ଭୁବନେଶ୍ବର: ସମ୍ବଲପୁରସ୍ଥିତ ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ(ଓଏସ୍ଓୟୁ)ର ନୂତନ କୁଳପତି ଭାବେ ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ ଆଜି ନିଯୁକ୍ତ ହୋଇଛନ୍ତି। ଓଏସ୍ଓୟୁ ଆଇନ ୨୦୧୪ ଅନୁଯାୟୀ ରାଜ୍ୟପାଳ ରଘୁବର ଦାସ ଆଜି ତାଙ୍କୁ ୩ ବର୍ଷ ପାଇଁ ନିଯୁକ୍ତି ଦେଇଛନ୍ତି। କାର୍ଯ୍ୟରେ ଯୋଗଦେବା ଦିନରୁ ଆସନ୍ତା ୩ ବର୍ଷ ନ ହେଲେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ବିଶ୍ବବିଦ୍ୟାଳୟର କୁଳପତି ଭାବେ ଦାୟିତ୍ବ ନିର୍ବାହ କରିବେ ବୋଲି ଆଜି ରାଜଭବନ ପକ୍ଷରୁ ଜାରି ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।
ପ୍ରଫେସର ପଟ୍ଟନାୟକ ଏବେ ଚଣ୍ଡିଗଡ଼ସ୍ଥିତ ନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ ଟିଚର୍ସ ଆଣ୍ଡ ରିସର୍ଚ୍ଚ(ଏନ୍ଆଇଟିଟିଆର)ର ମିଡିଆ ଇଞ୍ଜିନିୟରିଂ ବିଭାଗର ମୁଖ୍ୟଭାବେ କାର୍ଯ୍ୟରତ ଅଛନ୍ତି। ଏମ୍.ଏସ୍ସି, ଏମ୍.ଟେକ୍, ପିଏଚ୍ଡି, ପୋଷ୍ଟ ଡକ୍ଟରେଟ୍ କରିଥିବା ପ୍ରଫେସର ପଟ୍ଟନାୟକ ବିଭିନ୍ନ କ୍ଷେତ୍ରରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ୩୩ ବର୍ଷର ଶିକ୍ଷକତା ଏବଂ ୧୧ ବର୍ଷ ୯ ମାସ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଥିବା ପ୍ରଫେସର ପଟ୍ଟନାୟକଙ୍କ ଅଧୀନରେ ୨୪ଜଣ ଛାତ୍ରଛାତ୍ରୀ ପିଏଚ୍ଡି ଡିଗ୍ରି ହାସଲ କରିଛନ୍ତି। ୧୩ଟି ପୁସ୍ତକ ସମ୍ପାଦନା କରିଥିବା ବେଳେ ଗୋଟିଏର ମୁଖ୍ୟ ସମ୍ପାଦକ, ୩ଟିର ଏଡିଟରସିପ୍, ୩ଟିର ପିର୍ ରିଭ୍ୟୁ କରିଛନ୍ତି। ତାଙ୍କର ୪୮ଟି ସନ୍ଦର୍ଭ ଜାତୀୟ ସମ୍ମିଳନୀ ଓ ୯୩ଟି ଆନ୍ତର୍ଜାତୀୟ ସମ୍ମିଳନୀରେ ଉପସ୍ଥାପିତ ହୋଇଛି। ୩୦୨ଟି ଏକାଡେମିକ ଜର୍ଣ୍ଣାଲ, ୧୩୧ଟି ସ୍କୋପସ୍ ଓ ଏସ୍ସିଆଇ ପ୍ରକାଶିତ ହୋଇଛି। ରାଉରକେଲାସ୍ଥିତ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ବବିଦ୍ୟାଳୟ(ବିପିୟୁଟି)କୁଳପତି ଭାବେ ମଧ୍ୟ ପ୍ରଫେସର ପଟ୍ଟନାୟକ କିଛି ବର୍ଷ କାର୍ଯ୍ୟ କରିଥିଲେ। ୨୦୧୫ ମାର୍ଚ୍ଚରେ ବିପିୟୁଟିର କୁଳପତି ଭାବେ ଦାୟିତ୍ବ ଗ୍ରହଣ କରିଥିବା ପ୍ରଫେସର ପଟ୍ଟନାୟକ କାର୍ଯ୍ୟକାଳ ଶେଷ ପୂର୍ବରୁ ୨୦୧୭ ସେପ୍ଟେମ୍ବରରେ ଇସ୍ତଫା ଦେଇଥିଲେ। ବିବାଦ ସାଙ୍ଗକୁ ଛାତ୍ରଛାତ୍ରୀଙ୍କ ଜୋରଦାର ବିରୋଧ ଯୋଗୁଁ ସେ କାର୍ଯ୍ୟକାଳ ସମ୍ପୂର୍ଣ୍ଣ କରିପାରି ନ ଥିଲେ। ବ୍ୟକ୍ତିଗତ କାରଣ ଲାଗି ପଦ ଛାଡ଼ୁଥିବା ସମ୍ପର୍କରେ ଇସ୍ତଫାପତ୍ରରେ ଦର୍ଶାଇଥିଲେ। ତାଙ୍କ ଇସ୍ତଫା ପରେ ବିପିୟୁଟିରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା।
Sign in
Sign in
Recover your password.
A password will be e-mailed to you.