ଜାତୀୟ ରାଜପଥ ପାଲଟିଛି କାଞ୍ଜିଆହୁଦା : ପୌର ପ୍ରଶାସନ ନିରବଦ୍ରଷ୍ଟା

ହିଞ୍ଜିଳିକାଟୁ : ଗତ କିଛି ମାସ ଧରି ହିଞ୍ଜିଳିକାଟୁ ସହର ଦେଇ ଯାଇଥିବା ୫୯ ନଂ ଜାତୀୟ ରାଜପଥଟି ବୁଲା ଗାଇଗୋରୁଙ୍କ ଚରାଭୂଇଁ ପାଲଟିଛି । ଏ ନେଇ ଜନସାଧାରଣ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଗାଇଗୋରୁଙ୍କୁ ଘରେ ରଖିବା ପରିବର୍ତ୍ତେ ମାଲିକମାନେ ନିଜର ସ୍ୱାର୍ଥ ହାସଲ ହେବା ପରେ ଗାଇଗୋରୁଙ୍କୁ ବାହାରକୁ ଅବାଧରେ ଚରାବୁଲା କରିବା ପାଇଁ ଛାଡ଼ି ଦେଉଛନ୍ତି । ହେଲେ ଏହା ଦ୍ୱାରା ଜନସାଧାରଣ ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳର ବଇଁଚବଣିଆ, ମାଣିକନଗର ଛକ, ସିନେମାହଲ ଛକ, ରଜାସାହିଛକ, ବିଜୁପଟ୍ଟନାୟକ ଛକ, ବ୍ଳକ ଛକ ୫୯ ନଂ ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାନେ ଶୋଇ ରହି ରାଜପଥକୁ ଅବରୋଧ କରି ରଖୁଥିବା ଦେଖିବାକୁ ମିଳୁଛି । ଫଳରେ ଉକ୍ତ ସ୍ଥାନ ଗୁଡ଼ିକରେ ପ୍ରତିଦିନ ଛୋଟବଡ଼ ଦୂର୍ଘଟଣା ଘଟି ବହୁ ଧନ ଜୀବନ ନଷ୍ଟ ହେଉଥିବାର ନଜିର ରହିଛି ।

ଜାତୀୟ ରାଜପଥ ଉପରେ ଗାଇ ଗୋରୁ ମାନେ ଶୋଇରହିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୂର୍ଘଟଣା ଓ ପରିବେଷ ଦୂଷିତ ଆଦି ବିଭିନ୍ନ ସମସ୍ୟା ଉପୁଜୁଛି । ହିଞ୍ଜିଳିକାଟୁ ପୌରାଞ୍ଚଳର ବିଭିନ୍ନ ଛକ ସ୍ଥାନ ତଥା ୫୯ ନଂ ଜାତୀୟ ରାଜପଥ ଉପରେ ଗାଇଗୋରୁଙ୍କ ଅବାଧ ଚରାଭୂଇଁ ପାଲଟିଥିବା ବେଳେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏଥିପ୍ରତି ତିଳେ ମାତ୍ର ଦୃଷ୍ଟି ଦେଉନାହାନ୍ତି । ଗାଇଗୋରୁ ମାଲିକଙ୍କ ଉଦାସିନତା ଏବଂ ଦାୟିତ୍ୱହୀନତା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଏପରି ସମସ୍ୟା ଉପୁଜୁଥିବା ଜଣାପଡ଼ିଛି । ଗାଇଗୋରୁ ମାଲିକ ମାନେ ସକାଳେ କ୍ଷୀର ଦୁହିଁବା ପରେ ନିଜନିଜର ଗାଇଗୋରୁଙ୍କୁ ବୁଲିବା ପାଇଁ ବଜାରକୁ ଛାଡ଼ି ଦେଇଥାନ୍ତି । ସ୍ଥାନୀୟ ଅଞ୍ଚଳରେ ବୁଲା ଗାଇଗୋରୁଙ୍କ ସକାଶେ କାଞ୍ଜିଆହୁଦା ବ୍ୟବସ୍ଥା ରହିଥିଲେ ମଧ୍ୟ ପୌର ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରୁନଥିବାରୁ ସଂପୃକ୍ତ ଗାଇଗୋରୁ ମାଲିକ ମାନଙ୍କ ଏଥିପ୍ରତି ତିଳେ ମାତ୍ର ଭୟ ନଥିବା ଜଣାପଡ଼ୁଛି ।

ସ୍ଥାନୀୟ ସହରରେ ୫୯ ନଂ ଜାତୀୟ ରାଜପଥ କାଞ୍ଜିଆହୁଦା ପାଲଟିଥିବା ନେଇ ଅଞ୍ଚଳର ବୁଦ୍ଧିଜୀବି ମହଲରେ ମତ ପ୍ରକାଶ ପାଇଛି । ତେବେ ରାସ୍ତା ଦୂର୍ଘଟଣା, ପରିବେଷ ପ୍ରଦୁଷଣ ଓ ବିଭିନ୍ନ ସମସ୍ୟାରୁ ମୁକ୍ତି ପାଇଁ ସ୍ଥାନୀୟ ପୌର ପ୍ରଶାସନ ଦୃଷ୍ଟି ଦେଇ ସମସ୍ୟାର ନିରାକରଣ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

nis-ad
Leave A Reply

Your email address will not be published.