ବାଲେଶ୍ବର ହିଂସା ଘଟଣା: ଗଣ୍ଡଗୋଳକାରୀଙ୍କ ଗିରଫ ସଂଖ୍ୟା ୬୩କୁ ବୃଦ୍ଧି

ବାଲେଶ୍ବର : ବାଲେଶ୍ବର ହିଂସା ଘଟଣାରେ ଗିରଫ ସଂଖ୍ୟା ୬୩କୁ ବୃଦ୍ଧି । ସିସିଟିଭି ଆଧାରରେ ଗଣ୍ଡଗୋଳକାରୀଙ୍କୁ କରାଯାଉଛି ଚିହ୍ନଟ । ପୋଲିସ ସହଯୋଗରେ ଜରୁରୀ ସେବା ଜାରି ରହିଛି । ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି । ବର୍ତ୍ତମାନ ସୁଦ୍ଧା କର୍ଫ୍ୟୁ ବଳବତ୍ତର ରହିଥିବା କହିଛନ୍ତି ଜିଲ୍ଲାପାଳ ଆଶିଷ ଠାକରେ । ପରିସ୍ଥିତିକୁ ନେଇ ପ୍ରଶାସନ ଅନୁଧ୍ୟାନ କରୁଛି । ଆଜି ସନ୍ଧ୍ୟାରେ ପୁଣି ସାଂପ୍ରତିକ ପରିସ୍ଥିତି ଉପରେ ଅନୁଧ୍ୟାନ କରାଯାଇ କର୍ଫ୍ୟୁ ଉପରେ ନିଷ୍ପତି ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ସେପଟେ କଡା ସୁରକ୍ଷା ବଳୟରେ ବାଲେଶ୍ବର । ଆସନ୍ତାକାଲି ସକାଳ ୧୦ଟା ଯାଏ ବ୍ରଡବ୍ୟାଣ୍ଡ, ମୋବାଇଲ ଇଣ୍ଟରନେଟ୍ ଓ ଡାଟା ସର୍ଭିସ ବନ୍ଦ ରହିବ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ପୌରପାଳିକା ଅଞ୍ଚଳରେ ଆଜି ମଧ୍ୟରାତ୍ରି ଯାଏ କର୍ଫ୍ୟୁ ଲାଗୁ ହୋଇଛି । ୪୫ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି । ଆଜି ସନ୍ଧ୍ୟାରେ ବାଲେଶ୍ବରରେ ୩ କମ୍ପାନୀ BSF ମୁତୟନ ହେବେ । କିଛି ବର୍ଗଙ୍କ ପାଇଁ କର୍ଫ୍ୟୁଙ୍କୁ କୋହଳ କରାଯାଇଛି। ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀ, ସରକାରୀ ଅଧିକାରୀ ଓ ଜରୁରୀ ସେବାରେ ନିୟୋଜିତ ବ୍ୟକ୍ତିଙ୍କୁ ବୈଧ ପ୍ରମାଣପତ୍ର ଦେଖାଇବାକୁ ପଡ଼ିବ । ଗୋଷ୍ଠୀ ସଂଘର୍ଷ ପରେ ବାଲେଶ୍ବର ସହରରେ ପୋଲିସ ଛାଉଣୀ । କର୍ଫ୍ଯୁ ସମୟରେ ଜନସାଧାରଣଙ୍କୁ ଘରୁ ନ ବାହାରିବାକୁ ପ୍ରଶାସନ ପକ୍ଷରୁ ଅପିଲ୍ କରାଯାଇଛି ।

ADG ଆଇନ ଶୃଙ୍ଖଳା ସଞ୍ଜୟ କୁମାର ବାଲେଶ୍ଵରରେ ପହଞ୍ଚି ସ୍ଥିତି ଉପରେ ରଖିଛନ୍ତି ନଜର । ଏପଟେ ମୁଖ୍ୟ ସଚିବ, ଡିଜିପିଙ୍କ ସହ ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ଯମନ୍ତ୍ରୀ ମୋହନ ମାଝୀ । ମୁଖ୍ୟ ସଚିବ ପ୍ରଦୀପ ଜେନା, ଡିଜିପି ଅରୁଣ ଷଡ଼ଙ୍ଗୀ ତାଙ୍କୁ ଘଟଣା ବାବଦରେ ଅବଗତ କରାଇଛନ୍ତି । ସହରରେ ଶାନ୍ତି ଫେରାଇ ଆଣିବା ପାଇଁ ପଦକ୍ଷେପ ଉପରେ ଆଲୋଚନା କରାଯାଇଛି । ଶାନ୍ତି ଫେରାଇବା ପାଇଁ ଜନସାଧାରଣଙ୍କୁ ଅପିଲ କରାଯାଇଛି ।

nis-ad
Leave A Reply

Your email address will not be published.