ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ

ଦକ୍ଷିଣ ଆଫ୍ରିକାକୁ ୭ ରନରେ ହରାଇଲା ଭାରତ

ବ୍ରିଜଟାଉନ : ଭାରତ ଟି-୨୦ ବିଶ୍ବକପ୍ ଚାମ୍ପିଅନ ହୋଇଛି । ବାର୍ବାଡୋସର ବ୍ରିଜଟାଉନଠାରେ ଶନିବାର ଖେଳାଯାଇଥିବା ଫାଇନାଲରେ ଭାରତ ଦକ୍ଷିଣ ଆଫ୍ରିକାକୁ ୭ ରନରେ ପରାସ୍ତ କରି ଚାମ୍ପିଅନ ହୋଇଛି । ୧୭ ବର୍ଷ ପରେ ଭାରତ ପୁଣି ଥରେ ଟି-୨୦ ବିଶ୍ବ ଚାମ୍ପିଅନ ହୋଇଛି । ୨୦୦୭ରେ ଅନୁଷ୍ଠିତ ପ୍ରଥମ ଟି-୨୦ ବିଶ୍ବକପରେ ଭାରତ ଚାମ୍ପିଅନ ହୋଇଥିଲା । ସେହିପରି ୧୧ ବର୍ଷ ପରେ ଭାରତ କୌଣସି ଆଇସିସି ଟ୍ରଫି ଜିତିଛି ।

୧୭୭ ରନର ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ଦୁଇଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରେଜା ହେଣ୍ଡରିକ୍ସ ମାତ୍ର ୪ ରନ ଓ ଅଧିନାୟକ ଆଇଡେନ ମାର୍କରାମ ୭ ରନ କରି ଆଉଟ ହୋଇଥିଲେ । କିନ୍ତୁ କ୍ବିଣ୍ଟନ ଡିକକ୍ ଓ ଟ୍ରଷ୍ଟାନ ଷ୍ଟବସ୍ ଏକ ଭଲ ପାର୍ଟନରସିପ କରି ପାଳିକୁ ସମ୍ଭାଳିଥିଲେ । ଷ୍ଟବସ ୩୧ ରନ କରି ଆଉଟ ହେବା ପରେ ଡିକକ୍ ଓ ହେନରିକ କ୍ଲାସେନଙ୍କ ମଧ୍ୟରେ ବି ଏକ ଭଲ ପାର୍ଟନରସିପ ହୋଇଥିଲା । ଡିକକ୍ ୩୯ ରନ କରିଥିବାବେଳେ କ୍ଲାସେନ ୫୨ରନ କରିଥିଲେ । ଡେଭିଡ ମିଲର ୨୧ ରନ କରି ଆଉଟ ହୋଇଥିଲେ । ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୬୯ ରନ କରିପାରିଥିଲା ।

ଟସ୍‌ ଜିଣି ଭାରତ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତ ୬ୱିକେଟ୍‌ ହରାଇ ସ୍କୋର ୧୭୬ ରନ୍ କରିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ବିରାଟ କୋହଲି ୭୬ ରନ୍‌ର ଧୂଆଁଧାର ବ୍ୟାଟିଂ କରିଥିଲେ। ସେ ୫୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭବେ ୭୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୬ଟି ଚୌକା ଓ ୨ଟି ଚୌକା ସାମିଲ ଥିଲା। ଅଲରାଉଣ୍ଡର ଅକ୍ଷର ପଟେଲ ୩୧ଟି ବଲ ଖେଳି ଗୋଟିଏ ଚୌକା ଓ ୪ଟି ଛକା ବଳରେ ଦଳର‌ ସ୍କୋରରେ ୪୭ ରନ୍‌ ଯୋଡ଼ିଥିଲେ। ଯୁବ ବ୍ୟାଟର ୧୬ଟି ବଲ୍‌ ଖେଳି ୨୭ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୩ ଚୌକା ଓ ଗୋଟିଏ ଛକା ସାମିଲ ଥିଲା। ରୋହିତ ଶର୍ମା ୯ ରନ୍ କରିଥିଲେ। ସୂର୍ଯ୍ୟକୁମାର ଯାଦବ ୩ ରନ୍, ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୫ ରନ୍ ଓ ରବିନ୍ଦ୍ର ଜାଡେଜା ୨ ରନ୍ କରିଥିଲେ।

nis-ad
Leave A Reply

Your email address will not be published.