ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା, ୫ ଗୁରୁତର , ୨ ଆହତ

ହିଞ୍ଜିଳିକାଟୁ : ବୁଧବାର ରାତ୍ର ପ୍ରାୟ ସାଢେ ୮ ଘଣ୍ଟା ସମୟରେ ୫୯ ନଂ ଜାତୀୟ ରାଜପଥ ତଥା ହିଞ୍ଜିଳି ଥାନା ସମରଝୋଳ ଚକ୍ଷୁ ଚିକିତ୍ସାଳୟ ନିକଟରେ ଯାତ୍ରୀବାହୀ ଅଟୋ ସହ ବାଇକ୍ ଧକ୍କା ଘଟି ୫ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତ ମାନେ ହେଲେ ଅଟୋ ଚାଳକ ହିଞ୍ଜିଳି ଥାନା କଞ୍ଚୁରୁ ଗ୍ରାମର ଭଗବାନ ମହାନ୍ତି (୪୯) , ଅଟୋରେ ଯାତ୍ରା କରୁଥିବା ଶଙ୍କର୍ଷଣ ସାହୁ (୫୦), ତାଙ୍କ ସ୍ତ୍ରୀ ମମତା ସାହୁ (୩୬), ବାଇକ୍ ଚାଳକ କନ୍ଧମାଳ ଜିଲ୍ଲା ସାରଙ୍ଗଗଡ ଗ୍ରାମର ରବି ନାରାୟଣ ପୁଜାରୀ (୩୪) ଓ ସାଥି ବଡଗଡ ଗ୍ରାମର ଚିତ୍ରସେନ ଗୈାଡ (୪୫) । ଆହତ ମାନେ ହେଲେ ଗୁରୁତର ଆହତ ଦମ୍ପତିଙ୍କ ୨ ଝିଅ ହିଞ୍ଜିଳି ଥାନା କଞ୍ଚୁରୁ ଗ୍ରାମର ବର୍ଷା ସାହୁ (୧୫) ଓ ଶ୍ରାବଣୀ ସାହୁ (୧୩) ।
ପ୍ରକାଶ ଯେ, ବୁଧବାର ରାତିରେ ଏକ ଯାତ୍ରୀବାହୀ ଅଟୋ (ଓଡି୦୭ ଏଫ୍ ୬୦୫୩ ) ଯୋଗେ ହିଞ୍ଜିଳି ଥାନା କଞ୍ଚୁରୁ ଗ୍ରାମର ଶଙ୍କର୍ଷଣ ସାହୁଙ୍କ ସମେତ ସ୍ତ୍ରୀ ଓ ୨ ଝିଅ ସମରଝୋଳ ଚକ୍ଷୁ ଚିକିତ୍ସାଳୟକୁ ଯାଉଥିବା ବେଳେ ହିଞ୍ଜିଳିକାଟୁ ଠାରୁ କୁକୁଡାଖଣ୍ଡି ଅଭିମୁଖେ ଯାଉଥିବା ଏକ ମୋଟର ସାଇକେଲ (ଓଆର୦୭ ଡବ୍ଳ୍ୟୁ ୫୧୮୭) ସହ ସମରଝୋଳ ଚକ୍ଷୁ ଚିକିତ୍ସାଳୟ ସମ୍ମୁଖରେ ମୁହାଁମୁହିଁ ଧକ୍କା ଘଟିଥିଲା। ଦୂର୍ଘଟଣାରେ ଅଟୋ ଚାଳକଙ୍କ ସମେତ ଶଙ୍କର୍ଷଣ, ତାଙ୍କର ସ୍ତ୍ରୀ ମମତା, ବାଇକ୍ ଆରୋହୀ ଓ ସାଥି ଗୁରୁତର ଆହତ ହେବା ସହ ଶଙ୍କର୍ଷଣଙ୍କ ୨ ଝିଅ ସାମାନ୍ୟ ଆହତ ହୋଇଥିଲେ। ଖବର ପାଇ ହିଞ୍ଜିଳି ଥାନା ଏଏସଆଇ ମନୋଜ ସେନାପତି ଓ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଆହତ ସମସ୍ତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଆହତଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ହିଞ୍ଜିଳି ପୁଲିସ ଦୂର୍ଘଟଣାଗ୍ରସ୍ତ ଉଭୟ ଗାଡିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି।‌

nis-ad
Leave A Reply

Your email address will not be published.