ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି କ୍ଷେତ୍ରରେ କାର୍ଯ୍ୟ କରୁଛି ଜିଲ୍ଲା ଖଣିଜ ପ୍ରତିଷ୍ଠାନ…

ସୁନ୍ଦରଗଡ: ୧୬/୭/୨୦୨୪ : ଖଣି ଖନନ ପ୍ରଭାବିତ ଅଂଚଳର ଯୁବକ ଯୁବତୀମାନଙ୍କୁ ତାଲିମ୍ ଦେଇ ଦକ୍ଷ କରିବା ଏବଂ ସେମାନଙ୍କୁ ନିଯୁକ୍ତି ସକ୍ଷମ କରିବା ସବୁବେଳେ ଏକ ଆହ୍ୱାନ ହୋଇ ରହି ଆସିଛି । ଏହା ଦେଖାଯାଇଛି ଯେ ସ୍ଥାନୀୟ ଅଂଚଳରେ କର୍ମ ସଂସ୍ଥାନର ଅଭାବ ଏବଂ ମିଳୁଥିବା କର୍ମ ସମ୍ବଳ ପାଖରେ ଦକ୍ଷତାର ଅଭାବ ଯୋଗୁଁ , ସାଧାରଣତଃ ଅନେକ ଜାଗାରେ ଲୋକମାନେ ଦାଦନ ଖଟିବାକୁ ବାଧ୍ୟ ହୁଅନ୍ତି । ଏପରି ସ୍ଥଳରେ ଖଣି ଖନନ ପ୍ରଭାବିତ ଅଂଚଳର ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ତାଲିମ୍ ଦେଇ ସେମାନଙ୍କର ଦକ୍ଷତା ବୃଦ୍ଧି କରି ସେମାନଙ୍କୁ କର୍ମସଂସ୍ଥାନ ଯୋଗାଇବା ଏକମାତ୍ର ବିକଳ୍ପ ହୋଇଥାଏ । ଆଉ ଗତ କିଛି ବର୍ଷ ଧରି ଏହି କାମକୁ ବେଶ ସୁରୁଖୁରୁରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ଚଲାଇ ଆସୁଛି । ବିଭିନ୍ନ ବ୍ଲକ୍ ମାନଙ୍କରେ ପିଲାମାନଙ୍କୁ ଗୁଣାତ୍ମକ ତାଲିମ୍ ଦେଇ ସେମାନଙ୍କୁ ବିଭିନ୍ନ କର୍ମ କ୍ଷେତ୍ରରେ ନିଯୁକ୍ତି ଦେବା ଦିଗରେ ଅନବରତ ପ୍ରଚେଷ୍ଟା ଜାରୀ ରଖିଛି ।


ସୁନ୍ଦରଗଡ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ତରଫରୁ ଏହି ଖଣିଜ ପ୍ରଭାବିତ ବ୍ଲକ ମାନଙ୍କରେ ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ତାଲିମ୍ ଦେବାର ଆହ୍ୱାନଭରା କାମ କରିବା ଜାରୀ ରହିଛି । ଜିଲ୍ଲା ପ୍ରଶାସନ ତରଫରୁ ରାଜ୍ୟର କିଛି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନ ଯେପରିକି ବଲାଙ୍ଗୀର ସ୍ଥିତ ରାଜ୍ୟ ହୋଟେଲ ମ୍ୟାନେଜମେଂଟ ପ୍ରତିଷ୍ଠାନ, ରାଉରକେଲା ସ୍ଥିତ ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇନଜିନିୟରିଂ ଏଣ୍ଡ ଟେକ୍ନୋଲୋଜି , ଭୁବନେଶ୍ୱର ସ୍ଥିତ ସେଂଟ୍ରାଲ ଟୁଲ ରୁମ୍ ଟ୍ରେନିଂ ସେଣ୍ଟର ଏବଂ ସୁନ୍ଦରଗଡ ତଥା କଲୁଂଗା ସ୍ଥିତ ମାଇକ୍ରୋ ସ୍ମଲ ଏଣ୍ଡ ମିଡିୟମ ଏଂଟରପ୍ରାଇଜେର୍ସ ସହ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏହି କ୍ରମରେ ଏଠାରେ ପାଠ ପଢୁଥିବା ପିଲାମାନଙ୍କର କୋର୍ସ ଦେୟ, ହଷ୍ଟେଲ ଦେୟ ଆଦି ସହ ପାଠ୍ୟପୋକରଣ ଆଦିର ଖର୍ଚ୍ଚ ବହନ କରିବା ଏବଂ ସେମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ଧ୍ୟାନ ଦିଆଯାଉଛି ।


୨୦୨୩-୨୪ ମସିହାରେ ସେଂଟ୍ରାଲ ଟୁଲ ରୁମ୍ ଟ୍ରେନିଂ ସେଂଟର ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ବେଳେ ଏଥିରେ ଏଯାଏ ୫୪ ଜଣ ପିଲାଙ୍କୁ ତାଲିମ ଦିଆଯାଇ ସେଥିରୁ ୨୬ ଜଣଙ୍କୁ କର୍ମ ନିଯୁକ୍ତି ପ୍ରଦାନ କରାଯାଇ ସାରିଛି । ସେହିପରି ରାଉରକେଲାସ୍ଥିତ ସେଂଟ୍ରାଲ ଇନଷ୍ଟିଚ୍ୟୁଟ୍ ଅଫ୍ ପ୍ଲାଷ୍ଟିକ୍ ଇଂଜିନିୟରିଂ ଏଣ୍ଡ ଟେକ୍ନୋଲୋଜି ସହ ୨୦୨୧-୨୨ ରୁ ଚୁକ୍ତି ସମ୍ପାଦିତ ହୋଇ ଆସୁଛି । ଏଯାଏ ଏହି ଅନୁଷ୍ଠାନ ତରଫରୁ ୪୮୦ ଜଣଙ୍କୁ ତାଲିମ୍ ଦିଆଯାଇ ୨୬୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିଛି ।


ବଲାଙ୍ଗୀର ସ୍ଥିତ ରାଜ୍ୟ ହୋଟେଲ ମ୍ୟାନେଜମେଂଟ ପ୍ରତିଷ୍ଠା ତରଫରୁ ୨୦୨୦-୨୧ବିଭିନ୍ନ ଯୁବକଯୁବତୀଙ୍କୁ ହୋଟେଲ ପରିଚାଳନା ସଂପର୍କୀତ ତାଲିମ ପ୍ରଦାନ କରାଯାଉଛି । ଏଠାରେ ପିଲାମାନଙ୍କୁ ହୋଟେଲ ପରିଚାଳନା ବିଭାଗ ସମ୍ବନ୍ଧୀୟ ବିଭିନ୍ନ ତାଲିମ୍ ଯଥା ଖାଦ୍ୟ ପ୍ରସୁତି, ହାଉସ୍ କିପିଂ, ଇତ୍ୟାଦି ଉପରେ ତାଲିମ୍ ଦିଆଯାଇ ସେମାନଙ୍କୁ ଦକ୍ଷ କରାଯାଉଛି । ଏଯାଏ ଏଥିରେ ପାଖାପାଖି ୫୦ ଜଣ ପିଲାଙ୍କୁ ତାଲିମ୍ ମିଳିସାରିଥିବାବେଳେ ୩୯ ଜଣ ଛାତ୍ର ଛାତ୍ରୀଙ୍କୁ ନିଯୁକ୍ତି ମିଳିସାରିଛି ।
ସୁନ୍ଦରଗଡ ତଥା କଲୁଂଗା ସ୍ଥିତ ମାଇକ୍ରୋ ସ୍ମଲ ଏଣ୍ଡ ମିଡିୟମ ଏଂଟରପ୍ରାଇଜେର୍ସ ତରଫରୁ ୨୦୨୨ ମସିହାର ଯୁବକଯୁବତୀମାନଙ୍କର ଦକ୍ଷତା ବୃଦ୍ଧି ପାଇଁ କାର୍ଯ୍ୟ କରୁଛି । ଏଠାରେ ଫ୍ୟାସନ ଡିଜାଇନର , ବରିଷ୍ଠ ନାଗରିକ ସେବା ଯତ୍ନ ସହାୟକ, ଟେଲିକମ କେୟାର ଏଜକ୍ୟୁଟିଭ ପରି ତାଲିମ ପାଇ ନିଜ ନିମନ୍ତେ ଚାକିରୀ ସୁଯୋଗ ସୃଷ୍ଟି କରିପାରୁଛନ୍ତି ।. ଏଯାଏ, ଏହି ଅନୁଷ୍ଠାନରୁ ୮୭୦ ଜଣ ପ୍ରଶିକ୍ଷାର୍ଥି ତାଲିମ ନେଇ ସାରିଥିବାବେଳେ ୨୮୮ ଜଣ ନିଯୁକ୍ତି ସୁଯୋଗ ପାଇ ପାରିଛନ୍ତି ।


ଏହି ସବୁ ଅନୁଷ୍ଠାନର ପିଲାମାନେ ରାଉରକେଲା, କଟକ, ଭୁବନେଶ୍ୱର, ସମ୍ବଲପୁର ସମେତ ରାଜ୍ୟ ବାହାରର ବିଭିନ୍ନ ସ୍ଥାନ ଯଥା ମୁମ୍ବାଇ, ପୁନେ, ଦିଲ୍ଲୀ ଆଦିରେ ନିଯୁକ୍ତି ପାଇବା ସହ ମାସକୁ ୧୫୦୦୦ ରୁ ଆରମ୍ଭ କରି ୫୦,୦୦୦ ହଜାରଯାଏ ରୋଜଗାର କରିପାରୁଛନ୍ତି । ଅନେକ ସ୍ୱାବଲମ୍ବୀ ହୋଇି ନିଜେ ଚଳିବା ସହ ପରିବାରକୁ ମଧ୍ୟ ଚଳାଇ ପାରୁଛନ୍ତି । ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସୁନ୍ଦରଗଡ ଏହପରି ଅଭିନବ ପଦକ୍ଷେପ ନେଇ ଏବେ ଖଣି ଖନନ ପ୍ରଭାବିତ ଅଂଚଳର ଯୁବକ ଯୁବତୀମାନଙ୍କର ଜୀବନଧାରଣର ମାନ ବୃଦ୍ଧି କରିବାରେ ସହାୟକ ହେଉଛି ।

nis-ad
Leave A Reply

Your email address will not be published.