ବିଧାନସଭା ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ

ଭୁବନେଶ୍ବର: ଆସନ୍ତାକାଲି ସପ୍ତଦଶ ବିଧାନସଭାର ପ୍ରଥମ ଅଧିବେଶନ ବସିବାକୁ ଯାଇଥିବା ବେଳେ ଆଜି ବାଚସ୍ପତି ସୁରମା ପାଢୀ ସର୍ବଦଳୀୟ ବୈଠକ ଡାକିଥିଲେ । ବାଚସ୍ପତି ସୁରମା ପାଢ଼ୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସି ଦେଓ ଏବଂ ପ୍ରଭାତି ପରିଡାଙ୍କ ସମେତ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ଓ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସାମିଲ ହୋଇଥିଲେ । ଏହା ସହିତ ବରିଷ୍ଠ ବିଜେପି ନେତା ଜୟନାରାୟଣ ମିଶ୍ର ମଧ୍ୟ ସାମିଲ ହୋଇଥିଲେ ।

ବିରୋଧୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ମଧ୍ୟ ଉପସ୍ଥିତ ଥିଲେ । ହେଲେ ଏହି ବୈଠକରେ ଯୋଗଦେଇ ନାହିଁ କଂଗ୍ରେସ । ଏହା ସହିତ ସିପିଏମର ଦଳର ମଧ୍ୟ କୌଣସି ବିଧାୟକ ଉପସ୍ଥିତ ନଥିଲେ । ତେବେ ଏନେଇ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ କହିଛନ୍ତି,  କଂଗ୍ରେସ ଯେହେତୁ ବିଧାୟକ ଦଳ ନେତା ବାଛିନି, ମୁଁ ପିସିସି ସଭାପତିଙ୍କ ସହ କଥା ହୋଇଥିଲି । ଏହା ସହିତ ସିପିଏମ୍‌ ସଦସ୍ୟ ଲକ୍ଷ୍ମଣ ମୁଣ୍ଡାଙ୍କ ସହ ଫୋନ୍‌ରେ କଥା ହୋଇଥିଲି । ହେଲେ ଉଭୟ ଦଳର ପ୍ରତିନିଧି ବୈଠକକୁ ଆସିପାରି ନାହାନ୍ତି ।

ଏହା ସହିତ ସେ ଆହୁରି ମଧ୍ୟ କହିଛନ୍ତି, ବୈଠକରେ ବିଜନେସ ଅଫ ବୁକ୍ ଅଫ ଆସେମ୍ବ୍ଲି ଅନୁଯାୟୀ ବିଧାନସଭା ଗୃହ ସୁରୁଖୁରୁରେ ଚାଲିବା ନେଇ ଆଲୋଚନା ହୋଇଥିଲା । ଏଥିରେ ମଧ୍ୟ ସର୍ବସମ୍ମତି ଥିବା ବେଳେ ବିରୋଧୀ ବିଜେଡି ପ୍ରତିନିଧି ପ୍ରମିଳା ମଲ୍ଲିକ ବିଧାନସଭାକୁ ଚଳାଇବାରେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଅନ୍ୟପକ୍ଷରେ, ସର୍ବଦଳୀୟ ବୈଠକ ପୂର୍ବରୁ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟି ତାଙ୍କୁ ବୈଠକ ପାଇଁ ନିମନ୍ତ୍ରଣ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏହାସହିତ ନବୀନଙ୍କୁ ବିଧାନସଭାକୁ ସବୁଦିନ ଆସିବା ପାଇଁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  । ବିଧାନସଭାରେ ବିରୋଧୀଦଳ ନେତା ଭାବେ ସରକାର ଚଳାଇବା ପାଇଁ ଗଠନମୂଳକ ପ୍ରସ୍ତାବ ଦେବା ପାଇଁ ମଧ୍ୟ ଆଗ୍ରହ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ  । ଏଥିସହିତ ତାଙ୍କ ପ୍ରସ୍ତାବକୁ ଗ୍ରହଣ କରିବା ପାଇଁ ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି ।

nis-ad
Leave A Reply

Your email address will not be published.