ଫ୍ରାନ୍ସରେ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବେ ଟିଏସ୍‌ଟିଏସ୍‌ଏଲ୍ କର୍ମଚାରୀ ବରୁଣ ସାହୁ

ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତାରେ ସ୍ୱର୍ଣ୍ଣ ପଦକ ଜିତି ଗଞ୍ଜାମ ପାଇଁ ଆଣିଲେ ଗର୍ବ

ବ୍ରହ୍ମପୁର, ୧୦/୦୬ : ଟାଟା ଷ୍ଟିଲ୍‌ର ଗ୍ରୁପ୍ କମ୍ପାନି ଟାଟା ଷ୍ଟିଲ୍ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡ୍ (ଟିଏସ୍‌ଟିଏସ୍‌ଏଲ୍‌)ର କର୍ମଚାରୀ ବରୁଣ ସାହୁ ନିକଟରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଇଣ୍ଡିଆ ସ୍କିଲ୍ସ ପ୍ରତିଯୋଗିତା ୨୦୨୩-୨୪ରେ ଇଲେକ୍ଟ୍ରିସିଆନ୍ ଟ୍ରେଡ୍ ବର୍ଗରେ ସ୍ୱର୍ଣ୍ଣ ପଦକ ଜିତି ଗଞ୍ଜାମ ଜିଲ୍ଲା ସହ ସାରା ଓଡ଼ିଶାକୁ ଗୌରବାନ୍ୱିତ କରିଛନ୍ତି ।

ଜଗନ୍ନାଥ ପ୍ରସାଦ ବ୍ଲକ ଅନ୍ତର୍ଗତ ଝାଡ଼ଭୂମି ପଞ୍ଚାୟତର କନ୍ଦରସିଂହି ନାମକ ଏକ ଛୋଟ ଗାଁରୁ ଏହି ଉଲ୍ଲେଖନୀୟ ସଫଳତା ହାସଲ ପର୍ଯ୍ୟନ୍ତ ଶ୍ରୀ ସାହୁଙ୍କ ଯାତ୍ରା ଅତ୍ୟନ୍ତ ପ୍ରେରଣାଦାୟକ । ଶ୍ରୀ ସାହୁ ଇଲେକ୍ଟ୍ରିକାଲ୍ ଟ୍ରେଡ୍‌ରେ ଆଇଟିଆଇ ଶେଷ କରିବା ସହ ଭୁବନେଶ୍ୱରର ଜଣାଶୁଣା ବିଶ୍ୱ ଦକ୍ଷତା କେନ୍ଦ୍ରରେ ନିଜର ଦକ୍ଷତାକୁ ଆହୁରି ଶାଣିତ କରିଥିଲେ । ଏହାପରେ ସେ ଟିଏସ୍‌ଟିଏସ୍‌ଏଲ୍‌ରେ ଆସିଷ୍ଟାଂଟ୍ (ଟେକ୍ନିକାଲ) – ଆଇସି ଭାବରେ ଯୋଗ ଦେଇଥିଲେ ଏବଂ ବର୍ତମାନ ଢେଙ୍କାନାଳ ଜିଲ୍ଲାର ମେରାମଣ୍ଡଳୀରେ ଥିବା ଟାଟା ଷ୍ଟିଲର କାରଖାନାରେ ନିୟୋଜିତ ରହିଛନ୍ତି।

ଟାଟା ଷ୍ଟିଲ ଟେକ୍ନିକାଲ୍ ସର୍ଭିସେସ୍ ଲିମିଟେଡର ସିଇଓ ତଥା ପରିଚାଳନା ନିର୍ଦ୍ଦେଶକ ସନ୍ଦୀପ ଧୀର, ବରୁଣ ସାହୁଙ୍କୁ ଅଭିନନ୍ଦନ ଜଣାଇ କହିଛନ୍ତି ଯେ, “ବରୁଣଙ୍କ ସଫଳତା ପାଇଁ ଆମେ ଅତ୍ୟନ୍ତ ଗର୍ବିତ ଏବଂ ଚଳିତ ବର୍ଷ ଶେଷରେ ଫ୍ରାନ୍ସର ଲିଓନରେ ଆୟୋଜିତ ହେବାକୁ ଥିବା ସମ୍ମାନଜନକ ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିବାକୁ ପ୍ରସ୍ତୁତ ହେଉଥିବାରୁ ଆମେ ତାଙ୍କର ସଫଳତା କାମନା କରୁଛୁ । ପ୍ରତିଭାକୁ ଚିହ୍ନିବା ଏବଂ ନିରନ୍ତର ଶିକ୍ଷାର ସଂସ୍କୃତିକୁ ପ୍ରୋତ୍ସାହିତ କରିବା ପାଇଁ ଟିଏସ୍‌ଟିଏସ୍‌ଏଲ୍ ପ୍ରତିଶ୍ରୁତିବଦ୍ଧ ।’’

ମାନବ ସମ୍ବଳ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଟିଏସ୍‌ଟିଏସ୍‌ଏଲ୍‌, ବରୁଣଙ୍କ ଭଳି ବ୍ୟକ୍ତିବିଶେଷଙ୍କୁ ସେମାନଙ୍କର ସମ୍ପୂର୍ଣ୍ଣ ସାମର୍ଥ୍ୟ ହାସଲ କରିବା ପାଇଁ ଏକ ସମୟୋପଯୋଗି ଶିକ୍ଷଣୀୟ ପରିବେଶ ସୃଷ୍ଟି କରିବାକୁ ସମର୍ପିତ ରହିଛି।

nis-ad
Leave A Reply

Your email address will not be published.