ବଦଳି ପାଇଁ ନିର୍ଦ୍ଦେଶର ଘଣ୍ଟା କେଇଟା ମଧ୍ୟରେ ପୁଣି ଏହାକୁ ବାତିଲ କଲେ ସରକାର

ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ଏପରି ବଦଳି ବାତିଲକୁ ନେଇ ଚର୍ଚା ଜୋର

ମାଲକାନଗିରି,୧୦।୮ : ଘଣ୍ଟା କେଇଟା ମଧ୍ୟରେ ସରକାର ବଦଳାଇଲେ ନିଜ ନିର୍ଦ୍ଦେଶ । ପ୍ରଥମେ ଦେଲେ ବଦଳି ପାଇଁ ନିର୍ଦ୍ଦେଶ ଏହାର କିଛି ଘଣ୍ଟା ମଧ୍ୟରେ ପୁଣି ଆସିଲା ବଦଳି ବାତିଲ ପାଇଁ ନିର୍ଦ୍ଦେଶ । ଯାହା ପରେ ସରକାରଙ୍କ ଏପରି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସାଧାରଣ ଲୋକେ । କିଛି ଏପରି ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ପିଏ ଆଇଟିଡିଏଙ୍କ ବଦଳିକୁ ନେଇ । ସୂଚନା ଅନୁଯାୟୀ ଗତକାଲି ରାଜ୍ୟ ଅନୁସୁଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର ପତ୍ର ସଂଖ୍ୟା ୧୬୩୭୫ରେ ଜିଲ୍ଲାର ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀଙ୍କ ବଦଳି ପାଇଁ ନିର୍ଦେଶ ହୋଇଥିଲା । ତେବେ ଏହି ବଦଳି ଆଦେଶ ଆସିଥିବା ବେଳେ ଏହାର କେଇ ଘଣ୍ଟା ମଧ୍ୟରେ ପତ୍ର ସଂଖ୍ୟା ୧୬୪୮୨ରେ ବଦଳି ବାତିଲ ପାଇଁ ପୁଣି ବିଭାଗ ପକ୍ଷରୁ ନିର୍ଦେଶ ଆସିଲା । ଯାହାକୁ ନେଇ ଲୋକଙ୍କ ମଧ୍ୟରେ ପ୍ରଶ୍ନ ସୃଷ୍ଟି ହେବା ସହ ଆଲୋଚନା ମଧ୍ୟ ଜୋର ଧରିଛି । ତେବେ ପତ୍ର ସଂଖ୍ୟା ୧୬୩୭୫ରେ ଜୟଶ୍ରୀଙ୍କୁ ଉତ୍ତାରାଂଚଳ ଆରଡିସିଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା । ଏହାପରେ ଉପ ଜିଲ୍ଲାପାଳ ତାଙ୍କ ଠାରୁ ଦାଇତ୍ଵ ଗ୍ରହଣ ପାଇଁ ଯାଇଥିବା ନେଇ ମଧ୍ୟ ସୂଚନା ମିଳିଥିଲା । ତେବେ ଏହି ଆଦେଶ ଆସିବାର ମାତ୍ର ୩ରୁ ୪ ଘଣ୍ଟା ମଧ୍ୟରେ ତାଙ୍କର ବଦଳି ବାତିଲ ପାଇଁ ନିର୍ଦେଶ ଆସିବା ପରେ ଜୟଶ୍ରୀଙ୍କ ଉପରେ ବଡ ବଡିଆଙ୍କ ହାତ ରହିଥିବା ଓ ଏହି ବଦଳି ବାତିଲ ପଛରେ ରାଜନେତା ଏବଂ କିଛି ଠିକାଦାରଙ୍କ ହାତ ରହିଥିବା ନେଇ ଚର୍ଚା ଜୋର ଧରିଛି । ତେବେ ଏହି ଘଟଣା ତାଙ୍କ କ୍ଷେତ୍ରରେ ପ୍ରଥମ ଥର ନୁହେ ବରଂ ପୂର୍ବରୁ ମଧ୍ୟ ଜୟଶ୍ରୀଙ୍କ ଏହିପରି ବଦଳି ହୋଇ ବାତିଲ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଗତ କିଛି ଦିନ ପୂର୍ବେ ଜୟଶ୍ରୀଙ୍କ ନାମରେ ସେହି ସଂସ୍ଥାର ଜଣେ ପୂର୍ବତନ କନିଷ୍ଠ ଜନ୍ତ୍ରୀ ବିଭିନ୍ନ ଅଭିଯୋଗ ଆଣି ମୁଖ୍ୟମନ୍ତ୍ରୀ ମୋହନ ମାଝିଙ୍କ ଦ୍ବାରସ୍ଥ ହୋଇଥିଲେ । ଗତ ଜୁଲାଇ ୧ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମୋହନ ମାଝୀଙ୍କ ନିକଟରେ ଫେରାଦ ହୋଇ ପୂର୍ବତନ କନିଷ୍ଠ ଜନ୍ତ୍ରୀ ଲକ୍ଷ୍ମୀଧର ବିହାରୀ । ଏହାସହ ଶ୍ରୀ ବିହାରୀ ଆହୁରି ମଧ୍ୟ ଅଭିଯୋଗ ଆଣିଥିଲେ ଯେ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀ ତାଙ୍କ ଠାରୁ ଅନେକ ବିଲ ପାସ ପାଇଁ ଲକ୍ଷ ଲକ୍ଷ ଟଙ୍କା ଅର୍ଥ ନେଇଥିଲେ । ତେବେ ସେହି ସମୟରେ ଜୟଶ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଥିବା ସହ ସମ୍ପୃକ୍ତ କନିଷ୍ଠ ଜନ୍ତ୍ରୀ ଶ୍ରୀ ବିହାରୀ ନିଜ ଦାଇତ୍ଵରେ ଅବହେଳା ପାଇଁ ତାଙ୍କ ନାମରେ ଥାନାରେ ମାମଲା ରୁଜୁ ହୋଇଥିବାରୁ ସେ ଏହିପରି ମିଥ୍ୟା ଅଭିଯୋଗ ଆଣିଥିବା ପ୍ରକାଶ କରିଥିଲେ । ଏସବୁ ମଧ୍ୟରେ ଜୟଶ୍ରୀଙ୍କ ବଦଳି ବାତିଲ ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଥିବା ବେଳେ ଏନେଇ ତାଙ୍କୁ ଯୋଗାଯୋଗ କରିବାରୁ ସେ ପ୍ରକାଶ କରିଛନ୍ତି ଯେ, ଏହି ବଦଳି ଭୁଲ ବଶତ ହୋଇଥିଲା । ଯେଉଁ ସ୍ଥାନକୁ ମୋର ବଦଳି ପାଇଁ ନିର୍ଦେଶ ଆସିଥିଲା ସେହି ସ୍ଥାନରେ ଜଣେ ଅଧିକାରୀ ପୂର୍ବରୁ ରହିଥିଲେ । ତେଣୁ ଏହି ବଦଳି ବାତିଲ ହୋଇଥିବା ସେ ସୂଚନା ପାଇଥିବା ନେଇ ପ୍ରକାଶ କରିଛନ୍ତି । ଏହି ସଂସ୍ଥା ନାମରେ ଅନେକ ଅଭିଯୋଗ ରହିଛି । ସଂସ୍ଥା ପକ୍ଷରୁ ବିଗତ ଦିନରେ ଜିଲ୍ଲାର ବିଭିନ୍ନ ଗ୍ରାମ ମାନଙ୍କରେ ସୌର ଚଳିତ ଲାଇଟ ଲଗାଇବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଥିବା ବେଳେ ଏହି କାର୍ଯ୍ୟରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଜିଲ୍ଲାର ବରିଷ୍ଠ ଆଇନ ଜୀବି ରାମ ପଟ୍ଟନାୟକ ଅଭିଯୋଗ କରିଛନ୍ତି । ଏନେଇ ସେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ପାଇଥିବା ନେଇ ପ୍ରକାଶ କରିଛନ୍ତି । ଏହି ସୌର ଲାଇଟ ଲଗାଇବା ପାଇଁ ବଜାର ଦର ଠାରୁ ପ୍ରାୟ ଦୁଇଗୁଣା ଅଧିକ ବଜେଟ ପାସ କରାଯାଇଥିବା ସହ ଏହି ପ୍ରକଳ୍ପକୁ ମଞ୍ଜୁରି ମିଳିବା ପୂର୍ବରୁ ହିଁ ଏହାର କାର୍ଯ୍ୟଦେଶ ଜୟପୁର ଅଞ୍ଚଳର ଜଣେ ଠିକାଦାରଙ୍କୁ ଦିଆଯାଇଥିବା ସୂଚନା ମିଳିଛି । ଯାହାକୁ ନେଇ ଏହି ପ୍ରକଳ୍ପରେ ବ୍ୟାପକ ଅନିୟମିତତା ହୋଇଥିବା ସହ ଲକ୍ଷ ଲକ୍ଷ ଟଙ୍କାର ଅର୍ଥ ଚଳୁ କରାଯାଇଥିବା ଚର୍ଚା ହେଉଛି । ଏହି ସୌର ଲାଇଟ ଲଗାଇବା ଘଟଣା ଯଦିଓ ଜୟଶ୍ରୀଙ୍କ କାର୍ଯ୍ୟକାଳ ମଧ୍ୟରେ ହୋଇ ନାହି, କିନ୍ତୁ ଏହି ପରି ଅନେକ ଘଟଣା ଏହି ସଂସ୍ଥାର କାର୍ଯ୍ୟ ଶୈଳୀ ଉପରେ ବିଭିନ୍ନ ପ୍ରଶ୍ନ ଉଠାଇଛି ।

nis-ad
Leave A Reply

Your email address will not be published.