କଟକ: ଓଡ଼ିଶାର ପ୍ରସିଦ୍ଧ ମଧୁରଜଳ ହ୍ରଦ ଅଂଶୁପା। ସରଣ୍ଡା ପାହାଡ଼ ଉପରୁ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ସମୟରେ ଏହି ହ୍ରଦର ନୈସର୍ଗିକ ଶୋଭା ପର୍ଯ୍ୟଟକଙ୍କ ମନରେ ଶିହରଣ ସୃଷ୍ଟି କରିଥାଏ। ହେଲେ, ପ୍ରତିବର୍ଷ ଏହି ଅଶ୍ବଖୁରାକୃତି ହ୍ରଦର ଜଳରାଶି ଶୁଖି ଚାଲିଛି। କଟକ ଜିଲ୍ଲାର ବାଙ୍କୀରେ ଥିବା ଏହି ହ୍ରଦ ଏବେ ହଜିବାକୁ ବସିଥିଲା ବେଳେ ଅଂଶୁପାର ପର୍ଯ୍ୟଟନ କେବଳ ବଣଭୋଜିରେ ସୀମିତ ରହିଛି। ଫଳରେ ଅଂଶୁପା ବୁଲି ଆସୁଥିବା ପର୍ଯ୍ୟଟକ ନିରାଶ ହେଉଛନ୍ତି। ଏହାକୁ ନେଇ ପରିବେଶବିତ୍ ବି’ ଉଦ୍ବେଗ ପ୍ରକାଶ କରିଛନ୍ତି। କଶ୍ମୀରର ମଧୁରଜଳ ଡାଲ୍ ହ୍ରଦ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ରୋଜଗାର ଦେଉଛି। ମାତ୍ର ଅଂଶୁପା ତା’ର ଚମକ ହରାଇ ଚାଲିଛି। ଅଶ୍ୱଖୁରାକୃତି ଆକୃତିର ଅଂଶୁପା ହ୍ରଦର ବିକାଶ ପାଇଁ ବିଭିନ୍ନ ସମୟରେ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି। ମାତ୍ର ଜଳଧାରଣ କ୍ଷମତା ବୃଦ୍ଧି ଦିଗରେ ଠୋସ୍ ପଦକ୍ଷେପ ନିଆଯାଉ ନାହିଁ। କେନ୍ଦ୍ର ସରକାର ଅଂଶୁପା ହ୍ରଦକୁ ରାମ୍ସା ପ୍ରକଳ୍ପରେ ସାମିଲ କରିଛନ୍ତି। ଏହାର ପରିଚାଳନା ଦାୟିତ୍ବ ଚିଲିକା ଉନ୍ନୟନ ସଂସ୍ଥା(ସିଡିଏ) ହାତକୁ ନେଇଛି। ହେଲେ ପାର୍କ, ଦଳ ସଫେଇ, ୱାଚ୍ ଟାୱାର୍, କୋଠାବାଡ଼ିରେ ଅଂଶୁପାର ବିକାଶ ସୀମିତ ରହିଛି।
ଜଳଧାରା କିପରି ବୃଦ୍ଧି କରାଯିବ ଏବଂ ଶୁଷ୍କ ଅଂଶୁପା କିଭଳି ସବୁବେଳେ ଜଳପୂର୍ଣ୍ଣ ରହିବ ତା’ର ଯୋଜନା କରାଯାଉନାହିଁ। ମହାନଦୀ ଶୁଖି ଯାଇଥିବାରୁ ଅଂଶୁପାକୁ ପାଣି ପଶିପାରୁନି ବୋଲି କୁହାଯାଇ ଏହି ସମସ୍ୟାକୁ ଏକପ୍ରକାର ଅଣଦେଖା କରାଯାଉଛି। ପାଣି ନ ଥିବାରୁ ଦୁଇମାସରୁ ଅଧିକ ସମୟ ହେଲା ଏଠାରେ ବୋଟିଂ ବି ବନ୍ଦ ରହିଛି। ଫଳରେ ଏକ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ଦିନକୁ ଦିନ ଅସ୍ତିତ୍ବକୁ ନେଇ ସଂଗ୍ରାମ କରୁଛି। ବାଙ୍କୀ ବ୍ଲକ୍ ଅନ୍ତର୍ଗତ ସରଣ୍ଡା ପାହାଡ଼ ପାଦଦେଶରେ ରହିଥିବା ଅଂଶୁପା ହ୍ରଦର ଅବବାହିକା ପରିଧି ପ୍ରାୟ ୫ ହଜାର ୨୩୧ହେକ୍ଟର ଥିଲା ବେଳେ ଜଳଧାରଣ କ୍ଷମତା ପାଖାପାଖି ୧୫୦ ହେକ୍ଟର। ବର୍ତ୍ତମାନ ଅବବାହିକା ଏରିଆ ମଧ୍ୟରେ ୨୮ଟି ଗ୍ରାମ ଅନ୍ତର୍ଭୁକ୍ତ। ରାଜ୍ୟର ବୃହତ୍ତମ ପ୍ରାକୃତିକ ମଧୁରଜଳ ହ୍ରଦ ଅଂଶୁପାର ପଶ୍ଚିମ ଦିଗରେ ସରଣ୍ଡା ପାହାଡ଼ ଓ ଉତ୍ତରପୂର୍ବ ଦିଗରେ ବିଷ୍ଣୁପୁର ପାହାଡ଼ ରହିଛି। ଏହି ହ୍ରଦ ସହ ମହାନଦୀକୁ ଦୁଇଟି ନାଳ ଯଥା ଦକ୍ଷିଣ ଦିଗରେ କାବୁଲା ନାଳ ଓ ଦକ୍ଷିଣପଶ୍ଚିମରେ ହୁଳୁହୁଳା ନାଳ ସଂଯୁକ୍ତ ଥିଲା। ଧୀରେ ଧୀରେ ତାହା ଅବକ୍ଷୟମୁଖୀ ହେବା ସହ ମହାନଦୀରୁ ବିଚ୍ଛିନ୍ନ ହୋଇଯାଇଛି। କେବଳ ମହନଦୀର ବନ୍ୟା ସମୟରେ ଏହି ନାଳ ଦ୍ୱାରା ଅଂଶୁପାକୁ ଜଳ ଆସୁଛି। ଜଳଧାରଣ କ୍ଷମତା ମଧ୍ୟ ପ୍ରତିବର୍ଷ ଆଶାତୀତ ଭାବେ ହ୍ରାସ ପାଉଛି। ଫଳରେ ଏହା ଉପରେ ନିର୍ଭରଶୀଳ ସୁବର୍ଣ୍ଣପୁର, କଦଳୀବାଡ଼ି, ଓସ୍ତିଆ, କନ୍ତପହଁରା ଆଦି ପଞ୍ଚାୟତର ମତ୍ସ୍ୟଜୀବୀମାନଙ୍କର ଜୀବନଜୀବିକା ଏବଂ ଅଂଶୁପା ହ୍ରଦର ପ୍ରାକୃତିକ ସୌନ୍ଦର୍ଯ୍ୟ ପ୍ରଭାବିତ ହେଉଛି। ୨୦୨୧-୨୨ ମସିହାରେ ଏହି ହ୍ରଦକୁ ରାମ୍ସା ଅନ୍ତର୍ଭୁକ୍ତ କରାଯାଇଥିଲା। କିନ୍ତୁ ଅନୁଦାନ ଆସି ନ ଥିବାରୁ ଏହାର ସଫେଇ ଓ ଉନ୍ନୟନ କାର୍ଯ୍ୟ ହୋଇପାରିନି। ଆଗକୁ ଏ ନେଇ ଯୋଜନା କରାଯାଇଛି। ଅନୁଦାନ ଆସିଲେ ଏହାର ବିକାଶ କରାଯିବ ବୋଲି ସିଡିଏର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି।
କିମ୍ବଦନ୍ତୀ ଅନୁସାରେ, ଗଙ୍ଗବଂଶର ରାଜୁତି ସମୟରେ ରାଜା ସୁବର୍ଣ୍ଣକେଶରୀ ଅଂଶୁପାର ଶୋଭାରେ ବିମୋହିତ ହୋଇ ସରଣ୍ଡା ପାହାଡ଼ ଓ ଅଂଶୁପା କୂଳରେ ସୁବର୍ଣ୍ଣପୁର ଗ୍ରାମ ପ୍ରତିଷ୍ଠା କରିଥିଲେ। ତେବେ ବାଙ୍କୀରେ ଧଳବଂଶ ରାଜୁତି ସମୟରେ ଅଂଶୁପାକୁ ଲାଗିଥିବା ସରଣ୍ଡା ପାହାଡ଼ ଉପରେ ସରଣ୍ଡାଗଡ଼ ପ୍ରତିଷ୍ଠା କରାଯାଇଥିବା କିଛି ଲୋକକଥା ଓ ଐତିହାସିକ ମତ ଦେଇଛନ୍ତି। ଏହି ଗଡ଼ ପ୍ରତିଷ୍ଠା ପଛରେ ଶତ୍ରୁପକ୍ଷରୁ ନିଜକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟ ରହିଥିଲା। ଏବେ ମଧ୍ୟ ଉକ୍ତ ଗଡ଼ର ଧ୍ୱଂସାବଶେଷରେ ଅସ୍ତ୍ରଶସ୍ତ୍ର ରଖିବା ପାଇଁ ବାରୁଦ ଗୃହ, ଭାଇ-ବୋହୂ କୂପ, ପ୍ରସ୍ତର ନିର୍ମିତ ପ୍ରବେଶଦ୍ୱାର ରହିଛି। ଏହି ପ୍ରବେଶ ଦ୍ୱାରରେ ଏକ ବିଶାଳ ବ୍ରୋଞ୍ଜ ନିର୍ମିତ କବାଟ ଲଗାଯାଇଥିବା ଜଣାଯାଏ। ଯାହାର ଖୋଲିବା ଓ ବନ୍ଦ ହେବା ଶବ୍ଦରୁ ଅଞ୍ଚଳବାସୀ ରାଜାଙ୍କର ପ୍ରବେଶ ଓ ପ୍ରସ୍ଥାନ ସମ୍ପର୍କରେ ଜାଣିପାରୁଥିଲେ। ଅଂଶୁପା ହ୍ରଦ ସହ ଏହାର ଐତିହ୍ୟର ସୁରକ୍ଷା ପାଇଁ ଐତିହାସିକ ଓ ଗବେଷକଙ୍କୁ ନେଇ ସ୍ବତନ୍ତ୍ର ଯୋଜନା କରାଯିବାକୁ ପରିବେଶବିଦ୍, ଗବେଷକ ଓ ପ୍ରକୃତିପ୍ରେମୀ ଦାବି କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post