ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ : ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଅଭିଭାବକ ଓ ଛାତ୍ରଛାତ୍ରୀ

ବାଲିଗୁଡ଼ା : ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ତାତିଲେ ଅଭିଭାବକ। ବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଅଭିଭାବକ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ କ.ନୁଆଗାଁ ବ୍ଲକ୍ ଅନ୍ତର୍ଗତ ମହାସିଙ୍ଗି ପଞ୍ଚାୟତର ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ । ସୂଚନା ପ୍ରକାରେ ଗୁମାପଦର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ୧୦୮ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଅଛନ୍ତି ମାତ୍ର ଦୁଇ ଜଣ ଶିକ୍ଷକ । ସେହି ଦୁଇ ଜଣ ଶିକ୍ଷକ ମଧ୍ୟ ନିୟମିତ ଆସୁନଥିବା ଅଭିଯୋଗ ହୋଇଛି । ପ୍ରାୟ ଦୁଇ ବର୍ଷ ହେବ ବିଦ୍ୟାଳୟରେ ଏଭଳି ସମସ୍ୟା ଲାଗିରହିଥିବା ବେଳେ ଏନେଇ ବାରମ୍ବାର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ରାଜନ୍ତ ପାତ୍ର ଓ ଗ୍ରାମବାସୀ କ.ନୁଆଗାଁ ଗୋଷ୍ଠୀ ଶିକ୍ଷାଧିକାରୀ ଓ ବିଡ଼ିଓଙ୍କୁ ଜଣାଇଥିଲେ ମଧ୍ୟ ଏଯାବତ୍ କୌଣସି ସୁଫଳ ମିଳିଲା ନାହଁ । ଯାହା ଫଳରେ ପିଲାଙ୍କ ଭବିଷ୍ୟତ ଅନିଶ୍ଚିତତା ମଧ୍ୟରେ ଗତିକରୁଛି । ଏଣୁ ଶୁକ୍ରବାର ସକାଳୁ ବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ଧାରଣାରେ ବସିଛୁ । ଯେପର୍ଯ୍ୟନ୍ତ ସ୍କୁଲରେ ଆବଶ୍ୟକ ଅନୁଯାୟୀ ଶିକ୍ଷକ ଦିଆନଯାଇଛି ସେପର୍ଯ୍ୟନ୍ତ ଆମେ ଏମିତି ଧାରଣାରେ ବସି ରହିବୁ ବୋଲି କହିଛନ୍ତି ଅଭିଭାବକ ଓ ଅଞ୍ଚଳବାସୀ ।

nis-ad
Leave A Reply

Your email address will not be published.