କାଗଜ କଲମରେ ସୀମିତ ଓଡ଼ିଆ ଭାଷା ସଂଶୋଧନ ଆଇନ

ଯାଜପୁର : ଆମେ ଓଡିଆ, ଆମ ମାତୃଭାଷା ଓଡିଆ, ଦୁଇ ହଜାର ବର୍ଷର ପୁରୁଣା ଆମ ଏଇ ଭାଷା। ଭାଷା ଭିତ୍ତିକ ରାଜ୍ୟଭାବେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ। ସମଗ୍ର ଦେଶରେ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ପ୍ରଥମ ଭାଷା ଓଡିଆ। ଇତିହାସ ଓଡିଆ ଜାତିର ସ୍ୱାଭିମାନକୁ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରିଥିବାବେଳେ ସରକାର ଘୋଷଣା କରିଥିବା ଓଡ଼ିଶାର ଶାସନ ଓଡିଆ ଭାଷାରେ ଆଜି କାଗଜ କଲମରେ ସୀମିତ। ଭାଷା ଆଇନ ସଂଶୋଧନର ୬ ବର୍ଷ ପରେବି ସରକାରୀ ଅଧିକାରୀ ଏହାକୁ ନେଇ ସଚେତନ ହେଉନାହାନ୍ତି। ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ଓଡିଆ ବଦଳରେ ଇଂରାଜୀ ଭାଷାରେ ଚିଠି ଓ ବିଜ୍ଞପ୍ତି ଲେଖୁଛନ୍ତି।
ଖୋଦ୍‌‌ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ମଧ୍ୟ ଏଥିପ୍ରତି ଆଖି ବୁଜି ଦେଇଛି। ସୋମବାର ସକାଳୁଆ ସ୍କୁଲ ଖୋଲିବାରେ ସମୟ ପରିବର୍ତ୍ତନ ନେଇ ଜାରି କରାଯାଇଥିବା ବିଜ୍ଞପ୍ତି ରାଜ୍ୟ ସରକାରଙ୍କଠାରୁ ଜିଲା ପ୍ରଶାସନ ଓ ଶିକ୍ଷା ବିଭାଗ ସମସ୍ତେ ଏହାକୁ ଇଂରାଜୀରେ ଲେଖିବାକୁ ନେଇ ବିଭିନ୍ନ ମହଲରେ ଅସନ୍ତାଷ ପ୍ରକାଶ ପାଇଛି। ଯାଜପୁର ଜିଲା ଶିକ୍ଷା ଅଧିକାରୀ ସମସ୍ତ ବିଇଓଙ୍କୁ ସକାଳୁଆ ସ୍କୁଲ ସମୟ ପରିବର୍ତ୍ତନ ପାଇଁ ଇଂରାଜୀରେ ଚିଠି ଲେଖିଛନ୍ତି। ବିଶିଷ୍ଟ ସାହିତ୍ୟିକ, ସ୍ତମ୍ଭକାର ମାୟାଧର ନାୟକ ଓ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କୃତ ପଣ୍ଡିତ ସୂର୍ଯ୍ୟମଣି ଖୁଣ୍ଟିଆ ଏହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହିତ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନହେବା ପର୍ଯ୍ୟନ୍ତ ଏଭଳି ଇଂରାଜୀ ପ୍ରୀତି ଚାଲିଥିବ ବୋଲି କହିଛନ୍ତି।
ଗତ ୨୦୧୮ ମସିହା ମଇ ୧ ତାରିଖ ଶ୍ରମିକ ଦିବସରେ ରାଜ୍ୟ ସରକାର ଓଡିଆ ଭାଷାକୁ ସରକାରୀଭାବେ କଡାକଡି ପାଳନ କରିବାଲାଗି ଭାଷା ଆଇନ ୧୯୫୪ ସଂଶୋଧନ ପ୍ରସ୍ତାବ ସହ ଓଡିଆ ସରକାରୀ ଭାଷା ସଂଶୋଧନ ଆଇନ୍‌‌ ଓ ଓଡ଼ିଶା ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ସଂଶୋଧନ ବିଲ ମଧ୍ୟ ବିଧାନସଭାରେ ପାରିତ କରିଛନ୍ତି। ଏହା ଫଳରେ ଦୋକନ ବା ବ୍ୟବସାୟ ପ୍ରତିଷ୍ଠାନରେ ଓଡିଆରେ ନଲେଖିଲେ ଜରିମାନା ଦେବାକୁ ପଡ଼ିବବୋଲି ସ୍ପଷ୍ଟ ଆଇନ ରହିଛି। ପ୍ରଥମେ ଖିଲାପକାରୀଙ୍କଠାରୁ ଏକ ହଜାରରୁ ପାଞ୍ଚ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଆଦାୟ କରାଯିବାକୁ ବିଲରେ ପାରିତ ହୋଇଛି।
ପୂନର୍ବାର ନସୁଧୁରିଲେ ଦ୍ୱିତୀୟବାର ଧରାପଡ଼ିଲେ ୨୦ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡ଼ିବ। ଓଡିଆ ଭାଷା ବ୍ୟବହାର ପାଇଁ ପ୍ରୋତ୍ସାହନ ଓ ଏହାକୁ ଖିଲାପ କଲେ ଦଣ୍ଡବିଧାନ ପାଇଁ ସରକାର ବିଧେୟକ ପାରିତ ସହ ଦଣ୍ଡବିଧାନ ଘୋଷଣା କଲାପରେବି ଯାଜପୁର ଜିଲାର ବ୍ୟବସାୟୀ ବନ୍ଧୁ ଚେତୁନାହାନ୍ତି। ଜିଲାର ଶିକ୍ଷାନୁଷ୍ଠାନ ସମୂହ ,ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ସମ୍ମୁଖରେ ଓଡିଆରେ ଫଳକ ଲେଖିବାକୁ ଜିଲା ପ୍ରଶାସନ ପକ୍ଷରୁ ସୂଚିତ କରାଯାଇ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସରକାରୀ କାର୍ଯ୍ୟାଳୟ, ହୋଟେଲ, ରେଳ ଷ୍ଟେସନ, ବସ୍‌ଷ୍ଟାଣ୍ଡ ସବୁ ସ୍ଥାନରେ ଇଂରାଜୀ ଫଳକ ଝୁଲୁଛି। ଓଡିଆରେ ଫଳକ ନଲେଖିଲେ ଜିଲା ପ୍ରଶାସନ ପକ୍ଷରୁ ୨୫ ହଜାର ଜୋରିମାନା ଆଦାୟ ହେବବୋଲି ଚେତାବନୀ ଦିଆଯାଇଛି।
ଯାଜପୁର ଜିଲା ପ୍ରଶାସନ ଏଥିପାଇଁ ଲକ୍ଷାଧିକ ଟଙ୍କା ଜୋରିମାନା ସ୍ୱରୂପ ଆଦାୟ ପରେବି ଜିଲାର ବିଭିନ୍ନ ସହରରେ ଆଜିବି ଶତାଧିକ ବାଣିଜ୍ୟ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ବିଭିନ୍ନ ଅନୁଷ୍ଠାନ, ବ୍ୟାଙ୍କ ଓ କାର୍ଯ୍ୟାଳୟ ସମ୍ମୁଖରେ ଇଂରାଜୀ ଭାଷାରେ ଲିଖିତ ଫଳକୁ ଝୁଲୁଛି ଯାହାକୁ ନେଇ ଭାଷା ପ୍ରେମୀଙ୍କ ମନରେ କ୍ଷୋଭ ପ୍ରକାଶ ପାଇଛି। ଶହ ଶହ ବ୍ୟବସାୟ,ଦୋକାନ ଓ କାର୍ଯ୍ୟାଳୟ ଫଳକ ଆଜିବି ଇଂରାଜୀ ଭାଷାରେ ଲେଖାଯାଇଥିବାବେଳେ ଫଳକରେ ଓଡିଆ ଭାଷାର ଚିହ୍ନବର୍ଣ୍ଣ ନଥିବାରୁ ଏହାକୁ ନେଇ ଓଡିଆ ଭାଷା ପ୍ରେମୀ ଅସନ୍ତୋଷ ପ୍ରକାଶ କରିଛନ୍ତି।

nis-ad
Leave A Reply

Your email address will not be published.