ବିଏସକେୱାଇ ଯୋଜନାକୁ ନେଇ ଚିନ୍ତା ପ୍ରକଟ କଲେ ରାଜ୍ୟପାଳ

ଭୁବନେଶ୍ବର: ସରିଛି ସାଧାରଣ ନିର୍ବାଚନ ୨୦୨୪ । ରାଜ୍ୟରେ ବିଜେପିର ଐତିହାସିକ ବିଜୟ ପରେ ବଦଳିଛି ଓଡିଶାର ରାଜନୈତିକ ପାଣିପାଗ । ସରକାର ବଦଳିବା ପରେ ବିରୋଧୀ ଙ୍କର ଆରମ୍ଭ ହୋଇଯାଇଛି ଦୋଷଲଦା କାମ । ତେବେ ଗତକାଲି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା (ବିଏସକେୱାଇ) ବନ୍ଦ ହୋଇଯାଇଥିବା ନେଇ ରାଜ୍ୟବ୍ୟାପୀ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଯାହାକୁ ନେଇ ଚିନ୍ତାପ୍ରକଟ କରିଛନ୍ତି ରାଜ୍ୟପାଳ ରଘୁବର ଦାସ ।

ଏନେଇ ରାଜ୍ୟପାଳ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଆଲୋଚନା କରିଛନ୍ତି । ବିଏସକେୱାଇ କାର୍ଡ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଏଥିପାଇଁ ଯେପରି ସ୍ୱାସ୍ଥ୍ୟସେବା ବ୍ୟାହତ ନହେବ ସେଥିପ୍ରତି ଦୃଷ୍ଟି ଦେବାକୁ ରାଜ୍ୟପାଳଙ୍କ ନିର୍ଦ୍ଦେଶ ରହିଛି ।

ଏନେଇ ରାଜ୍ୟପାଳ ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ‘ନିର୍ବାଚନ ଫଳାଫଳ ପରେ ବିଏସ୍‌କେୱାଇ ସ୍ୱାସ୍ଥ୍ୟ କାର୍ଡ ସମ୍ପର୍କିତ ଭ୍ରମ ଏବଂ ହିତାଧିକାରୀଙ୍କୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ କରାଯାଉଥିବା ନେଇ ଗଣମାଧ୍ୟମର ରିପୋର୍ଟ ଦେଖି କଷ୍ଟ ଅନୁଭବ ହେଲା । ଏନେଇ ମୁଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ତୁରନ୍ତ ଉଚିତ୍ ପଦକ୍ଷେପ ନେବା ନେଇ କହିଛି । ଯଦ୍ୱାରା ବିଏସକେୱାଇ ସମ୍ବନ୍ଧରେ କୌଣସି ଭ୍ରମ ସୃଷ୍ଟି ନହଉ ଏବଂ ହିତାଧିକାରୀମାନଙ୍କୁ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉ’।

ଅନ୍ୟପଟେ, ରାଜ୍ୟରେ ବିଏସକେୱାଇ ଯୋଜନା ବନ୍ଦ ନେଇ ଚର୍ଚ୍ଚା ଭିତରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା । ବିଏସକେୱାଇ ଯୋଜନା ଚାଲୁ ରହିଥିବା ନେଇ ମୁଖ୍ୟ ଶାସନ ସଚିବ ସ୍ପଷ୍ଟ କରିଛନ୍ତି । କୌଣସି ଡାକ୍ତରଖାନା ରୋଗୀଙ୍କୁ ଚିକିତ୍ସା କରିବାରେ ଅବହେଳା କଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.