୫୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଯୋଗାଣ ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ବଲାଙ୍ଗୀର: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ପଡିଲେ ଯୋଗାଣ ଅଧିକାରୀ । ବଲାଙ୍ଗୀର ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଭାକର ପାତ୍ରଙ୍କୁ ଗିରଫ କଲା ଭିଜିଲାନ୍ସ । ଜଣେ ରାଇସ୍ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ଦ୍ଵାରା ଗିରଫ ହୋଇଥିଲେ ପ୍ରଭାକର ।

ସୂଚନା ଅନୁସାରେ, ପୂର୍ବରୁ ପଡିରହିଥିବା ଜଣେ ରାଇସ୍ ମିଲର୍ସଙ୍କ ବିଲ କାମ ଶୀଘ୍ର ଶେଷ କରି ନୂତନ ଅର୍ଡର ଲଗାଇବାକୁ ଉକ୍ତ ରାଇସ ମିଲର୍ସଙ୍କ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଯୋଗାଣ ଅଧିକାରୀ ପ୍ରଭାକର ପାତ୍ର । କୌଣସି ଉପାୟ ନପାଇ ଶେଷରେ ଏନେଇ ଭିଜିଲାନ୍ସର ଦ୍ଵାରସ୍ତ ହୋଇଥିଲେ । ପୂର୍ବ ଯୋଜନା ଅନୁସାରେ ଆଜି ଉକ୍ତ ବ୍ୟକ୍ତି ଜଣଙ୍କ ଲାଞ୍ଚ ବାବଦକୁ ୫୦ ହଜାର ଟଙ୍କା ଶ୍ରୀ ପାତ୍ରଙ୍କୁ ଦେଉଥିବା ବେଳେ ସେଠାରେ ପୂର୍ବରୁ ଛକି ବସିଥିବା ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା । ତାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିଥିଲା ଭିଜିଲାନ୍ସ ।

ଲାଞ୍ଚ ନେବାବେଳେ ଧରାପଡିବା ପରେ ବର୍ତ୍ତମାନ ଶ୍ରୀ ପାତ୍ରଙ୍କର ବାସ ଭବନ ସମେତ ୩ଟି ସ୍ଥାନରେ ଚଢାଉ କରିଛି ଭିଜିଲାନ୍ସ । ଭୁବନେଶ୍ଵର, ଗଞ୍ଜାମ ଏବଂ ବଲାଙ୍ଗୀରରେ ଥିବା ଶ୍ରୀ ପାତ୍ରଙ୍କ ସମସ୍ତ ଠିକଣାରେ ଭିଜିଲାନ୍ସ ବିଭାଗର ଚଢାଉ ଜାରି ରହିଛି ।

nis-ad
Leave A Reply

Your email address will not be published.