ବିଦ୍ୟୁତ୍ ଆଘାତରେ ମେଣ୍ଢା ମୃତ୍ୟୁ ଅଭିଯୋଗ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ବ୍ଳକ ତଥା ବେଲଗାଁ ଥାନା ଗଣ୍ଡଳା ସାତଭଉଣୀ ମନ୍ଦିର ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ଏକ ମେଣ୍ଢାର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମେଣ୍ଢା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସୋମବାର ଅପରାହ୍ନରେ ବେଲଗାଁ ଥାନା ଗଣ୍ଡଳା ଗ୍ରାମର ସୁଦର୍ଶନ ଗୈାଡଙ୍କ ମେଣ୍ଢା ପଲ ସାତଭଉଣୀ ମନ୍ଦିର ନିକଟରେ ଘାସ ଚରୁଥିବା ବେଳେ ୨ଟି ମେଣ୍ଢା ନିକଟସ୍ଥ ଏକ ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସିଥିଲେ । ସେଥିରୁ ଗୋଟିଏ ମେଣ୍ଢା ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଏକ ମେଣ୍ଢା ଗୁରୁତର ଆହତ ହୋଇଥିବା ଅଭିଯୋଗ ହୋଇଛି। ଗତ କିଛି ଦିନ ଧରି ସଂପୃକ୍ତ ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ସରବରାହ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରି ଆସୁଥିଲେ ମଧ୍ୟ ଟିପିଏସଓଡିଏଲର କର୍ତ୍ତୃପକ୍ଷ କର୍ଣ୍ଣପାତ କରୁନଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। କିଛି ଦିନ ପୂର୍ବେ ମାରପଲ୍ଲୀ ଗ୍ରାମର ଜୈନିକ ବ୍ୟକ୍ତି ସେହି ବିଦ୍ୟୁତ୍ ଖୁଣ୍ଟ ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ଏ ଦିଗରେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି। ଘଟଣା ନେଇ ଟିପିଏସଓଡିଏଲ ହିଞ୍ଜିଳିକାଟୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁନିଲ ସ୍ବାଇଁଙ୍କୁ ପଚାରିବାରୁ ସେ କୁହନ୍ତି ଅଭିଯୋଗ ପରେ କିଛି କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଚେକ୍ କରିଥିବା ବେଳେ ସଂପୃକ୍ତ ବିଦ୍ୟୁତ୍ ଖୁଣ୍ଟରେ ବିଦ୍ୟୁତ୍ ସରବରାହ ହେଉନଥିବା କହିଛନ୍ତି। ମେଣ୍ଢାର ବ୍ୟବଚ୍ଛେଦ ପରେ ମୃତ୍ୟୁର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.