ନିସର୍ତ୍ତର ପ୍ରଭାବ : ହିଞ୍ଜିଳିକାଟୁ ମେଡିକାଲରେ ନିଯୁକ୍ତି ହେଲେ ଚକ୍ଷୁ ବିଶେଷଜ୍ଞ

ହିଞ୍ଜିଳିକାଟୁ : ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲାର ଦ୍ବିତୀୟ ବୃହତ୍ତମ ସହର ଭାବେ ପରିଗଣିତ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡ଼ାକ୍ତର ଓ କର୍ମଚାରୀ ମରୁଡି ଦେଖାଦେଇଥିଲା। ଫଳରେ ହିଞ୍ଜିଳିକାଟୁ ସହର ସମେତ ନିକଟବର୍ତ୍ତୀ ୪୦ ରୁ ଉର୍ଦ୍ଧ୍ଵ ଗ୍ରାମର ରୋଗୀ ଓ ସମ୍ପର୍କୀୟ ମାନେ ଆବଶ୍ୟକ ଚିକିତ୍ସା ସେବା ନପାଇପାରି ନାନା ଅସୁବିଧାର ସମ୍ମୁଖିନ ହେବା ସହ ଅଯଥାରେ ବ୍ରହ୍ମପୁର, ଭୂବନେଶ୍ବର, ଆନ୍ଧ୍ରପ୍ରଦେଶ ସମେତ ନିକଟବର୍ତ୍ତୀ ବେସରକାରୀ ଚିକିତ୍ସାଳୟରେ ଭର୍ତ୍ତି ହୋଇ ଖର୍ଚ୍ଚାନ୍ତର ଶୀକାର ହେଉଥିଲେ । ଫଳରେ ଅଞ୍ଚଳବାସୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ପ୍ରକାଶ ପାଇ ଆସୁଥିଲା। ଏ ନେଇ ଦୈନିକ ଓଡିଆ ଖବରକାଗଜ ନିସର୍ତ୍ତରେ ‘ ଗତ ୧୨ ତାରିଖରେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ଓ କର୍ମଚାରୀ ଅଭାବ- ଡାକ୍ତରଖାନାରୁ ମୁହଁ ଫେରାଉଛନ୍ତି ରୋଗୀ ଓ ସମ୍ପର୍କୀୟ ।‌ ନାହାଁନ୍ତି ଚକ୍ଷୁ, ଶିଶୁ ଓ ଭେଷଜ ବିଶେଷଜ୍ଞ ‘ ଶୀର୍ଷକ ଖବର ପ୍ରକାଶିତ ହୋଇଥିଲା ।

ଘଟଣାକୁ ଗୁରୁତ୍ବ ପ୍ରଦାନ କରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜୈନିକ ଚକ୍ଷୁ ବିଶେଷଜ୍ଞଙ୍କୁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ନିଯୁକ୍ତି କରାଯାଇଛି। ବୁଧବାର ଅବସରପ୍ରାପ୍ତ ଚକ୍ଷୁ ରୋଗ ବିଶେଷଜ୍ଞ ଡ଼ାକ୍ତର ପି. କୁର୍ମେୟା ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ପହଞ୍ଚି କାର୍ଯ୍ୟରେ ଯୋଗ ଦେଇଛନ୍ତି। ଡାକ୍ତର କୁର୍ମେୟା ଯୋଗଦାନ ପରେ ଚିକିତ୍ସାଳୟ କର୍ମଚାରୀ ତାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ଖବର ପ୍ରକାଶ ପରେ ସଂପୃକ୍ତ ଚିକିତ୍ସାଳୟରେ ଚକ୍ଷୁ ବିଶେଷଜ୍ଞଙ୍କୁ ନିଯୁକ୍ତି କରାଯାଇଥିବାରୁ ନିସର୍ତ୍ତ ଖବରକାଗଜର ସମ୍ପାଦକ ମହୋଦୟଙ୍କୁ ଅଞ୍ଚଳବାସୀ କୃତଜ୍ଞତା ଜ୍ଞାପନ କରିଛନ୍ତି ।‌

nis-ad
Leave A Reply

Your email address will not be published.