ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ କରିବା ନେଇ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି…

ଫୁଲବାଣୀ : କନ୍ଧମାଳ ଜିଲ୍ଲା ସଦର ମହକୁମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥଯାତ୍ରା ଓ ବାହୁଡ଼ା ଯାତ୍ରାକୁ ସୁଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍‌ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡ଼ା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ବିଶେଷକରି ରାସ୍ତା ଓ କୋଠାବାଡ଼ି, ପୋଲିସ୍, ପୌର ପରିଷଦ, ଟାଟା ପାଓ୍ବାର, ଜନସ୍ବାସ୍ଥ୍ୟ, ଅବକାରୀ, ଉଦ୍ୟାନ କୃଷି, ସଂସ୍କୃତି, ସୂଚନା ଓ ଲୋକ ସମ୍ପର୍କ ବିଭାଗ ତରଫରୁ ମିଳୁଥିବା ସହଯୋଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ। ମୁଖ୍ୟ ରାସ୍ତାକୁ ମରାମତି କରିବା ସହିତ ରଥ ଯାତ୍ରାର ପୂର୍ବ ଦିନରୁ ରାସ୍ତାର ଉଭୟ ପାର୍ଶ୍ଵରେ ଯାନବାହାନ ପାର୍କି ନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ରାସ୍ତାକଡ଼ରେ ଥିବା ଆମିଷ ଦୋକାନକୁ ବନ୍ଦ କରିବାକୁ ମଧ୍ୟ ଜିଲ୍ଲାପାଳ ଶ୍ରୀ ପାଟିଲ୍ ନିର୍ଦ୍ଦେଶ ଦେଇଥିଲେ।
ପ୍ରାରମ୍ଭରେ, ବୈଠକର ଆବାହକ ତଥା ଖଣ୍ଡମାଳ ଉପ-ଜିଲ୍ଲାପାଳ ଚିତ୍ତରଞ୍ଜନ ମହନ୍ତ ସମସ୍ତଙ୍କୁ ସ୍ବାଗତ କରିବା ସହ ଗତବର୍ଷ ବୈଠକର ବିବରଣୀ ପାଠ କରିଥିଲେ । ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଶ୍ଚନ୍ଦ୍ର ମହାରଣାଙ୍କ ଆଲୋଚନାରୁ ପ୍ରକାଶ ଯେ, ଆସନ୍ତା ମାସ ତା. ୦୭.୦୭.୨୦୨୪ ରିଖ ରବିବାର ଦିନ ପ୍ରାତଃ ଘ.୪.୩୦ମି. ଠାରୁ ଦିବା ଘ. ୧୨.୪୫ ମି. ମଧ୍ୟରେ ମଙ୍ଗଳ ଆଳତୀ, ରଥ ପ୍ରତିଷ୍ଠା, ଶ୍ରୀ ଜିଉଙ୍କର ନେତ୍ରୋତ୍ସବ ଓ ନବଯୌବନ ଦର୍ଶନ, ମଇଲମ, ସୂର୍ଯ୍ୟ ପୂଜା ଓ ଦ୍ଵାରପାଳ ପୂଜା, ରୋଷଘର ହୋମ, ରାଜାଙ୍କୁ ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ପହଣ୍ଡି, ଛେରାପହଁରା, ଆଳତୀ, ପ୍ରସାଦ ସେବନ ଇତ୍ୟାଦି ସମସ୍ତ ପୂଜା ବିଧୂ ପରେ ଦିବା ଘ.୧.୩୦ମି. ସମୟରେ ରଥ ଟଣା କାର୍ଯ୍ୟ ଆରମ୍ଭ ହେବ। ସେହିପରି, ତା.୧୫.୦୭. ୨୦୨୪ରିଖ ସୋମବାର ଦିନ ପ୍ରାତଃ ଘ.୪.୩୦ମି. ଠାରୁ ଦିବା ଘ. ୧୨.୩୦ ମି. ମଧ୍ୟରେ ମଙ୍ଗଳ ଆଳତୀ, ମଇଲମ୍, ଅବକାଶ, ସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ୱାରପାଳ ପୂଜା, ରାଜାଙ୍କୁ ନିମନ୍ତ୍ରଣ, ରଥ ଶୁଦ୍ଧିକରଣ, ଠାକୁର ପହଣ୍ଡି, ଛେରା ପହଁରା ଓ ଆଳତୀ, ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟ ପରେ ଦିବା ଘ.୧.୩୦ମି. ସମୟରେ ବାହୁଡ଼ା ଯାତ୍ରା ପାଇଁ ରଥ ଟଣା ଆରମ୍ଭ ହେବ। ତା. ୧୭.୦୭. ୨୦୨୪ରିଖ ବୁଧବାର ସଂଧ୍ୟା ଘ.୫.୦୦ମି. ଠାରୁ ସୁନାବେଶ ଆରମ୍ଭ ହେବ । ତା.୧୮.୦୭.୨୦୨୪ରିଖ ଗୁରୁବାର ରାତ୍ରିଘ.୭.୩୦ମି. ଗତେ ଠାକୁରଙ୍କ ଅଧରପଣା ଭୋଗ ଏବଂ ତା.୧୯.୦୭.୨୦୨୪ରିଖ ଶୁକ୍ରବାର ସଂଧ୍ୟା ଘ.୭.୩୦ମି. ଗତେ ଶ୍ରୀ ଜିଉଙ୍କର ନିଳାଦ୍ରୀ ବିଜେ ଉତ୍ସବ ହେବ।

nis-ad
Leave A Reply

Your email address will not be published.