ନବରଙ୍ଗପୁରରେ ବିଜୁଳି ଭିତ୍ତିଭୂମି ଉନ୍ନତିକରଣ କରି ସଂପ୍ରଦାୟକୁ ସୁଦୃଢ଼ କରୁଛି ଟିପିଏସ୍ଓଡିଏଲ୍

ବ୍ରହ୍ମପୁର : ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକରେ ପାୱାର ଟ୍ରାନ୍ସଫର୍ମର (ପିଟିଆର) ଉନ୍ନତିକରଣ କାର୍ଯ୍ୟ ଶେଷ ହୋଇଛି । ଫଳରେ ସ୍ଥାନୀୟ ଲୋକଙ୍କ ଜୀବନ ଓ ଜୀବିକାରେ ବ୍ୟାପକ ଉନ୍ନତି ଆସିଛି । ଆଦିବାସୀ ବହୁଳ ଚନ୍ଦାହାଣ୍ଡି ଅଞ୍ଚଳରେ କାର୍ଯ୍ୟକ୍ଷମ ଥିବା ଉଠା ଜଳସେଚନ ଓ ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପଗୁଡ଼ିକ ପାଇଁ ଏହାଦ୍ୱାରା ଉନ୍ନତ ବିଜୁଳି ସେବା ଉପଲବ୍ଧ ହେଉଛି । ଏହାଛଡ଼ା ସେହି ଇଲାକାରେ ଭୋଲଟେଜ୍ ସମସ୍ୟା ମଧ୍ୟ ଦୂର କରିବା ଦିଗରେ ଏହା କାର୍ଯ୍ୟ କରୁଛି ।

ଟିପିଏସ୍ଓଡିଏଲ୍ ପକ୍ଷରୁ ଚନ୍ଦାହାଣ୍ଡି ଅଞ୍ଚଳରେ ଥିବା ଟ୍ରାନ୍ସଫର୍ମରର କ୍ଷମତାକୁ ୩.୧୫ ଏମଭିଏରୁ ବଢ଼ାଇ ୫ ଏମଭିଏକୁ ବୃଦ୍ଧି କରାଯାଇଛି। ଚନ୍ଦାହାଣ୍ଡି ବ୍ଲକର ୭ଟି ଗ୍ରାମପଞ୍ଚାୟତ ଯେମିତି- ଚନ୍ଦାହାଣ୍ଡି, ଦାଣ୍ଡମୁଣ୍ଡା, ପଟାଖଣ୍ଡିଆ, ଦଳବେଢ଼ା, କୁହୁଡ଼ି, ମୋତିଗାଁ ଓ ଧଡ଼ିପାଣି ପଞ୍ଚାୟତର ଉପଭୋକ୍ତାମାନଙ୍କୁ ପୂର୍ବାପେକ୍ଷା ଅଧିକ ଗୁଣାତ୍ମକ ବିଜୁଳି ସେବା ମିଳିବା ସହ ସେମାନଙ୍କ ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିଛି । ସେହିଭଳି ସଂପୃକ୍ତ ଅଞ୍ଚଳରେ ଥିବା ଦୀର୍ଘ ଦିନର ଭୋଲଟେଜ୍ ସମସ୍ୟା ଦୂର ହୋଇପାରିଛି।

ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି ଯେ, “ଦକ୍ଷିଣ ଓଡ଼ିଶାରେ କମ୍ପାନୀ ନିଜର ବିଜୁଳି ଭିତ୍ତିଭୂମିଗୁଡ଼ିକର ଉନ୍ନତିକରଣ କାର୍ଯ୍ୟ ଜାରି ରଖିଛି। ଏନେଇ ଆମେ ପ୍ରତିବଦ୍ଧତାର ସହ କାର୍ଯ୍ୟ କରୁଛୁ । ଅପହଞ୍ଚ ତଥା ଦୂରନ୍ତ ଅଞ୍ଚଳରେ ମଧ୍ୟ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ଆମ ଲକ୍ଷ୍ୟ ଓ ସେହି ଦିଗରେ ଆମେ କାମ ଜାରି ରଖିଛୁ । ଚନ୍ଦାହାଣ୍ଡିରେ ବିଜୁଳି ଭିତ୍ତିଭୂମି ଉନ୍ନତିକରଣ କାର୍ଯ୍ୟ ପ୍ରମାଣ କରୁଛେ ଯେ, ଉପଭୋକ୍ତାମାନଙ୍କୁ ସଶକ୍ତ କରିବା ଦିଗରେ ଟିପିଏସ୍ଓଡିଏଲ୍ ସଦା ପ୍ରତିଶ୍ରୁତିବଦ୍ଧ ।“

ନୂଆ ବିଜୁଳି ଭିତ୍ତିଭୂମି ୫ ହଜାରରୁ ଅଧିକ ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଉଛି । ଏହି ଟ୍ରାନ୍ସଫର୍ମର ଯୋଗେ ଦେଓବନ୍ଧ ଓ ଚନ୍ଦାହାଣ୍ଡି ଟାଉନ ୧୧ କେଭି ଫିଡର ସମେତ ୧୪ଟି ଉଠା ଜଳସେଚନ ପ୍ରକଳ୍ପ ଓ ୧୦ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପକୁ ଗୁଣାତ୍ମକ ବିଜୁଳି ସେବା ମିଳୁଛି । ସେହିଭଳି ଉପଭୋକ୍ତାଙ୍କ ପାଖରେ ପହଞ୍ଚୁଥିବା ବିଜୁଳିର ଭୋଲଟେଜ୍ ୧୮୦ ଭୋଲ୍ଟରୁ ବଢ଼ି ୨୩୦ ଭୋଲ୍ଟରେ ପହଞ୍ଚିଛି । ଯାହାଫଳରେ ଉପଭୋକ୍ତାମାନଙ୍କ କ୍ଷେତ୍ରରେ ଥିବା ଭୋଲଟେଜ୍ ସମସ୍ୟା ଦୂର ହୋଇଛି ।

ଉନ୍ନତ ବିଜୁଳି ଭିତ୍ତିଭୂମି ସ୍ଥାନୀୟ ଲୋକମାନଙ୍କର ବିଜୁଳି ଚାହିଦା ମେଣ୍ଟାଇବା ସହ ଚାଷ କ୍ଷେତ୍ରକୁ ବିଶେଷ ଭାବେ ସହାୟକ ହେଉଛି । କୃଷି କ୍ଷେତ୍ରକୁ ଜଳସେଚନ ଅଧିକ ବ୍ୟବସ୍ଥିତ ହୋଇପାରିଛି । ନବରଙ୍ଗପୁରର ଚନ୍ଦାହାଣ୍ଡି ବ୍ଲକରୁ ବିଭିନ୍ନ ସମୟରେ ଭୋଲଟେଜ୍ ଓ ବିଜୁଳି ଯୋଗାଣ ନେଇ କେତେକ ଅଭିଯୋଗ ଆସୁଥିଲା । ନୂତନ ପିଟିଆର୍ ପ୍ରତିଷ୍ଠା ସେହି ସମସ୍ୟାକୁ ଦୂର କରିବାରେ ସହାୟକ ହୋଇଛି ବୋଲି ଚନ୍ଦାହାଣ୍ଡି ଅଞ୍ଚଳର ଜଣେ ଗାଁ ଲୋକ କହିଛନ୍ତି । ଆଗାମୀ ଦିନରେ ଟିପିଏସ୍ଓଡିଏଲ୍ ଭିତ୍ତିଭୂମିର ବିକାଶ ସହ ସଂପ୍ରଦାୟକୁ ସଶକ୍ତ କରିବା ଦିଗରେ ପ୍ରଚେଷ୍ଟା ଜାରି ରଖିବ ।

nis-ad
Leave A Reply

Your email address will not be published.