ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଗୁରୁଜୀଙ୍କ ମାଡ଼ରେ ସପ୍ତମ ଶ୍ରେଣୀ ଛାତ୍ରଙ୍କ କାନ ପରଦା ଫାଟିଲା

ଚିକିଟୀ : ବିଦ୍ୟାଳୟକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯିବା ସହିତ ବିଦ୍ୟାଳୟ କାନ୍ଥରେ ଏନେଇ ଲିଖିତ ଭି ରହିଛି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ମାଡ଼ ମାରିପାରିବେ ନାହିଁ ବୋଲି ଶିକ୍ଷା ଅଧିକାର ଅଧିନିୟମରେ ବି ଉଲ୍ଲେଖ ରହିଛି। ହେଲେ ସରକାରଙ୍କ ଏହି ନିର୍ଦ୍ଦେଶନାମା ସବୁଯାଗରେ କାର୍ଯ୍ୟକାରୀ ହୋଇପାରୁନାହିଁ। କିଛି ଜାଗାରେ ଶିକ୍ଷକ ମାନେ ନିଜ ଛାତ୍ରଛାତ୍ରୀଙ୍କୁ ଅହେତୁକ ମାଡ଼ ମାରିବା ଘଟଣା ନଜିର ରହିଛି। ଏଭଳି ଏକ ଘଟଣା ଚିକିଟୀ ପେଣ୍ଠ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଦେଖିବାକୁ ମିଳିଛି। ଶିଶୁ ବିଦ୍ୟା ମନ୍ଦିରର ରଞ୍ଜିତ ପ୍ରଧାନ ନାମକ ଜଣେ ଗୁରୁଜୀ ପ୍ରାର୍ଥନା ସମୟରେ ସପ୍ତମ ଶ୍ରେଣୀ ଛାତ୍ର ସାଗର ସାହୁର କାନ ଉପରକୁ ମାଡ଼ ମାରିଥିଲେ ଯାହା ଫଳରେ ଉକ୍ତ ଛାତ୍ରର କାନର ପରଦାଟୀ ଫାଟି ଯାଇଥିବାର ସୂଚନା ମିଳିଛି।

ଘଟଣା ଗୁରୁବାର ଘଟିଥିଲେ ବି ବିଦ୍ୟାଳୟ କର୍ତ୍ତୃପକ୍ଷ ଏହି ଘଟଣାକୁ ଗୁରୁତରତାର ନନେଇ ଚାପିଦେବାକୁ ଉଦ୍ୟମ ଚଳେଇଥିବା ଅଭିଯୋଗ ହୋଇଛି। ଆହତ ଛାତ୍ରଙ୍କ ବାପା ଟିଟୁ ସାହୁଙ୍କର ଅଭିଯୋଗ ପ୍ରକାରେ ଗତ ଗୁରୁବାର ସନ୍ଧ୍ୟାରେ ସେ ବ୍ରହ୍ମପୁର ରୁ ଘରକୁ ଫେରିବା ପରେ ତାଙ୍କ ପୁଅ ସାଗର ତାଙ୍କୁ ରଞ୍ଜିତ ଗୁରୁଜୀ ତାର କାନମୁଣ୍ଡା ଉପରକୁ ମାଡ଼ ମାରିଥିବା ବିଷୟ କହିଥିଲା। ଶୁକ୍ରବାର ନିଜ ପୁଅକୁ ଧରି ଟିଟୁ ବ୍ରହ୍ମପୁର ବଡ଼ ମେଡିକାଲ ନେଇ ଇଏନଟି ବିଭାଗରେ ଦେଖାଇବା ପରେ ଡାକ୍ତର ପିଲାର କାନର ପରଦା ଫାଟିଯାଇଥିବା କହିବା ସହ ସାତଦିନ ଘରେ ଔଷଧ ଖାଇ ବିଶ୍ରାମ ପରେ ପୁଣି ଡାକ୍ତରଖାନା ପିଲାକୁ ଆଣିବାକୁ କହିଥିଲେ।

ଇତିମଧ୍ୟରେ ଘଟଣାର ଦୁଇଦିନ ପରେ ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଆହତ ପିଲାର ଘରକୁ ଆସିବା ପରେ ପିଲାର ବାପା ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।ମାଡ଼ ହେବା ପରେ ଅଭିଭାବକଙ୍କୁ ଜଣେଇବା ପରିବର୍ତ୍ତେ ପିଲାକୁ ମାଡ଼ ହେବାର ଦୁଇଦିନ ପରେ ଆସିଛନ୍ତି କି ବୋଲି ପଚାରିଥିଲେ। ବିଜ୍ଞାନମେଳା ଥିଲା ଏବଂ ମୋର ଗୋଡ଼ ମାଡ଼ ଯୋଗୁଁ ଆସିପାରିଲି ନାହିଁ ବୋଲି ପ୍ରଧାନ ଆଚାର୍ଯ୍ୟ ଅଭିଭାବକଙ୍କୁ ଉତ୍ତର ଦେଇଥିଲେ। ଏବେ ଘରେ ପିଲାର ଚିକିତ୍ସା ଚାଲିଥିବା ବେଳେ ତାକାନ ପଚି ସେଥିରୁ ପୂଜ ରକ୍ତ ବାହାରୁଛି। ପିଲାର ବାପା ତାକୁ ବିଶାଖପାଟଣା ନେଇ ଚିକିତ୍ସା କରିବା ପାଇଁ ବର୍ତ୍ତମାନ ପ୍ରସ୍ତୁତ ହେଉଛନ୍ତି।ଘଟଣା ନେଇ ମାଡ଼ ମାରିଥିବା ପ୍ରଧାନ ଆଚାର୍ଯ୍ୟ ନିରଞ୍ଜନ ବିଶୋଇଙ୍କ ସହ ଯୋଗାଯୋଗ କରିବାରେ ମାଡ଼ ମାରିବା ଘଟଣା ସତ ବୋଲି ଉଲ୍ଲେଖ କରିବା ସହିତ ସମ୍ପୃକ୍ତଶିକ୍ଷକଙ୍କୁ ଏନେଇ ତାଗିଦ କରାଯାଇଥିବା ଏବଂ ଆହତ ପିଲାର ଅଭିଭାବକଙ୍କୁ ଏପରି ଘଟଣା ଆଗକୁ ହେବନାହିଁ ବୋଲି କୁହାଯାଇଥିବା ସଫେଇ ଦେଇଛନ୍ତି।

ଶିଶୁ ମନ୍ଦିର ଭଳି ଏକ ପବିତ୍ର ଶିକ୍ଷା ଅନୁଷ୍ଠାନରେ ଜଣେ କୋମଳମତି ବାଳକକୁ ଏଭଳି ମାଡ଼ ମାରିବା ଘଟଣାକୁ ସବୁ ମହଲରେ ନିନ୍ଦା କରାଯାଉଥିବା ବେଳେ କିଛି କୁଚକ୍ରି ଗୋଷ୍ଠୀ ଘଟଣାକୁ ଚାପି ଦେବାକୁ ଉଦ୍ୟମ ଚଳାଇଥିବା ଦେଖିବାକୁ ମିଳିଛି। ଏନେଇ ଉଚ୍ଚ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି।

nis-ad
Leave A Reply

Your email address will not be published.