ଫୁଲବାଣୀ ପୌରାଧ୍ୟକ୍ଷାଙ୍କୁଅନାସ୍ଥା ପ୍ରସ୍ତାବ ଉପରେ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କଲେ ଜିଲ୍ଲାପାଳ :ଚଳିତ ମାସ ୧୯ ରେ ହେବ ଆଲୋଚନା…
ଫୁଲବାଣୀ: ରାଜ୍ୟରେ ପ୍ରଥମ ଥର ପାଇଁ ସରକାର ଗଢିଛି ବିଜେପି। ତେବେ ରାଜ୍ୟର ଖୁବ କମ ପୌରାଞ୍ଚଳରେ ରହିଛନ୍ତି ଦଳୀୟ ଅଧ୍ୟକ୍ଷ/ଅଧ୍ୟକ୍ଷା। ସେଥିମଧ୍ୟରୁ ଫୁଲବାଣୀ ପୌର ପରିଷଦ ଅନ୍ୟତମ । ଏଠାରେ ଦଳର ସଂଖ୍ୟା ଗରିଷ୍ଠତା ନଥିଲେ ମଧ୍ୟ ସିଧାସଳଖ ନିର୍ବାଚନରେ ବିଜୟୀ ହୋଇ ପୌରାଧ୍ୟକ୍ଷା ହୋଇଛନ୍ତି ବିଜେପିର ସ୍ମିତାରାଣୀ ମହାନ୍ତି। ତେବେ ବର୍ତ୍ତମାନ ପୌରାଧ୍ୟକ୍ଷାଙ୍କୁ ଅନାସ୍ଥାର ସାମନା କରିବାକୁ ପଡୁଛି । ସ୍ମିତାରାଣୀଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଦ୍ବିତୀୟ ଥର ପାଇଁ ନୋଟିସ ଜାରି କରିଛନ୍ତି କନ୍ଧମାଳ ଜିଲାପାଳ। ଏନେଇ ଓଡିଶା ହାଇକୋର୍ଟରେ ପୌରାଧ୍ୟକ୍ଷାଙ୍କ ପକ୍ଷରୁ ହୋଇଥିବା ଏକ ରିଟ ପିଟିସନର ରାୟ ଆସିବା ପରେ ଏହି ନୋଟିସ ଜାରି ହୋଇଛି । ପୈାରାଧକ୍ଷା ସ୍ମିତାରାଣୀଙ୍କ ସମେତ ସମସ୍ତ ୧୩ ଜଣ କାଉନସିଲରଙ୍କୁ ଏହି ନୋଟିସ କରିଛନ୍ତି ଜିଲାପାଳ ଆଶୀଷ ଇଶ୍ୱର ପାଟିଲ । ଜିଲ୍ଲାପାଳଙ୍କ ପତ୍ର ଅନୁଯାୟୀ, ଜୁଲାଇ ୧୯ରେ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ବୈଠକ ପରେ ଆବଶ୍ୟକ ସ୍ଥଳେ ଅନାସ୍ଥା ପାଇଁ ଭୋଟ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି । ସୁଚନାଯୋଗ୍ୟ, ପୌର ପରିଷଦର ୧୩ ଜଣ କାଉନସିଲରଙ୍କ ମଧ୍ୟରୁ ୧୧ ଜଣ ଗତ ଏପ୍ରିଲ ୧୦ ତାରିଖରେ ଅନାସ୍ଥା ପ୍ରସ୍ଥାବ ପାଇଁ ଜିଲାପାଳଙ୍କୁ ଲିଖିତ ଭାବେ ଜଣାଇଥିଲେ । ଜିଲାପାଳଙ୍କ ଅଫିସରୁ ଏ ନେଇ ସମସ୍ତ କାଉନସିଲରଙ୍କୁ ନୋଟିସ ମଧ୍ୟ କରାଯାଇଥିଲା । ତେବେ ପୈାରାଧକ୍ଷାଙ୍କୁ ନୋଟିସ କରାଯାଇ ନ ଥିବାରୁ ସେ ହାଇକୋଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟ ପୁଣି ଥରେ ତାରିଖ ଧାର୍ଯ୍ୟ କରିବା ପାଇଁ ଜିଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ପୌରାଧ୍ୟକ୍ଷାଙ୍କୁ ମଧ୍ୟ ଚିଠି କରିବା ପାଇଁ କହିଥିଲେ। ଫୁଲବାଣୀ ପୌର ପରିଷଦରେ ଏବେ ବିଜେଡିର ୭ ଜଣ କାଉନସିଲର ଥିବାବେଳେ ବିଜେପିର ୪ ଜଣ ରହିଛନ୍ତି। ଦୁଇ ସ୍ବାଧୀନ କାଉନସିଲର ଇତି ମଧ୍ୟରେ ବିଜେଡିରେ ସାମିଲ ହୋଇଛନ୍ତି। ତେବେ ଅନାସ୍ଥା ଆଣିଥିବା ୧୧ କାଉନସିଲରଙ୍କ ଭିତରେ ବିଜେପିର ଦୁଇ ଜଣ ମଧ୍ୟ ରହିଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଅନାସ୍ଥା ପାଇଁ ଦୁଇ ତୃତୀୟାଂଶ ଅର୍ଥାତ ୯ ଜଣ ସଦସ୍ୟଙ୍କ ସମର୍ଥନର ଆବଶ୍ୟକ ରହିଛି। ଏଭଳି ସ୍ଥିତିରେ ପଦବୀ ବଞ୍ଚାଇବା ପାଇଁ ପୌରାଧ୍ୟକ୍ଷା କେତେଦୂର ସଫଳ ହେବେ ତାହା ୧୯ ତାରିଖରେ ସ୍ପଷ୍ଟ ହେବ।