କେଦାରନାଥରେ ହିମସ୍ଖଳନ ! ଗାନ୍ଧୀ ସରୋବର ପର୍ବତରୁ ଗ୍ଲାସିୟର ଭାଙ୍ଗି ତଳକୁ ଖସିଲା

କେଦାରନାଥ ଧାମରେ ପୁଣିଥରେ ଥମିଲା ଲୋକଙ୍କ ନିଃଶ୍ୱାସ । ଭୟରେ ଥରିବାକୁ ଲାଗିଲେ ଏଠାକୁ ତୀର୍ଥ ଭ୍ରମଣ କରିବାକୁ ଆସିଥିବା ଯାତ୍ରୀ । ରବିବାର ସକାଳେ ମନ୍ଦିର ନିକଟରେ ଭୟଙ୍କର ହିମସ୍ଖଳନ ଦେଖିବାକୁ ମିଳିଥିଲା । ମନ୍ଦିର ପଛପାର୍ଶ୍ୱ ପାହାଡ଼ରେ ହିମସ୍ଖଳନ ହୋଇଥିଲା । ଗାନ୍ଧୀ ସରୋବର ପର୍ବତରୁ ଗ୍ଲାସିୟର ଭାଙ୍ଗି ପଡ଼ିଥିଲା । ପାହାଡ଼ ଉପରୁ ଛୋଟବଡ଼ ବରଫ ଖଣ୍ଡ ତଳକୁ ଖସିବାକୁ ଲାଗିଥିଲା । ଏହି ଭୟଙ୍କର ଦୃଶ୍ୟ ଦେଖି କେଦାରନାଥ ଯାତ୍ରୀ ଭୟରେ ଥରିବାକୁ ଲାଗିଥିଲେ ।

ଯଦିଓ ଗ୍ଲାସିୟର ଭାଙ୍ଗିବା ଦ୍ୱାରା କୌଣସି ଧନଜୀବନ ହାନି ହୋଇନାହିଁ । କିନ୍ତୁ ଯେଭଳି ଭାବେ ହିମସ୍ଖଳନ ହୋଇଛି, ସେଥିରେ ତୀର୍ଥଯାତ୍ରୀମାନେ ଭୟଭୀତ ହୋଇପଡ଼ିଛନ୍ତି । ଘଟଣା ସକାଳ ପ୍ରାୟ ୫ଟା ସମୟର ବୋଲି କୁହାଯାଉଛି । ଏଠାରେ ଗାନ୍ଧୀ ସରୋବର ପାହାଡ଼ ଉପରୁ ଗ୍ଲାସିୟର ଭାଙ୍ଗି ପଡ଼ିଥିଲା, ଯାହା ତଳ ପର୍ଯ୍ୟନ୍ତ ଖସିଥିଲା ।

କେଦାରନାଥ ସେକ୍ଟର ଅଧିକାରୀଙ୍କ କହିବା ହେଲା, ବରଫ ପାହାଡ଼ ଉପରେ ମଝିରେ ମଝିରେ ଏହିପରି ହିମସ୍ଖଳନ ହୋଇଥାଏ । ଏହା କୌଣସି ନୂଆ କଥା ନୁହେଁ । ରବିବାର ସକାଳ ୫ଟା ୬ରେ ହିମସ୍ଖଳନ ହୋଇଛି । ପାହାଡ଼ ଉପରୁ ଗ୍ଲାସିୟର ଭାଙ୍ଗି ବହୁ ତଳକୁ ଖସି ଆସିଥିଲା । ଅନେକ ସମୟ ଯାଏ ପାହାଡ଼ରୁ ବରଫ ଖସିଥିଲା ।

ମନ୍ଦିର ଅଞ୍ଚଳରେ ଉପସ୍ଥିତ କିଛି ତୀର୍ଥଯାତ୍ରୀ ଏହି ପ୍ରାକୃତିକ ଦୃଶ୍ୟକୁ ନିଜ ମୋବାଇଲ୍‌ ଫୋନ୍‌ କ୍ୟାମେରାରେ କଏଦ କରିଥିଲେ । କହି ରଖୁଛୁ ଯେ ୨୦୧୩ ଜୁନ୍‌ ୧୬ରେ ଏଠାରେ ବାଦଲ ଫଟା ବର୍ଷା ଯୋଗୁ ଭୀଷଣ ବନ୍ୟା ମାଡ଼ି ଆସିଥିଲା, ଯାହା ଧ୍ୱଂସର ତାଣ୍ଡବ ରଚିଥିଲା । ବନ୍ୟାଜଳରେ ସବୁ କିଛି ମାଟିରେ ମିଶିଯାଇଥିଲା । ଅନେକ ଦିନ ପରେ କେଦାରନାଥ ଧାମରେ ଜନଜୀବନ ସ୍ୱାଭାବିକ ହୋଇପାରିଥିଲା । ତେଣୁ ଆଜି ଯେତେବେଳେ ବରଫ ପାହାଡ଼ ଉପରୁ ଗ୍ଲାସିୟର ଭାଙ୍ଗି ତଳକୁ ଖସିଥିଲା, ସେହି ସମୟରେ ଲୋକଙ୍କ ନିଃଶ୍ୱାସ ଏକପ୍ରକାର ଅଟକି ଯାଇଥିଲା ।

nis-ad
Leave A Reply

Your email address will not be published.