ଫୁଲବାଣୀ : ଓଡ଼ିଶା ସରକାରଙ୍କର ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଏବଂ ମାନ୍ୟବର ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବ ବ୍ୟାପାର, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଦିନିକିଆ ଗସ୍ତରେ ଆସି ଗୋଷ୍ଠୀ ଉନ୍ନୟନ ଅଧିକାରୀ , ତୁମୁଡ଼ିବନ୍ଧ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ସେମାନଙ୍କ ବିଭାଗର କାର୍ଯ୍ୟକାରିତା ଉପରେ ଗତକାଲି ସମୀକ୍ଷା କରିଥିଲେ । ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟ କହିଲେ, ରାଜ୍ୟରେ ଥିବା ମହାବିଦ୍ୟାଳୟ ଗୁଡ଼ିକରୁ ଯୁକ୍ତ ତିନି ମହାବିଦ୍ୟାଳୟ ଓ ଯୁକ୍ତ ଦୁଇ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟକୁ ଅଲଗା କରାଯିବ ମାତ୍ର ସେ ଦୁଇଟି ଶିକ୍ଷାନୁଷ୍ଠାନ ପ୍ରାୟ ପାଖାପାଖି ରହିବ ବୋଲି ରାଜ୍ଯ ସରକାର ସ୍ଥିର କରିଛନ୍ତି । ଜିଲ୍ଲାର ଯେଉଁ ଯେଉଁ ମହାବିଦ୍ୟାଳୟ କିମ୍ବା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ କମୁଛନ୍ତି ତା’ ଉପରେ ଅନୁଧ୍ୟାନ କରି ରିପୋର୍ଟ ଦେବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲାରେ କ୍ରୀଡ଼ା ଓ ସଂସ୍କୃତି ବିଭାଗର କାର୍ଯ୍ୟକ୍ରମ ସଂପର୍କରେ ଜିଲ୍ଲା କ୍ରୀଡ଼ା ଅଧିକାରୀ ଓ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ମାନ୍ୟବର ମନ୍ତ୍ରୀଙ୍କ ପରାମର୍ଶ କ୍ରମେ କନ୍ଧମାଳ ଷ୍ଟାଡିୟମର ଉନ୍ନତିକରଣ, ଆଥ୍ଲେଟିକ ସିନ୍ଥେଟିକ୍ ଗ୍ରାଉଣ୍ଡ ନିର୍ମାଣ, ସୁଇମିଙ୍ଗ୍ ପୁଲ୍ ନିର୍ମାଣ, ବାଲିଗୁଡ଼ାରେ ହକି ଆଷ୍ଟ୍ରୋଟର୍ପ କୋର୍ଟ ନିର୍ମାଣ, କନ୍ଧମାଳ ଷ୍ଟାଡିୟମର ଗ୍ୟାଲେରୀ ନିର୍ମାଣ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ବ୍ଳକରେ ଥିବା ଖେଳ ପଡ଼ିଆର ଉନ୍ନତିକରଣ ଆଦି ପାଇଁ ଜିଲ୍ଲା କ୍ରୀଡ଼ା ପ୍ରସ୍ତାବ ଦେଇଥିବାବେଳେ ଜିଲ୍ଲା ସଂସ୍କୃତି ଅଧିକାରୀ ଜିଲ୍ଲାରେ ୧୫ ଶହ ସିଟ୍ ବିଶିଷ୍ଟ ଅଡିଟୋରିୟମ ନିର୍ମାଣ ପାଇଁ ଦେଇଥିଲେ। ନୂଆ ସରକାର ଏବଂ ନୂଆ ଅଧିକାରୀ ମିଳିତ ଭାବେ ଏବେଠାରୁ ୨୦୩୬ ମସିହା ପାଇଁ ପ୍ରସ୍ତୁତ ଓଡ଼ିଶାର ଜନସାଧାରଣଙ୍କ ଯୋଗୁଁ ଆମେ ସେମାନଙ୍କ ସେବା ପାଇଁ ସୁଯୋଗ ପାଇଛୁ । ଆମେ ସେମାନଙ୍କ ଉନ୍ନତି କାମ କରିବାକୁ ପ୍ରତିଶ୍ରୁତି ଦେଇଛୁ ଏବଂ କାର୍ଯ୍ୟରେ ଦେଖାଇ ଦେବୁ । ସେଥିପାଇଁ ବିଭାଗୀୟ ଅଧିକାରୀ ମାନଙ୍କର ସହଯୋଗ ଆଶା କରୁଛୁ। କାରଣ ବିଭାଗୀୟ ଅଧିକାରୀମାନେ ସେଗୁଡ଼ିକୁ କାର୍ଯ୍ୟରେ ପରିଣତ କରିପାରିବେ । ମାନନୀୟ ସାଂସଦ, କନ୍ଧମାଳ ଶ୍ରୀ ସୁକାନ୍ତ କୁମାର ପାଣିଗ୍ରାହୀ କହିଲେ, କିଛି ଅଯୋଗ୍ୟ ବ୍ୟକ୍ତି କଳାକାର ଭତ୍ତା ପାଉଥିବା ବେଳେ କିଛି ଯୋଗ୍ୟ ବ୍ୟକ୍ତି ସେଥିରୁ ବଞ୍ଚିତ ହୋଇଛନ୍ତି ବୋଲି ସେ ଅଭିଯୋଗ ପାଇଛନ୍ତି । ସେଥିପାଇଁ ଆବଶ୍ୟକ ପଡ଼ିଲେ ସମୀକ୍ଷା କରାଯିବ। ଏବେ ପ୍ରକୃତ ହିତାଧିକାରୀଙ୍କୁ ଚୟନ କରାଯିବ । ଜିଲ୍ଲାରେ ଅଧିକ ଆଳୁ ଆବଶ୍ୟକ ଥିଲେହେଁ ପ୍ରଥମେ ୩ ମେଟ୍ରିକ ଟନ୍ ଆଳୁ ଉତ୍ପାଦନ କରିବା ସହିତ ରଖିବା ପାଇଁ ସେହି ଅନୁଶାରେ କୋଲ୍ଡ ଷ୍ଟୋର ବ୍ୟବସ୍ଥା କରାଯିବ। ସେହିପରି, ଚାହିଦା ଅନୁଯାୟୀ ହଳଦୀ ଓ ଅଦା ଉତ୍ପାଦନ ବୃଦ୍ଧି କରାଯିବ। ସେଥିପାଇଁ ମଧ୍ୟ ସଂପୃକ୍ତ ବିଭାଗ ଗୁଡ଼ିକର ସମ୍ମିଳିତ ଉଦ୍ୟମ ଆବଶ୍ୟକ । ଫଳରେ ଜିଲ୍ଲାର ଲାଇଫ୍ ଲାଇନ୍ରେ ଉନ୍ନତି ଆସିପାରିବ ବୋଲି ମାନନୀୟ ସାଂସଦ ଶ୍ରୀ ପାଣିଗ୍ରାହୀ କହିଥିଲେ। ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ କହିଲେ, ଆଗ୍ରହ ଥିବା ଖେଳକୁ ଦୃଷ୍ଟିରେ ରଖି ଖେଳ ପଡ଼ିଆ ନିର୍ମାଣ କରାଯିବା ଆବଶ୍ୟକ। ବିଭାଗୀୟ ଅଧିକାରୀମାନେ ଚାହିଁଲେ ଜିଲ୍ଲାର ଦାଦନ ସମସ୍ୟା ଦୂର କରିପାରିବେ । କନ୍ଧମାଳର ହଳଦୀ, ଅଦା, ବିନ୍ସ, ଆଳୁ, ଶୋରିଷ ଇତ୍ୟାଦିର ଚାହିଦା ରହିଛି। ସେଥିପାଇଁ ମାର୍କେଟ୍ର ଆବଶ୍ୟକତା ରହିଛି । ଏହିସବୁ ଜିନିଷ ବାହାରକୁ ରପ୍ତାନୀ ହୋଇପାରିଲେ ଜିଲ୍ଲାର ଚାଷୀମାନେ ବିଶେଷ ଲାଭବାନ ହୋଇପାରିବେ । ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ। ପରୀକ୍ଷାମୂଳକ ଭାବେ ପ୍ରଥମେ ଜିଲ୍ଲାର ୩ଟି ବ୍ଲକରେ ୩୦୦ ଦିନର କାମ ଯୋଗାଇଦେବା ସହିତ ସଠିକ ସମୟରେ ସେମାନଙ୍କର ମଜୁରୀ ଦିଆଯାଉ। ସେମାନଙ୍କୁ ରୋଜଗାର ଦେବା ପାଇଁ ବିଭିନ୍ନ ବିଭାଗ ଦ୍ଵାରା ମାଇକ୍ରୋ ପ୍ଲାନ୍ କରାଯାଉ। ୩ମାସ ପରେ ଏହି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରାଯିବ ବୋଲି ମାନ୍ୟବର ମନ୍ତ୍ରୀ ଶ୍ରୀ ନାଏକ କହିଥିଲେ।
ଉକ୍ତ ସମୀକ୍ଷା ବୈଠକରେ, ମାନ୍ୟବର ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କନ୍ଧମାଳ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ମୁଖ୍ୟ ଉନ୍ନୟନ ଅଧିକାରୀ -ତଥା-କାର୍ଯ୍ୟ ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, କନ୍ଧମାଳ ରତ୍ନାକର ସାହୁ, ଉପ-ଜିଲ୍ଲାପାଳ, ବାଲିଗୁଡ଼ା ରୀନା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା, ପ୍ରକଳ୍ପ ପ୍ରଶାସକ, ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥା, ବାଲିଗୁଡ଼ା କୃପାସିନ୍ଧୁ ବେହେରାଙ୍କ ସମେତ ବିଭାଗୀୟ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l