ଖୋଲିଲା ମାଁ ମଝିଘରିଆଣିଙ୍କ ୯ ହୁଣ୍ଡି ମିଳିଲା ୯୯ ଲକ୍ଷ ୧୫ ହଜାର ୪୨୨ଟଙ୍କା, ୩୩ ଟି ବିଦେଶୀ ନୋଟ ସମେତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୂପା…

ରାୟଗଡ଼ା : ରାୟଗଡ଼ା ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ମନ୍ଦିର ହୁଣ୍ଡି ବୁଧବାର ଖୋଲାଯାଇଛି। ମନ୍ଦିରରେ ଥିବା ୯ ଟି ଦାନହୁଣ୍ଡି ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି। ହୁଣ୍ଡିରୁ ନଗଦ ନଗଦ ୯୯ ଲକ୍ଷ ୧୫ ହଜାର ୪୨୨ ଟଙ୍କା ସହିତ ୫୩ ଗ୍ରାମ ସୁନା ଓ ୨୩୯୨ ଗ୍ରାମ ରୁପା ବାହାରିଥିବା ଜଣାପଡ଼ିଛି। ଏଥିସହିତ ବିଭିନ୍ନ ପ୍ରକାର ୩୩ ଟି ବିଦେଶୀ ନୋଟ ମଧ୍ଯ ବାହାରିଛି। ଏଥିରେ ଇଂଲଣ୍ଡର ୨୦ ପାଉଣ୍ଡ ନୋଟ ୨୦ଟି, ୧୦ ପାଉଣ୍ଡ ନୋଟ ୧୦ଟି, କାନାଡାର ୫ କାନାଡିଆନ ଡଲାର ୧ ଟି, ଆମେରିକାର ୨୦ ଡଲାର ନୋଟ ୧ଟି ଏଵଂ ଥାଇଲାଣ୍ଡର ୧୦୦ ଥାଇବାତ୍ ନୋଟ ରହିଛି। ବିଦେଶରେ ରହୁଥ‌ିବା କୌଣସି ଭକ୍ତ ମାଁଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି। ବୁଧବାର ସକାଳ ୯ ଟାରେ ମାଜିଷ୍ଟ୍ରେଟ ଓ

ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା। ଦୀର୍ଘ ୧୦ ଘଣ୍ଟା ଧରି ଗଣତି ଚାଲିଥିଲା। ଏହା ପୂର୍ବରୁ ଚୈତ୍ର ଯାତ୍ରା ପୂର୍ବରୁ ଗତ ମାର୍ଚ୍ଚ ୧୮ ତାରିଖରେ ହୁଣ୍ଡିରୁ ନଗଦ ନଗଦ ୮୯ ଲକ୍ଷ ୭୨ ହଜାର ୨୨୫ ଟଙ୍କା ସହିତ ୬୨ ଗ୍ରାମ ସୁନା ଓ ୨୩୦୦ ଗ୍ରାମ ରୁପା ବାହାରିଥିଲା। ଏଥିସହିତ ବିଭିନ୍ନ ପ୍ରକାର ୬୬ଟି ବିଦେଶୀ ନୋଟ ମଧ୍ଯ ବାହାରିଥିଲା। ଏହି ବିଦେଶୀ ନୋଟରେ ଡଲାର, ପାଉଣ୍ଡ ସହିତ ବିଭିନ୍ନ ଦେଶର ନୋଟ ରହିଥିଲା। ସୂଚନା ଥାଉକି , ବର୍ଷକୁ ୩ ରୁ ୪ ଥର ହୁଣ୍ଡି ଖୋଲାଯାଇ ଗଣତି କରାଯାଉଛି I ବୁଧବାର ହୁଣ୍ଡିରୁ ବାହାରିଥିବା ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ଗଚ୍ଛିତ ରଖାଯାଇଛି। ସେହିଭଳି ସୁନା ଓ ରୁପା ଜିଲା କୋଷାଗାରରେ ରଖାଯାଇଛି। ଏହି ଗଣତିରେ ବ୍ୟାଙ୍କ କର୍ମଚାରୀଙ୍କ ସମେତ ଅନେକ ସ୍ୱେଚ୍ଛାସେବୀ ସାମିଲ ହୋଇଥିଲେ। ହୁଣ୍ଡି ଖୋଲି ଗଣତି ବେଳେ ପୋଲିସ ଓ ମନ୍ଦିର ସୁରକ୍ଷା କର୍ମୀଙ୍କ ଦ୍ବାରା ସୁରକ୍ଷା ବ୍ୟବସ୍ଥାକୁ କଡାକଡ଼ି କରାଯାଇଥିଲା।

nis-ad
Leave A Reply

Your email address will not be published.