ଡ୍ରେନ୍ ସମସ୍ୟା : ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଲେ ମନ୍ତ୍ରୀ

ଭୁବନେଶ୍ବର: ଦିନକୁ ଦିନ ବଢିଚାଲିଛି ଡ୍ରେନ୍ ସମସ୍ୟା । କେଉଁଠି ମୁକୁଳା ତ ଆଉ କେଉଁଠି ଧସେଇ ପଡିଲାଣି ମାଟି । ଆଉ ବର୍ଷା ଦିନ ଆସିଲେ ତ କଥା ସରିଲା । ଜଳମୟ ରାସ୍ତାରେ ଡ୍ରେନ୍ ଚିହ୍ନିବା ଅସମ୍ଭବ । ଯେଉଁଥିରେ ପ୍ରତିବର୍ଷ ଲୋକଙ୍କ ମୃତ୍ୟୁ ହେଉଛି । ଏହି ସମସ୍ୟାର ଅଧିକ ସମ୍ମୁଖୀନ ହେଉଛନ୍ତି ଶିଶୁମାନେ । ଖେଳିବା ସମୟରେ ମୁକୁଳା ଡ୍ରେନ୍ ସେମାନଙ୍କ ପାଇଁ କାଳ ସାଜିଥାଏ । ଏନେଇ ସରକାରଙ୍କୁ ଅନେକ ଗୁହାରି ପରେବି ସମସ୍ୟାରୁ ଏବେବି ତ୍ରାହି ମିଳୁନାହିଁ । ତେବେ ଗତକାଲି  ଏହି ଡ୍ରେନ୍ ଯନ୍ତ୍ରଣାର ଶିକାର ହୋଇଛି ଏକ ନିରୀହ ପିଲା । ଯାହାକୁ ନେଇ ନିଜର କ୍ଷୋଭ ପ୍ରକାଶ କରିବା ସହିତ ତୁରନ୍ତ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି ବିଭାଗୀୟ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ।

କୃଷ୍ଣଚନ୍ଦ୍ର ଭୁବନେଶ୍ବରରେ ଡ୍ରେନ୍‌ରେ ଭାସିଯାଇ ନାବାଳକର ମୃତ୍ୟୁ ଘଟଣାରେ ଉକ୍ତ ଘଟଣାସ୍ଥଳ ସମୀକ୍ଷା କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି । ଘଟଣାସ୍ଥଳରେ ଏପର୍ଯ୍ୟନ୍ତ କାହିଁକି ବ୍ୟାରିକେଡ ହୋଇନାହିଁ ସେନେଇ ପ୍ରଶ୍ନ କରିବା ସହିତ ସନ୍ଧ୍ୟା ସୁଦ୍ଧା ରିପୋର୍ଟ ଦେବାକୁ ବିଏମସି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଏହା ସହିତ ସେ ଏହା ବି କହିଛନ୍ତି ଯେ ୭ ଦିନ ମଧ୍ୟରେ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ସହରରେ କେତେ ମୁକୁଳା ଡ୍ରେନ ଅଛି, ଡ୍ରେନଗୁଡିକର ଅବସ୍ଥା କ’ଣ ସେ ସବୁର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ୩ ଦିନ ଭିତରେ ମୁକୁଳା ଥିବା ସବୁ ଡ୍ରେନକୁ କଭର୍‌ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ଅପରାହ୍ଣରେ ରାଜଧାନୀରେ ଅତି ପ୍ରବଳ ବର୍ଷା କାରଣରୁ ଡ୍ରେନଗୁଡିକ ଭରିଯାଇଥିଲା ।  ଉକ୍ତ ସମୟରେ ଲକ୍ଷ୍ମୀସାଗର ୟୁନିଟ-୩ ମସଜିଦ କଲୋନୀର ଏସ୍କେ ରାଜେଶ ଓ ତାଙ୍କ ସାଙ୍ଗମାନେ  ଡ୍ରେନ୍‌ ପାଖରେ ଖେଳୁଥିବା ବେଳେ ବେଲୁନଟି ଡ୍ରେନରେ ପଡିଯାଇଥିଲା । ଯାହାକୁ ଆଣିବାକୁ ଯାଇ ଭାସି ଯାଇଥିଲେ ରାଜେଶ। ଯାହା ପରେ ତାଙ୍କୁ ଉଦ୍ଧାର କରାଯାଇ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

nis-ad
Leave A Reply

Your email address will not be published.