ଯାତ୍ରୀବାହୀ ବସ୍ ସହ ଗ୍ୟାସ ବୋଝେଇ ଟ୍ରଲର ଧକ୍କା, ୪ ମୃତ, ୨୫ରୁ ଉର୍ଦ୍ଧ୍ୱ ଗୁରୁତର
୪ ଘଣ୍ଟା ଧରି ଜାତୀୟ ରାଜପଥରେ ଯାନବାହାନ ଚଳାଚଳ ବାଧାପ୍ରାପ୍ତ
ପରିବହନ ମନ୍ତ୍ରୀ, ସଚିବଙ୍କ ସମେତ ଜିଲ୍ଲାପାଳ ଓ ଏସପିଙ୍କ ସମୀକ୍ଷା, ମେଡିକାଲରେ ପହଞ୍ଚି ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଲେ
ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ କର୍ମଚାରୀଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ
ବସ୍ ପଛପଟ କାଚ ଭାଙ୍ଗି ଓ ଗ୍ୟାସ୍ କଟରରେ କାଟି ଯାତ୍ରୀଙ୍କୁ ଉଦ୍ଧାର
ହିଞ୍ଜିଳିକାଟୁ, ୨୨ା୮ : ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଛକରେ ଗୁରୁବାର ଭୋରରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଥିବା ଏକ ସିମେଣ୍ଟ ବୋଝେଇ ଟ୍ରକ(ଓଡି୧୦କ୍ୱ୍ୟୁ ୯୨୬୩)କୁ ଗ୍ୟାସ ବୋଝେଇ ଟ୍ରଲର(ଓଡି୧୫କେ ୭୮୯୬)ଅତିକ୍ରମ କରୁଥିବା ବେଳେ ସମ୍ମୁଖ ଭାଗରୁ ଆସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍(ଓଡି୦୭ଏନ ୯୧୮୧) ସହ ମୁହାଁମୁହିଁ ଧକ୍କା ଘଟିଛି । ଦୂର୍ଘଟଣାରେ ୪ ଜଣଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୨୫ରୁ ଉର୍ଦ୍ଧ୍ୱ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କ ମଧ୍ୟରେ ୬ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି । ମୃତକ ମାନେ ହେଲେ ହିଞ୍ଜିଳି ଥାନା ସମରଝୋଳ ଗ୍ରାମର ପଞ୍ଚୁ ଗୌଡ, ଅରକ୍ଷିତ ଗୌଡ, ଶେରଗଡ ଥାନା କୁରୁଳା ଗ୍ରାମର ସନ୍ତୋଷ ବାଡତ୍ୟା(୪୫) ଓ ଅନ୍ୟ ଜଣେ ମୃତକ ସିମେଣ୍ଟ ବୋଝେଇ ଟ୍ରକ ହେଲପରଙ୍କ ପରିଚୟ ଖବର ଲେଖା ହେବା ସୁଦ୍ଧା ମିଳିପାରିନାହିଁ । ଖବର ଲେଖା ହେବା ସୁଦ୍ଧା ୨୫ରୁ ଉର୍ଦ୍ଧ୍ୱ ଆହତଙ୍କ ମଧ୍ୟରୁ ୧୨ ଜଣଙ୍କ ପରିଚୟ ମିଳିପାରିଛି । ସେମାନେ ହେଲେ ବସ୍ ଚାଳକ ଟିଟିଲାଗଡର ହୃଷିକେଶ ସେଠ(୫୫), ହେଲପର ମନୋଜ ପଟ୍ଟନାୟକ(୩୨), କଣ୍ଡକ୍ଟର ଶେରଗଡ ଥାନା ଡେଙ୍ଗପଦର ଗ୍ରାମର ବୃନ୍ଦାବନ ରଣା(୪୫), । ଖବର ପାଇ ତହସିଲଦାର ଭିକାରୀ ସାହୁ, ଅତିରିକ୍ତ ତହସିଲଦାର ସୁରଜ ନାୟକ ବେହେରା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଜୁବୁଲି ଚରଣ ବେହେରା, ଆସିକା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର, ପୁଲିସ, ଅଗ୍ନିଶମ, ଆମ୍ବୁଲାନ୍ସ , ଜନପ୍ରତିନିଧି ଓ ସ୍ୱେଛାସେବୀ ସଂଗଠନ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟାରମ୍ଭ କରିଥିଲେ । ପରେ ପରିମହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା, ପରିବହନ ସଚିବ ଅମିତାଭ ଠାକୁର , ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା ବ୍ରହ୍ମପୁର ବଡ ମେଡିକାଲରେ ପହଞ୍ଚି ଆହତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ପରେ ଦୂର୍ଘଟଣାସ୍ଥଳରେ ପହଞ୍ଚି ଘଟଣାର ସମୀକ୍ଷା କରି ଫେରିଛନ୍ତି । ଦୂର୍ଘଟଣା ସ୍ଥଳରୁ ଆହତଙ୍କୁ ଉଦ୍ଧାର କରାଯାଇ ୬ଟି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟ କିଛି ଆହତ ନିକଟସ୍ଥ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଆଗାମୀ ସମୟରେ ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆଶଙ୍କା ରହିଛି । ପ୍ରକାଶ ଯେ, ଗୁରୁବାର ଭୋର ପ୍ରାୟ ୫ଟାରେ ୫୯ନଂ ଜାତୀୟ ରାଜପଥ ତଥା ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ସମରଝୋଳ ଛକରେ ଏକ ସିମେଣ୍ଟ ବୋଝେଇ ଟ୍ରକ୍ ଜାତୀୟ ରାଜପଥରେ ଗାଡିକୁ ରଖି ଚାହା ପିଇବାକୁ ଓହ୍ଲାଇଥିଲେ । ଟ୍ରକ୍ ହେଲପର ଜଣଙ୍କ ଟ୍ରକ୍ ପଛପଟେ ରହି କିଛି କାମ କରୁଥିବା ବେଳେ ବ୍ରହ୍ମପୁର ଠାରୁ ଆସିକା ଅଭିମୁଖେ ଯାଉଥିବା ଏକ ଗ୍ୟାସ୍ ବୋଝେଇ ଟ୍ରଲର , ଟ୍ରକକୁ ଅତିକ୍ରମ କରୁଥିବା ବେଳେ ଟ୍ରକ୍ ହେଲପରକୁ ଧକ୍କା ଦେବା ସହ ସମ୍ମୁଖ ଭାଗରୁ ମୁଖିଗୁଡା ଠାରୁ ବ୍ରହ୍ମପୁର ଅଭିମୁଖେ ଅ୍ରାସୁଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ସହିତ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ପ୍ରଚଣ୍ଡ ଶବ୍ଦ ହେବା ସହ ଉଭୟ ଗାଡି ଜାତୀୟ ରାଜପଥ ପ୍ୱାଶ୍ୱର୍ରେ ରହିଥିବା ଏକ ଦୋକାନ ଘର ଭିତରକୁ ପଶି ଯାଇଥିଲା । ଦୂର୍ଘଟଣାରେ ଟ୍ରକ୍ ହେଲପର ସମେତ ଚହା ପିଉଥିବା ୩ ଜଣଙ୍କ ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ଖବର ପାଇ ଘଟଣା ସ୍ଥଳରେ ଲୋକଙ୍କ ଭିଡ ଜମିଥିଲା । ହିଞ୍ଜିଳିକାଟୁ ତହସିଲଦାର, ଅତିରିକ୍ତ ତହସିଲଦାର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ, ଆସିକା ଏସଡିପିଓ, ହିଞ୍ଜିଳି ଥାନା ଆଇଆଇସି ଶ୍ରୀନିବାସ ସେଠି, ବେଲଗାଁ ଥାନା ଆଇଆଇସି ସ୍ମିତାଞ୍ଜଳି ପ୍ରଧାନ, ଶେରଗଡ ଆଇଆଇସି ବିରେନ୍ଦ୍ର ସିଅଳ, ଅଗ୍ନିଶମ ଅଧିକାରୀ ବଗରାଇ ମୁର୍ମୁ, ପୁଲିସ , ଅଗ୍ନିଶମ,
ଆମ୍ବୁଲାନ୍ସ କର୍ମଚାରୀ ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଚାହା ଦୋକାନ ସମ୍ମୁଖରେ ଥିବା ୩ଟି ବାଇକ୍, ଚାହା ଦୋକାନ ସହ ନିକଟସ୍ଥ ଏକ ଘରର ସମ୍ମୁଖ ଭାଗ ସମ୍ପୁଣ୍ଣ ନଷ୍ଟ ହୋଇଯାଇଛି । ଅଗ୍ନିଶମ କର୍ମଚାରୀ ମାନେ ଗ୍ୟାସ କଟର ଯୋଗେ ବସର କିଛି ଅଂଶକୁ କାଟି ଓ ବସ୍ ପଛପଟ କାଚକୁ ଭାଙ୍ଗି ବସ୍ ମଧ୍ୟରୁ ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ଦୂର୍ଘଟଣା ଘଟି ଜାତୀୟ ରାଜପଥ ଅବରୋଧ ହେବାରୁ ଦୀର୍ଘ ୪ ଘଣ୍ଟା ଧରି ଯାନବାହନ ଚଳାଚଳ ବନ୍ଦ ରହିଥିଲା । ବ୍ରହ୍ମପୁର – ଆସିକା ରାସ୍ତାର ଉଭୟ ପ୍ୱାଶ୍ୱର୍ରେ ବହୁ ଯାନବାହାନ ଅଟକି ରହିଥିଲା । ପରେ ପୁଲିସ ଅନ୍ୟରାସ୍ତା ଦେଇ ଯାନବାହାନ ଚଳାଚଳ କରାଇଥିଲା । ଦୀର୍ଘ ୭ ଘଣ୍ଟାର କସରତ ପରେ ୪ଟି କ୍ରେନ ଯୋଗେ ଜାତୀୟ ରାଜପଥ ଉପରୁ ଦୂର୍ଘଟଣାଗ୍ରସ୍ତ ଗାଡିକୁ ହଟାଇବା ପରେ ଯାନବାହାନ ଚଳାଚଳ ସ୍ୱଭାବିକ ହୋଇଥିଲା । ଅନ୍ୟପକ୍ଷରେ ଗ୍ୟାସ୍ ବୋଝେଇ ଟ୍ୟାଙ୍କର ଦୂର୍ଘଟଣା ହୋଇଥିବାରୁ ଅନ୍ୟ କୌଣସି ଦୂର୍ଘଟଣାର ଆଶଙ୍କା କରି ସ୍ଥାନୀୟ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଛି । ଘଟଣା ନେଇ ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୁଲିସ ଘଟରାର ତଦନ୍ତ ଜାରୀ ରଖିଛି । ଅନ୍ୟପକ୍ଷରେ ସିମଣ୍ଟେ ବୋଝେଇ ଓ ଟ୍ରଲର ଚାଳକଙ୍କ ପତ୍ତା ମିଳିନାହିଁ । ଦୂର୍ଘଟଣା ପରେ ଉଭୟ ଟ୍ରକ୍ ଓ ଟ୍ରଲର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ ଅନୁମାନ କରୁଛି ।