ବିଜେଡି ବିଜୟୀ ପରେ ମଧ୍ୟ ବିଜେଡି ଶିବିରରେ ନିରାଶ ଓ ପରାଜୟ ବରଣ ସତ୍ତ୍ବେ ବିଜେପି ଶିବିରରେ ଉତ୍ସାହ ଭାବ

ହିଞ୍ଜିଳିକାଟୁ : ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଭାବେ ପରିଚିତ ହିଞ୍ଜିିଳି ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁଣି ବାଜି ଉଠିଛି ଶୁଭ ଶଙ୍ଖ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ମାତ୍ର ୪ ହଜାର ୬ ଶହ ୪୯ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ଭାବେ ୬ଷ୍ଠ ଥର ପାଇଁ ବିଜୟୀ ମୁକୁଟ ମୁଣ୍ଡାଇବାକୁ ସକ୍ଷମ ହୋଇଛନ୍ତି। ବିଜେଡି ପ୍ରାର୍ଥୀ ନବୀନ ପଟ୍ଟନାୟକ ବିଜୟୀ ହୋଇଥିଲେ ମଧ୍ୟ ହିଞ୍ଜିଳି ବିଜେଡି ଶିବିରରେ ବିଜେଡି କର୍ମୀଙ୍କ ମଧ୍ୟରେ ନିରାଶ ଭାବ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବିଜେପି ହିଞ୍ଜିଳି ବିଧାନସଭା ଆସନରେ ପରାଜୟ ବରଣ କରିଥିଲେ ମଧ୍ୟ ରାଜ୍ୟରେ ଶାସନ କ୍ଷମତା ଗ୍ରହଣ କରିବାକୁ ବସିଥିବା ବେଳେ ସ୍ଥାନୀୟ ଅଞ୍ଚଳର ବିଜେପି କର୍ମୀଙ୍କ ମହଲରେ ଉତ୍ସାହ ଭାବ ଦେଖିବାକୁ ମିଳିଛି। ଚଳିତ ବର୍ଷ ମଇ ମାସ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା ୨ୟ ପର୍ଯ୍ୟାୟ ନିର୍ବାଚନ ଆସିକା ସଂସଦୀୟ କ୍ଷେତ୍ର ଅଧିନସ୍ଥ ହିଞ୍ଜିଳି ବିଧାନସଭା ଆସନରେ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ହିଞ୍ଜିଳି ବିଧାନସଭା ଆସନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ ।ସମସ୍ତ ପ୍ରତୀକ୍ଷାର ଅନ୍ତ ଘଟାଇ ମୁଖ୍ୟମନ୍ତ୍ରୀ ପଟ୍ଟନାୟକ ନିଜର ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ରଙ୍କୁ ମାତ୍ର ୪୬୪୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ସହ ବିଜୟ ମୁକୁଟ ପନ୍ଧିଛନ୍ତି । ହିଞ୍ଜିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚଳିତ ନିର୍ବାଚନରେ ୬୬୩୫୮ ଭୋଟ ପାଇଥିବା ବେଳେ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପି ପ୍ରାର୍ଥୀ ଶିଶିର ମିଶ୍ର ୬୧୭୦୯ ଭୋଟ, କଂଗ୍ରେସ ପ୍ରାର୍ଥୀ ରଜନୀକାନ୍ତ ପାଢି ୫୩୬୬ ଭୋଟ, ବହୁଜନସମାଜ ପାର୍ଟି ସମର୍ଥିତ ପ୍ରାର୍ଥୀ ବଳରାମ ନାହାକ ୬୪୨ ଭୋଟ. ଏସୟୁସିଆଇ(କମ୍ୟୁନିଷ୍ଟ)ର ନାରାୟଣ ସାହୁ ୧୨୫୨ ଭୋଟ, ଆମ ଆଦମୀ ପାର୍ଟୀର ଭଜରାମ ସାବତ ୫୯୧ ଭୋଟ, ସ୍ୱାଧିନ ପ୍ରାର୍ଥୀ ରାମ ନାରାୟଣ ବିଶ୍ୱାସରାୟ ୧୧୪୨ ଭୋଟ, ନବ ନିର୍ମାଣ କୃଷକ ସଂଘଠନ ପକ୍ଷରୁ ଚାଷୀ ନେତା ଅକ୍ଷୟ କୁମାର ୯୨୨ ଭୋଟ, ଏସ. ଲକ୍ଷ୍ମୀ ଆଚାରୀ ୮୮୪ , ଭୋଟ, ସବିତା କୁମାରୀ ସାହୁ ୮୨୨ ଭୋଟ ପାଇଥିବା ବେଳେ ନୋଟାରେ ୧୯୧୭ ଟି ଭୋଟ ପଡ଼ିଥିଲା ।
ପ୍ରକାଶ ଥାଉକି, ହିଞ୍ଜିଳି ବିଧାନସଭା ଆସନ ହିଞ୍ଜିଳି ବ୍ଳକର ସମୁଦାୟ ୨୧ ଟି ପଞ୍ଚାୟତ, ଶେରଗଡ଼ ବ୍ଳକର ୨୨ ଟି ପଞ୍ଚାୟତ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ୨୧ ଟି ୱାର୍ଡ଼କୁ ନେଇ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠିତ । ହିଞ୍ଜିଳି ନିର୍ବାଚନ ମଣ୍ଡଳୀରେ ୨ ଲକ୍ଷ ୩୨ ହଜାର ୧୦୯ ଭୋଟର(ପୁରୁଷ ଭୋଟର ୧ଲକ୍ଷ ୨୦ ହଜାର ୮୯୮, ମହିଳା ଭୋଟର ୧ଲକ୍ଷ ୧୧ ହଜାର ୧୦୨ ଓ ତୃତୀୟ ଲିଙ୍ଗୀ ୧୮ ଭୋଟର)ଙ୍କ ମଧ୍ୟରୁ ଚଳିତ ନିର୍ବାଚନରେ(୨ୟ ପର୍ଯ୍ୟାୟ ମଇ ମାସ ୨୦ ତାରିଖରେ ଅନୁଷ୍ଠିତ ହୋଇଥିବା) ୬୧.୦୨ ପ୍ରତିଶତ ମତଦାନ ହେବା ସହ ୧ ଲକ୍ଷ ୪୧ ହଜାର ୬୦୪ ଭୋଟର ମତଦାନ କରିଥିଲେ ।
। ସାଧାରଣ ନିର୍ବାଚନରେ ହିଞ୍ଜିଳି ବିଧାନସଭା ଆସନରେ ୨୨୯ ଟି ବୁଥ କରାଯାଇଥିଲା । ୨୨୯ ଟି ବୁଥରେ ୧୧୪୫ ଜଣ ପୁଲିଂ ଅଧିକାରୀ ଓ ୨୨୯ ଜଣ ପ୍ରିଜାଇଡିଂ ଅଧିକାରୀଙ୍କୁ ନିଯୁକ୍ତି କରାଯାଇଥିଲା । ୨୨୯ ଟି ବୁଥ ମଧ୍ୟରୁ ହଞ୍ଜିିଳିକାଟୁ ପୌରାଞ୍ଚଳରେ ୧୯ ଟି, ହିଞ୍ଜିଳିକାଟୁ ବ୍ଳକରେ ୧୦୦ ଟି ଓ ହିଂଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଳକରେ ୧୧୦ ଟି ବୁଥରେ ଭୋଟର ମାନେ ନିଜ ନିଜର ମତଦାନ କରିଥିଲେ । ମତଦାନ ସମୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବା ସହ ପ୍ରତ୍ୟେକ ବୁଥ୍ ରେ ସିସିଟିଭି ସଂଯୋଗୀକରଣ କରାଯାଇଥିଲା ।
ପ୍ରକାଶ ଥାଉକି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ କ୍ୟାରିୟର ଭିତରେ ଦ୍ୱିତୀୟ ଥର ପାଇଁ ଦୁଇ ଦୁଇଟି ଆସନରୁ ନିର୍ବାଚନ ଲଢିଥିଲେ । ଉଭୟ ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହୋଇଥିବା ବେଳେ କଣ୍ଟାବାଞ୍ଜି ଆସନରୁ ପରାଜିତ ହେଇଥିଲେ ।‌ ୧୯୯୭ ମସିହା ଏପ୍ରିଲ ୧୭ ତାରିଖରେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଦେହାନ୍ତ ପରେ ନୂତନ ଭାବେ ଗଢି ଉଠିଥିବା ବିଜୁ ଜନତା ଦଳ ପକ୍ଷରୁ ଆସିକା ଲୋକସଭା ଆସନରୁ ବିଜୟୀ ହେବା ପରେ ପ୍ରଥମ ଥର ପାଇଁ ୨୦୦୦ ମସିହାରେ ହିଞ୍ଜିଳି ବିଧାନସଭା ଆସନରୁ ବିଜୟୀ ହେବା ସହ ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ । ଏହାପରେ ଗତ ୨୦୦୪, ୨୦୦୯ , ୨୦୧୪ ଓ ୨୦୧୯ ରେ ହିଞ୍ଜିଳି ବିଧାନସଭା ଆସନରୁ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ ହେବା ସହ ଲଗାତାର ଭାବେ ୫ ଥର ମୁଖ୍ୟମନ୍ତ୍ରୀ ଭାବେ ଗୌରବ ଅର୍ଜନ କରିଥିଲେ ।

nis-ad
Leave A Reply

Your email address will not be published.