ସହରରେ ବେଲଗାମ ମଦ ଦୋକାନ : ଅବକାରୀ ବିଭାଗର ଖାମଖିଆଲି ନୀତି ବିରୁଦ୍ଧରେ ହେବ ଘଣ୍ଟ ଯାତ୍ରା

ଅଗଷ୍ଟ ୧୨ରେ ବିକ୍ଷୋଭ
ବ୍ରହ୍ମପୁର : ଅଗ୍ରଣୀ ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚର ଏକ ଜରୁରୀ ବୈଠକ ସ୍ଥାନୀୟ ବିଜିପୁର କମ୍ୟୁନିଟି ହଲ ଠାରେ ମଞ୍ଚ ସଭାପତି ଗଗନ ଚନ୍ଦ୍ର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି | ମାସିକ ସମୀକ୍ଷା ସହ ନୂତନ ପ୍ରସ୍ତାବ ନେଇ ବୈଠକରେ ଆଲୋଚନା ହୋଇଛି | ଶିକ୍ଷାଗତ ସମସ୍ୟା , ସ୍ୱାସ୍ଥ୍ୟ ଚିକିତ୍ସାରେ ଅବହେଳା, ବାର୍ଦ୍ଧକ୍ୟ ଭତ୍ତା ୩୦୦୦ଟଙ୍କା ଓ ୩୦୦ୟୁନିଟ ବିଜୁଳି ଯୋଗାଇବା ପ୍ରତିଶୃତି ପାଳନ ନ କରାଯିବା , ଶିକ୍ଷା ଉପରେ ୧୮ପ୍ରତିଶତ ଜିଏସଟି ଭଳି ସମସ୍ୟା ଠୁ ଆରମ୍ଭ କରି ରାଜ୍ୟରେ ଦିନକୁ ଦିନ ବୃଦ୍ଧି ପାଉଥିବା ମଦର ପ୍ରଚାର ପ୍ରସାର ଆଉ ଏକ ବଡ଼ ଚିନ୍ତାଜନକ ବିଷୟ ଉପରେ ଆଲୋଚନା ହୋଇଥିଲା l ରାଜ୍ୟରେ ବେଲଗାମ ଭାବେ ଯେଉଁଭଳି ମଦ ଦୋକାନ ଖୋଲାଚାଲିଛି, ସେଥିପାଇଁ କୌଣସି ନୀତି ନିୟମକୁ ସରକାର ମାନୁନାହାନ୍ତି l ଗୋଟିଏ ପକ୍ଷରେ ବେରୋଜଗାର ଓ ଦରଦାମ ବୃଦ୍ଧି ଆକାଶ ଛୁଆଁ ହୋଇଥିଲା ବେଳେ ତାକୁ ନିୟନ୍ତ୍ରଣ କରିବାରେ ସରକାର କୌଣସି ଯୋଜନା କରୁନାହାନ୍ତି l ଅଥଚ ରାଜ୍ୟରେ ମଦ ଦୋକାନ ମାଳକୁ ମାଳ ଖୋଲି ଛାତ୍ର, ଯୁବକଙ୍କୁ ମଦ୍ୟପ କରି ଅସାମାଜିକ କାମ ଆଡକୁ ଠେଲି ଦେବା ବା ନିଜର ଦଳଗତ କାର୍ଯ୍ୟକ୍ରମରେ ବ୍ୟବହାର କରିବା ଭଳି କାମ କରି ଯୁବକ ମାନଙ୍କ ଚରିତ୍ର, ସ୍ୱାଭିମାନକୁ ଧ୍ବଂସ କରୁଛନ୍ତି l ନିଶାସକ୍ତ ଯୁବକ ମାନେ ହତ୍ୟା, ମାରପିଟ, ଭଙ୍ଗାରୁଜା ଭଳି ଉନ୍ମୁତ୍ତ କାଣ୍ଡ ଭିଆଇବା,ଆଇନ ଶୃଙ୍ଖଳା ଭାଙ୍ଗିବା , ସଡ଼କ ଦୁର୍ଘଟଣା ବୃଦ୍ଧି ସହ ଲୋକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇ ବହୁ ଧନ ଜୀବନ ଅକାଳରେ ଚାଲିଯାଉଛି l ସେହିଭଳି ବ୍ରହ୍ମପୁର ସହରରେ ମଦ ଦୋକାନ ଖୋଲିବାର ପ୍ରତିଯୋଗିତାରେ ସରକାର ବିଭିନ୍ନ ସ୍କୁଲ କଲେଜ ଧର୍ମାନୁଷ୍ଠାନ ଆଦି ନିକଟରେ ମଧ୍ୟ ମଦ ଦୋକାନ ଖୋଲିବାକୁ ନିର୍ଲଜ ଭାବେ ଅନୁମତି ଦେଉଛନ୍ତି ଅର୍ଥାତ ଅବକାରୀ ନିୟମର ଖୋଲାଖୋଲି ଉଲ୍ଲଂଘନର ଏକ ନିଦର୍ଶନ ପାଲଟିଛି ବ୍ରହ୍ମପୁର ସହର l କୌଣସି ପୋଖରୀର ଗାଧୁଆ ତୁଠର ୧୦୦ମିଟର ମଧ୍ୟରେ, ଧାର୍ମିକ ଅନୁଷ୍ଠାନର ୫ଶହ ମିଟର ମଧ୍ୟରେ, ଶିକ୍ଷାନୁଷ୍ଠାନର ୫ଶହ ମିଟର ମଧ୍ୟରେ, ବଜାର ମଧ୍ୟରେ, ରେଳ ଷ୍ଟେସନ, ବସଷ୍ଟାଣ୍ଡ, ପେଟ୍ରୋଲ ପମ୍ପ, ମିଲ୍ଲ ଓ କାରଖାନାର ୫ଶହ ମିଟର ମଧ୍ୟରେ ମଦ ଦୋକାନ ରହିବା ପାଇଁ ଅନୁମତି ଦିଆଯାଇପାରିବ ନାହିଁ l କିନ୍ତୁ ବ୍ରହ୍ମପୁର ସହରରେ ଏହି ସମସ୍ତ ସର୍ତ୍ତ ବା କଟକଣାକୁ ଭୃକ୍ଷେପ କରାଯାଉନାହିଁ l ବରଂ ୫ଶହ ମିଟର ବଦଳରେ ସ୍କୁଲର ୫୦ମିଟର ମଧ୍ୟରେ ମଧ୍ୟ ସହରରେ ମଦ ଦୋକାନ ଖୋଲିବା ପାଇଁ ଅବକାରୀ ବିଭାଗ ଅନୁମତି ଦେଇଛି l ଅବକାରୀ ବିଭାଗର ଏ ପ୍ରକାର ସର୍ତ୍ତ ଖିଲାପ ଖମାଖିଆଲି ନୀତି ତୁରନ୍ତ ନ ବଦଳାଇଲେ ଅବକାରୀ ବିଭାଗ ସମ୍ମୁଖରେ ଘଣ୍ଟ ବିକ୍ଷୋଭ ଅନୁଷ୍ଠିତ ହେବ ବୋଲି ମଞ୍ଚ ଆବାହକ ଆଇନଜୀବି ଅବନୀ ଗୟା ଚେତାବନୀ ଦେଇଛନ୍ତି l ଏହି କ୍ରମରେ ଆସନ୍ତା ୧୨ତାରିଖରେ ବ୍ରହ୍ମପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହେବାକୁ ଆଜିର ବୈଠକରେ ସ୍ଥିର ହୋଇଛି l ବୈଠକରେ ସାଙ୍ଗଠନିକ ସମ୍ପାଦକ ଅଳକନାଥ ମିଶ୍ର, ଆର. କ୍ରିଷ୍ଣା ରେଡ୍ଡୀ,ବିରେନ କୁମାର ବେହେରା,ପ୍ରଫୁଲ୍ଲ କୁମାର ଜେନା,ବିଜୟ ଚନ୍ଦ୍ର ବିଷୋୟୀ,ଏସ.ସାମ୍ବଶିବା ରାଓ, ଆର. ସତ୍ୟ ନାରାୟଣ ରାଓ,ରମେଶ ଚନ୍ଦ୍ର ବେହେରା,ରାମଚନ୍ଦ୍ର ସାହାଣୀ, ସନ୍ତୋଷ କୁମାର ପାତ୍ର, ଆଦିତ୍ୟ ନାରାୟଣ ରଥ ପ୍ରମୁଖ ଆଲୋଚନାରେ ଅଂଶ ଗ୍ରହଣ କରି ସରକାରଙ୍କ ଅବକାରୀ ନୀତିକୁ ଦୃଢ଼ ସମାଲୋଚନା କରିଛନ୍ତି l

nis-ad
Leave A Reply

Your email address will not be published.