ଦୁର୍ଘଟଣାକୁ ଆଡେଇବା ପାଇଁ ରେଳବାଇ ‘କବଚ’ ବ୍ୟବସ୍ଥା ତୁରନ୍ତ କାର୍ଯ୍ୟକାରୀ ପାଇଁ ଦାବୀ

ମିଳିତ କ୍ରିୟାନୁଷ୍ଠାନ କମିଟିର ଆନ୍ଦୋଳନ ଡାକରାକୁ ସମର୍ଥନ

ବ୍ରହ୍ମପୁର : ପ୍ରତି ବର୍ଷ ବହୁ ସଂଖ୍ୟାରେ ବୃଦ୍ଧି ପାଉଥିବା ରେଳ ଦୁର୍ଘଟଣାରେ ହଜାର ହଜାର ଯାତ୍ରୀ ଅକାଳରେ ମୃତ୍ୟୁ ବରଣ କରୁଛନ୍ତି, ଯାତ୍ରୀଙ୍କ ସୁରକ୍ଷାରେ କେନ୍ଦ୍ର ସରକାରଙ୍କ ଚରମ ଅବହେଳା ବିରୁଦ୍ଧରେ ଆଜି ମାନବ ଅଧିକାର ସୁରକ୍ଷା ମଞ୍ଚର ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାଇଛି l ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟାଙ୍କ ଅଧ୍ୟକ୍ଷତାରେ ଆଜି ବିଜିପୁର କମ୍ୟୁନିଟି ହଲଠାରେ ଆୟୋଜିତ ବୈଠକରେ ରେଳବାଇରେ ବିଭିନ୍ନ ସମସ୍ୟାର ସମାଧାନ ପାଇଁ କେନ୍ଦ୍ର ସରକାରଙ୍କ ଗୁରୁତର ଅବହେଳାକୁ ଦୃଢ଼ ନିନ୍ଦା କରାଯାଇଛି l ଓଡିଶାବାସୀ ବାର୍ଷିକ ୪୦ହଜାର କୋଟି ଟଙ୍କା ଟିକସ ଦେଉଥିବା ସତ୍ୱେ ଓଡିଶା ମୁଖ୍ୟତଃ ଦକ୍ଷିଣ ଓଡିଶା ପ୍ରତି ଚରମ ଅବହେଳା କରାଯାଉଛି l ଭାରତ ବିଶ୍ଵଗୁରୁ ହେବାର ପ୍ରଚାର ସତ୍ୱେ ବିଭିନ୍ନ ପ୍ରକାର ଅବହେଳା ପାଇଁ ବହୁ ସଂଖ୍ୟାରେ ରେଳ ଦୁର୍ଘଟଣା ଘଟୁଛି l ଦୁର୍ଘଟଣା ପରେ ସରକାର କୁମ୍ଭୀର କାନ୍ଦଣା କାନ୍ଦି କେବଳ ଅନୁକମ୍ପା ରାଶି ଦେଇ ସରକାର ଚୁପଚାପ ବସିପଡୁଛନ୍ତି l ବାର୍ଷିକ ହଜାର ହଜାର ଯାତ୍ରୀଙ୍କ ଜୀବନ ଅକାଳରେ ଦୁର୍ଘଟଣାରେ ଚାଲିଯାଉଥିବାବେଳେ ଆଜି ପର୍ଯ୍ୟନ୍ତ ସରକାର ଦୁର୍ଘଟଣାକୁ ଆଡେଇବାପାଇଁ କବଚ ବ୍ୟବସ୍ଥା କାର୍ଯ୍ୟକାରୀ କରିପାରିନାହାନ୍ତି l

୨୦୧୨ରୁ ରେଳ ଦୁର୍ଘଟଣା ରୋକିବା ପାଇଁ କାମ ଆରମ୍ଭ ହୋଇଥିବା କବଚ ବ୍ୟବସ୍ଥା ଓଡିଶାରେ ଆଦୌ ଆରମ୍ଭ ହିଁ ହୋଇନାହିଁ l ଏତଦସହ କେନ୍ଦ୍ରରେ ପୂର୍ବ ସରକାରଙ୍କ ସମୟରୁ ରେଳବାଇରେ ବରିଷ୍ଠ ନାଗରିକଙ୍କ ଯାତ୍ରାରେ ରହିଥିବା ମହିଳାଙ୍କ ପାଇଁ ୫୦ ଓ ପୁରଷଙ୍କ ପାଇଁ ୪୦ଶତକଡା ରିହାତି ପୁନଃ ଲାଗୁ କରିବା, ବନ୍ଦେ ଭାରତ ଏକ୍ସପ୍ରେସକୁ ଛାଡ଼ିବାପାଇଁ ଅନ୍ୟ ସମସ୍ତ ଦ୍ରୁତଗାମୀ ଟ୍ରେନ ଗୁଡିକୁ ମାତ୍ରାଧିକ ବିଳମ୍ବ କରିବା ବନ୍ଦ,ଦୀର୍ଘ ବର୍ଷରୁ ଚାଲିଥିବା ବ୍ରହ୍ମପୁର ରେଳ ଷ୍ଟେସନର କାମ ଶୀଘ୍ର ଶେଷ କରିବା,ପାସେଞ୍ଜର ଗାଡି ଗୁଡିକୁ ନାମକୁ ମାତ୍ର ଏକ୍ସପ୍ରେସର ନାମକରଣ କରି ଯାତ୍ରୀଙ୍କ ଉପରେ ଅଧିକ ଭଡା ଲଦିବା ବନ୍ଦ କରିବା,ମୁମ୍ବାଇ, ବାଙ୍ଗାଲୋର, ଅହମଦବାଦ ଆଦି ସହରକୁ ଯାଉଥିବା ଟ୍ରେନରେ ବ୍ରହ୍ମପୁରଠାରେ ସ୍ୱତନ୍ତ୍ର ସାଧାରଣ ବଗି ସଂଯୋଗ କରିବା, ଦକ୍ଷିଣ ଓଡିଶା ପ୍ରତି ରେଳବାଇର ପାତର ଅନ୍ତର ନୀତି ବନ୍ଦ କରିବା ଆଦି ଦାବୀ ସହ ରେଳବାଇ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ୯ତାରିଖରୁ ଆରମ୍ଭ ହେଉଥିବା ଆନ୍ଦୋଳନକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ସମର୍ଥନ ଜଣାଇଛି l ଆଜିର ବୈଠକରେ ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ବିରେନ କୁମାର ବେହେରା, ଅଳକ ନାଥ ମିଶ୍ର, ବିଜୟ କୁମାର ପାଢ଼ୀ, ପ୍ରଫୁଲ କୁମାର ଜେନା, ଆର. ସତ୍ୟ ନାରାୟଣ ରାଓ, ରମେଶ କୁମାର ବେହେରା, ଏସ. ସାମ୍ବଶିବା ରାଓ,ସଫିଉଦିନ ମଲ୍ଲିକ,ରମେଶ ଚନ୍ଦ୍ର ସାହୁ, ଅଶୋକ କୁମାର ଦଳାଇ, ସଞ୍ଜୟ କୁମାର ମାଝୀ, ସାଲ୍ଲା କେଶବ ଲିଙ୍ଗମ ପ୍ରମୁଖ ବୈଠକରେ ଦାବୀ ଉପସ୍ଥାପନ କରିଛନ୍ତି l ଶେଷରେ ବିଜୟ ଚନ୍ଦ୍ର ବିଶୋଇ ଧନ୍ୟବାଦ ଜଣାଇଛନ୍ତି l

nis-ad
Leave A Reply

Your email address will not be published.