍ଦିଷ୍ଟ ଏହି ଯୋଜନାର କାର୍ଯ୍ୟକାରିତା ଘେନି ସୂଚନା ଦେଇ ଜଣାଇଥିଲେ ଯେ, ଶିଶୁ ମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ଜାତୀୟ ଶିକ୍ଷାନୀତି ୨୦୨୦ ମସିହାରେ ଭାରତ ସରକାରଙ୍କ ଦ୍ବାରା ଆରମ୍ଭ ହୋଇଥିବା ଏହି ଯୋଜନା ସେପ୍ଟେମ୍ବର ୫ ତାରିଖ ଦିନ ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉନ୍ମୋଚନ କରାଇଥିଲେ । ଆଜି ଜିଲ୍ଲାସ୍ତରରେ ଏହି କାର୍ଯ୍ୟକ୍ରମ ଉନ୍ମୋଚିତ ହୋଇଛି । ଏଥିରେ ପ୍ରତ୍ୟେକ ଶିକ୍ଷାର୍ଥୀ ମାନଙ୍କର ଜ୍ଞାନ ଆହରଣ ଦିଗରେ କାର୍ଯ୍ୟ କରିବ । ପ୍ରାଇମେରୀ ସ୍ତରରେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟ କ୍ରମେ ଛାତ୍ରଛାତ୍ରୀ ମାନଙ୍କର ଦକ୍ଷତା ହାସଲ କରି ସେମାନଙ୍କ ମାନସିକ ସ୍ତରର ବିକାଶ ହେବ । ପ୍ରତ୍ୟେକ ଶିକ୍ଷକ/ଶିକ୍ଷୟିତ୍ରୀ ମାନଙ୍କୁ ଏଥି ସକାଶେ ପ୍ରଶିକ୍ଷଣ ମଧ୍ୟ ପ୍ରଦାନ ହୋଇଛି । ପିଲାଏ ପଢିବେ ଓ ବୁଝିବାର ଜ୍ଞାନ ହାସଲ କରିବେ । ସୋରଡା ବିଧାୟକ ନୀଳମଣୀ ବିଷୋୟୀ ନିଜ ବକ୍ତବ୍ୟରେ ଶୃଙ୍ଖଳା ଦ୍ବାରା ହିଁ ଜିଲ୍ଲାର ବିକାଶ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପାରିବ । ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରାୟ ନିଜ ବକ୍ତବ୍ୟରେ ଜିଲ୍ଲାରେ ଶିକ୍ଷକ ମାନଙ୍କର ଅଭାବ ଦୂର ସକାଶେ ଅନୁଷ୍ଠିତ ବୈଠକରେ ଅନୁମୋଦନ କରାଯାଉ ଏବଂ ଶିକ୍ଷା ବ୍ୟବସ୍ଥାକୁ ଆହୁରି ବ୍ୟାପକ କରିବାର ଆବଶ୍ୟକତା ରହିଛି । ଆମ ଅଞ୍ଚଳର ପିଲାଏ ଉପଯୁକ୍ତ ଶିକ୍ଷା ପାଇଲେ ଆମ ଅଞ୍ଚଳର ବିକାଶ ହୋଇ ପାରିବ । ଏଥି ସକାଶେ ସମସ୍ତଙ୍କର ମିଳିତ ଉଦ୍ୟମ ଆବଶ୍ୟକ । ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଜଣାଇଥିଲେ ଯେ, ଓଡିଶାରେ ଶିକ୍ଷକଙ୍କ ଅଭାବ ପୂରଣ କରିବା ପାଇଁ ସରକାରଙ୍କ ପ୍ରୟାସ ଜାରୀ ରହିଛି । ସରକାରୀ ବିଦ୍ୟାଳୟ ଗୁଡିକରେ ଶିକ୍ଷା ବ୍ୟବସ୍ଥାର ଉନ୍ନତି ହୋଇ ପାରିଲେ ବେସରକାରୀ ଶିକ୍ଷାନୁଷ୍ଠାନ ଗୁଡିକର ସ୍ଥିତି ରହିବନି । ଶିକ୍ଷାନୁଷ୍ଠାନ ଗୁଡିକରେ ଛାତ୍ରଛାତ୍ରୀ ମାନଙ୍କର ଆବଶ୍ୟକତା ଅନୁଯାୟୀ ଭିତ୍ତି ଭୂମି ବିକାଶ ହେବା ଜରୁରୀ । କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ନିଜ ବକ୍ତବ୍ୟରେ ଶିକ୍ଷକ, ଅଭିଭାବକ ଓ ସରକାରୀ କଳର ସମନ୍ବୟ ରହିଲେ ମାର୍ଜିତ ଶିକ୍ଷା ବ୍ୟବସ୍ଥା ସୁଦୃଢ ହୋଇ ପାରିବ ବୋଲି ଜଣାଇଥିଲେ । ପୁନର୍ବାର ଜିଲ୍ଲା ପରିଷଦର ସଭ୍ୟ ମାନଙ୍କ ବୈଠକ ଆଗତ କରି ଏହି ତାଲିକାର ଅନୁମୋଦନ ହେବା ସ୍ଥିର ହୋଇଥିଲା । ବୈଠକରେ ସମସ୍ତ ଶିକ୍ଷାଧିକାରୀ ଓ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ ।।

nis-ad
Leave A Reply

Your email address will not be published.