କୋଠା ତିଆରି ପାଇଁ ବଳି ପଡ଼ିଲେ ୬୦ଟି ଅଁଳା ଗଛ

ରାୟଗଡା : ରାୟଗଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ନୂତନ କୋଠା ନିର୍ମାଣ କରାଯିବା ପାଇଁ ଜାଗା ଚିହ୍ନଟ କରାଯାଇଛି | କିନ୍ତୁ ଦୁଃଖର ବିଷୟ ଏହିକି ଯେ ଦୀର୍ଘ ୯ ବର୍ଷ ତଳେ ଲାଗିଥିବା ଔଷଧୀୟ ୬୦ ଟି ଅଁଳା ଗଛ ଗୁଡ଼ିକୁ କାଟି ଦିଆଯାଇଛି | ଗୋଟିଏ ପଟେ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ପରିବେଶ ସୁରକ୍ଷା ପାଇଁ ବନ ବିଭାଗ ସଚେତନତା ଓ ବୃକ୍ଷ ରୋପଣ କରୁଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହିଭଳି ଭାବେ ଗଛ କଟାଯିବା ଘଟଣାକୁ ସାଧାରଣରେ ନିନ୍ଦା କରିଛନ୍ତି ପରିବେଶବିତମାନେ | ତେବେ ଏହି ପୂର୍ତ୍ତ ବିଭାଗ ମାଧ୍ୟମରେ ହେଉଥିବା ଜଣାପଡିବା ପରେ ପୂର୍ତ ବିଭାଗ ଆମ୍ବିକେୟ ମିଶ୍ରଙ୍କୁ ପଚାରିବାରୁ ସେଠାରେ ଦୁଇ ମହଲା କୋଠା ନିର୍ମାଣ ହେବ | ଉକ୍ତ କୋଠାର ତଳ ଭାଗରେ ୭୮୦୦ ସ୍କୁୟାର ଫିଟରରେ ଏକ ବୈଠକ ଗୃହ ଓ ଅନ୍ୟାନ୍ୟ ଗୃହ ଏବଂ ଉପର ମହଲରେ ଜିଲ୍ଲାର ଦୁଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ହେବ ବୋଲି କହିଛନ୍ତି | ତଳ ଏବଂ ଉପର ୨୫୬୦୦ ସ୍କୁୟାର ପହିତରେ କୋଠା ନିର୍ମାଣ ହେବ |ଏହି ନିର୍ମାଣ କାର୍ଯ୍ୟର ଟେଣ୍ଡର ପ୍ରକ୍ରିୟା ସରିବା ସହିତ ୩ କୋଟି ୬୦ ଲକ୍ଷ ଟଙ୍କା ବ୍ୟୟ ଅଟକଳ କରାଯାଇଥିବା ପୂର୍ତ୍ତ ବିଭାଗ ଠାରୁ ସୂଚନା ମିଳିଛି | ତେବେ ସେଠାରେ ରହିଥିବା ଅଁଳା ବୃକ୍ଷ କଟାଯିବା ଘଟଣା ବିଷୟରେ ପଚାରିବାରୁ ଗଛ କାଟିବା ପାଇଁ ବିଧିବଦ୍ଧ ଭାବେ ବନ ବିଭାଗ ଠାରୁ ଅନୁମତି ମିଳିଛି |

ପ୍ରକାଶ ଥାଉକି, ୨୦୧୫ ମସିହାରେ ତତ୍କାଳୀନ ଜିଲ୍ଲାପାଳ ଶଶୀଭୁଷଣ ପାଢ଼ୀଙ୍କ ସମୟରେ କାର୍ଯ୍ୟରତ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ବେହେରା ପରିବେଶ ସୁରକ୍ଷା ଏବଂ ଅଂଚଳରେ ବିଶୁଦ୍ଧ ବାତାବରଣ ସୃଷ୍ଟି ଦିଗରେ ଧ୍ୟାନ ଦେଇ ଏହି ଅଁଳା ଗଛ ସମେତ ଅନ୍ୟାନ୍ୟ ବିଭିନ୍ନ ଔଷଧୀୟ ବୃକ୍ଷ ରୋପଣ କରିଥିଲେ | ଏଥି ସହିତ ଏହି ଗଛ ଗୁଡିକୁ ବଢ଼ିବାରେ ସହଯୋଗ ପୂର୍ବକ କିଛି ସମାଜସେବୀ ନିୟମିତ ସେଠାରେ ପାଣି ପକାଇଥିଲେ | ଦୀର୍ଘ 9 ବର୍ଷ ପରେ ବୃକ୍ଷଗୁଡିକ ବଡ ହୋଇ ଏକ ସୁନ୍ଦର ଶୀତଳ ବାତାବରଣ ସୃଷ୍ଟି କରିବା ସହିତ ପରିବେଶ ମଧ୍ୟ ସୁରକ୍ଷିତ ରହିଥିଲା | ତେବେ ବିଶିଷ୍ଟ ବୈଠକ ଗୃହ ଓ ଦୁଇ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିର୍ମାଣ ପାଇଁ ଏହିଭଳି କୋଠା ନିର୍ମାଣ ନାଁରେ ଗଛଗୁଡ଼ିକ କାଟିଦେବାକୁ ସାଧାରଣରେ ତୀବ୍ର ନିନ୍ଦା କରାଯାଇଥିବା ଦେଖିବାକୁ ମିଳୁଛି | ଅନ୍ୟପଟେ ଜିଲ୍ଲାପାଳଙ୍କ ମୁଖ୍ୟ କାର୍ଯ୍ୟାଳୟ କୋଠାରେ ତଳ ମହଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳ ଏବଂ ଉପର ମହଲାରେ ଜଣେ ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଛି | ସେହିଭଳି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସଭା ଗୃହ ରହିଥିବା ସହିତ ନିକଟସ୍ଥ ଜିଲ୍ଲା ପରିଷଦ କାର୍ଯ୍ୟାଳୟରେ ମଧ୍ୟ ଏକ ବଡ ସମ୍ମିଳନୀ କକ୍ଷ ରହିଛି | ଏଭଳିକି ଅତିରିକ୍ତ କୋଠା ନିର୍ମାଣ ପାଇଁ ବୃକ୍ଷ ନଥାଇ ବହୁ ସ୍ଥାନ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ପଡି ରହିଛି | ମିଶନ ଶକ୍ତି କାର୍ଯ୍ୟାଳୟ ପାଇଁ ଦିଆଯାଇଥିବା କାର୍ଯ୍ୟାଳୟରେ କର୍ମଚାରୀ ନାବାସୀ ସବୁ ବେଳେ ଏହା ଖାଲି ପଡି ରହୁଛି | ସେହିଭଳି ଗାଡି ପାର୍କିଂ ପାଇଁ ତିଆରି ହୋଇଥିବା ପାର୍କିଂ ସ୍ଥାନରେ କର୍ମଚାରୀ ମାନେ ଗାଡି ପାର୍କିଂ ବଦଳରେ ଏହା ସହିତ ରାୟଗଡା ସହରରେ ଗୋଟିଏ ବିରାଟ ବଡ ବିଜୁ ପଟନାୟକ ଅଡ଼ିଟରିୟମ, ଟାଉନ ହଲ, ଅଶୋକ କଲ୍ୟାଣ ମଣ୍ଡପ ଏବଂ ବିଜୁ ପଟନାୟକ କଲ୍ୟାଣ ମଣ୍ଡପ ରହିଛି | ଯେଉଁଠାରେ କି ସମୟ ସମୟରେ ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ ଓ ବୈଠକ ଅନୁଷ୍ଠିତ ହୋଇଥାଏ | ତେବେ ଏତେସବୁ ସୁବିଧା ଥାଇ ମଧ୍ୟ କାହାର ସ୍ୱାର୍ଥ ପାଇଁ ଏହିଭଳି ଗଛ କାଟି କୋଠା ନିର୍ମାଣ କରାଯାଉଛି ତାହା ତଦନ୍ତ ସାପେକ୍ଷ ବୋଲି ଜନସାଧାରଣଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି |

ଏନେଇ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରୟତଙ୍କୁ ପଚାରିବାରୁ ଜିଲ୍ଲାପାଳ ଜାଗା ଚିହ୍ନଟ କରିବା ପରେ ଏହାର ଟେଣ୍ଡର ପ୍ରକ୍ରିୟା କରାଯାଇ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଛି ପୂର୍ତ୍ତ ବିଭାଗ | ତେବେ ଓଡିଶା ବନ ସଂରକ୍ଷଣ ନିୟମାନୁସାରେ ଗୋଟିଏ ବୃକ୍ଷ କାଟିଲେ ଏହା ବଦଳରେ ତିନୋଟି ବୃକ୍ଷ ରୋପଣ କରିବାର ନିୟମ ରହିଛି ଏବଂ ଜିଲ୍ଲା ପ୍ରଶାସନ ଏହା କେଉଁଠି ରୋପଣ କରିଛି ପଚାରିବାରୁ ବର୍ତମାନ କରାଯାଇନାହିଁ, ଆଗାମୀ ଦିନରେ ରୋପଣ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି | ଅନ୍ୟପଟେ ବନ ବିଭାଗ ଅନୁମତିକୁ ନେଇ ରାୟଗଡା ରେଞ୍ଜର କାମେଶ୍ୱର ଆଚାରିଙ୍କୁ ପଚାରିବାରୁ ଏହାର ଅନୁଧ୍ୟାନ କରାଯାଇ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି | ଏନେଇ ଚିଠି ମଧ୍ୟ ରହିଥିବା ରେଞ୍ଜର ଆଚାରି କହିଛନ୍ତି | ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଅଁଳା ଗଛ ଏକ ଔଷଧୀୟ ବୃକ୍ଷ ହୋଇଥିବା ଏବଂ 9 ବର୍ଷ ପରେ ବଡ ହୋଇ ଏହାର ଉପକାରିତା ଆରମ୍ଭ ସମୟରେ ଏହିଭଳି ବଡ ବଡ ବୃକ୍ଷକୁ କାଟିଦେବା କେତେ ଦୂର ଯଥାର୍ଥ ତାହାର ଉଚ୍ଚସ୍ତରୀୟ ତଦନ୍ତ ହେବା ଆବଶ୍ୟକତା ରହିଛି ବୋଲି ଜନସାଧାରଣଙ୍କ ମହଲରେ ଦାବି ହେଉଛି | ଏଥି ସହିତ ରାଜ୍ୟରେ ସାଧାରଣ ନିର୍ବାଚନ ସରି ନୂତନ ସରକାର ଶପଥ ପାଠ ନକରିବା ଆଗରୁ ଏଭଳି ତରବରିଆ ଭାବେ ଗଛ କାଟି ନିର୍ମାଣ କାର୍ଯ୍ୟ ଆରମ୍ଭ କରିବା ପଛରେ କେଉଁ ଯୋଜନା ରହିଛି ସେନେଇ ତଦନ୍ତ ଦାବି କରିଛନ୍ତି ଜନସାଧାରଣ ଓ ପରିବେଶବିତମାନେ | ତେବେ ବର୍ତମାନ ଦେଖିବାକୁ ବାକି ରହିଲା ଏହି ଘଟଣାକୁ ନେଇ ଜିଲ୍ଲା ପ୍ରଶାସନ କିଭଳି ନିଷ୍ପତି ନେଉଛି ଏବଂ ସହରର କେଉଁଠାରେ ୧୮୦ ଟି ବୃକ୍ଷ ରୋପଣ କରୁଛି ତାହା ଦେଖିବାକୁ ବାକି ରହିଲା |

nis-ad
Leave A Reply

Your email address will not be published.