ଉମରକୋଟ /ରାଇଘର : ନବରଙ୍ଗପୁର ଜ଼ିଲ୍ଲା ରାଇଘର ବ୍ଲକ ସଦର ମହକୁମାରେ ଦିନକୁ ଦିନ ଚୋରର ଉପଦ୍ରବ ବୃଦ୍ଧି ପାଇବାକୁ ଲାଗୁଛି । କିନ୍ତୁ ପୋଲିସ ପ୍ରଶାସନ ଚୋରକୁ ଧରିବାରେ ବା ଚୋରର କାର୍ଯ୍ୟକଳାପକୁ ଟେର ପାଇଁ ପାରୁ ନାହାନ୍ତି। ରାତ୍ରିକାଳୀନ ସଦର ପୋଲିସ ଆଉଟ ପୋଷ୍ଟରେ ପୋଲିସ ପ୍ରଶାସନ କାର୍ଯ୍ୟରତ ନ ଥିବା ଯୋଗୁଁ ଚୋର ମାନେ ଏହାର ଫାଇଦା ଉଠାଇ ଚୋରି କରୁଛନ୍ତି କହି ମୁଖ୍ୟ ରାଇଘରର ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଜୋର ଧରିଛି।
ସୂଚନା ପ୍ରକାରେ ରାଇଘର ହିରୋ ହୋଣ୍ଡା ଶୋ ରୁମ ଦୀପକ ବାଡ଼ଇ ଓ ତାଙ୍କ ଭାଇ ଦିପେଶ ବାଡ଼ଇ ସ୍ୱପରିବାର ଗତ ୯ ତାରିଖ ଦିନ ନିଜ ସମ୍ପର୍କୀୟ ଏକ ବିବାହ ଅନୁଷ୍ଠାନରେ ଯୋଗ ଦେବାକୁ ଘରର କବାଟ, ଝରକା ଓ ଗ୍ରୀଲ ବନ୍ଦ କରି ତାଲା ଲଗାଇ ଯାଇଥିଲେ। ୧୪ ତାରିଖ ଆନୁମାନିକ ସନ୍ଧ୍ୟା ପ୍ରାୟ ସାତ ଘଣ୍ଟିକା ସମୟରେ ଦିପେଶ ବାଡ଼ଇ ଘରେ ଫେରି ଆଗ ପଟ ଘରର ତାଲା ଖୋଲି ଘର ଭିତରେ ପ୍ରବେଶ କରି ଦେଖିବାକୁ ପାଇଲେ ଘରର ପଛପଟ ଗ୍ରୀଲ ଭଙ୍ଗା ପଡ଼ିଛି ଓ ଘରର ସବୁ ଦରୱାଜ଼ା ଖୋଲା ପଡ଼ିଛି ଏବଂ ଆଲମିରା ଭଙ୍ଗା ପଡ଼ିଛି।
ଘରର ଆସବାସ ପତ୍ର ସବୁଆଡେ ଅସଜଡ଼ା ଅବସ୍ଥାରେ ପଡ଼ି ରହିଛି ଏବଂ ଆଲମିରାରେ ଥିବା ସୁନା ଗହଣା ଟଙ୍କା ପଇସା କିଛି ନାହିଁ।ଆଲମିରାରେ ଥିବା ସୁନାର କାନଫୁଲ ତିନି ଗୋଟିଏ, ସୁନା କାନ ରିଂ ଗୋଟିଏ, ଦୁଇ ଗୋଟିଏ ସୁନା ଚେନ, ପାଞ୍ଚଟି ସୁନା ଲୋକେଟ, ସୁନା ମୁଦି ଗୋଟିଏ, ନାକ ଫୁଲ ସୁନାର ପାଞ୍ଚଟି, ସୁନା ନେକଲେସ ଗୋଟିଏ, ପାଦ ଆଙ୍ଗୁଠି ଦୁଇଟି ରୁପାର, ରୁପାର ଗୋଟିଏ ଅଣ୍ଟାକୁମ୍ପା, ରୁପା ତ୍ରିଶୂଳ ଗୋଟିଏ ଓ ଆଲମିରାରେ ଥିବା ତିନି ଗୋଟିଏ କୁମ୍ଭରେ ଥିବା ଆନୁମାନିକ ପ୍ରାୟ ( ୪, ୨୦,୦୦୦) ଚାରି ଲକ୍ଷ କୋଡ଼ିଏ ହଜାର ଟଙ୍କା ଚୋରି କରି ନେଇ ଯାଇଛନ୍ତି।
ଏହା ଦେଖିଲା ପରେ ଦିପେଶ ବାଡ଼ଇ ଓ ପରିବାର ହତବମ୍ଭ ହୋଇ ଯାଇଥିଲେ। ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀଙ୍କୁ ସଙ୍ଗେ ସଙ୍ଗେ ଚୋରିର ସୂଚନା ପ୍ରଦାନ କରି ୧୫/୦୭/୨୦୨୪ ରିଖ ସକାଳେ ଏହି ଚୋରି ଘଟଣାର ଏକ ଲିଖିତ ଅଭିଯୋଗ ଦିପେଶ ବାଡ଼ଇ ରାଇଘର ଥାନାରେ କରିଛନ୍ତି। ଦିପେଶ ବାଡ଼ଇର ଲିଖିତ ଅଭିଯୋଗକୁ ଗୁରୁତ୍ୱର ସହିତ ନେଇ ରାଇଘର ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ରଘୁନାଥ ମାଝୀ,୨୧୪/୨୪ ରେ ଏକ କେସ କରି, ଅନୁସନ୍ଧାନ ଜାରି ରଖିଛନ୍ତି।